ବଲାଙ୍ଗିର, 1 ଅକ୍ଟୋବର (ହି.ସ.)
ସଂପ୍ରତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଆଗଉଛି । ଓଡିଶାରେ ଏହି ଧାରାକୁ ପିସିସି ସଭାପତି ଭକ୍ତଚରଣ ଦାସ ଆଗେଇ ନେଉଛନ୍ତି । ଶ୍ରୀ ଦାସଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ଈର୍ଷଣୀୟ ଲୋକପ୍ରିୟତା ହାସଲ କରୁଛି । ତେଣୁ ଭୟଭୀତ ହୋଇ ସାମାଜିକ ଗଣମାଧ୍ୟମରେ ବିଜେପି-ବିଜେଡି ଅପପ୍ରଚାର ଚଲେଇଛନ୍ତି । ତଥ୍ୟ ପ୍ରମାଣ ସହ କଂଗ୍ରେସର ନେତା ଓ କର୍ମୀ ଏଭଳି ଅପପ୍ରଚାରକୁ ପ୍ରତିହତ କରିବାକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଆହ୍ୱାନ ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ କଲେଜ ଛକଠାରେ ଭଞ୍ଜକିଶୋର ନାଗଙ୍କ ଅଧ୍ୟକ୍ଷତାରେ ତଥା ରୂପେଶ ନାଗଙ୍କ ସଂଯୋଜନାରେ ଆୟୋଜିତ ଏକ ବୈଠକରେ ନିଜ ଅଞ୍ଚଳର କଂଗ୍ରେସ ନେତା, କର୍ମୀ ଓ ଶୁଭେଚ୍ଛୁମାନଙ୍କ ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଦାସ କହିଥିଲେ, ଏକଦା କଂଗ୍ରେସର ଦୁର୍ଗ ଥିବା କଲେଜ ଛକ ଅଞ୍ଚଳରେ ଦଳର ପ୍ରାଧାନ୍ୟ ଫେରାଇବାକୁ ଉଦ୍ୟମ କରାଯିବ । ସଭାପତି ଶ୍ରୀ ନାଗ ଅରବିନ୍ଦଙ୍କ କଂଗ୍ରେସରେ ଯୋଗଦାନ ଫଳରେ ଜିଲ୍ଲାରେ ନେତା ଓ କର୍ମୀ ମହଲରେ ଉତ୍ସାହ ସୃଷ୍ଟି ହୋଇଥିବା କହିଥିଲେ । ଏହି ଅନୌପଚାରିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ତାଣ୍ଡି, ଟିକ୍ରି ନାଗ, ବିଦୁକୁମାର, ସରୋଜ ଛତ୍ରିଆ, ସୁଜିତ ମଜନୁ, ଶାନ୍ତନୁ ନାଗ, ଅନୁପ ସାଏ, ଅନୁପ ହରପାଲ, ୱିଲସନ ପାଲ, ବିଜୟ ସାଗର, ଜିସାଏଲ ନାଗ, ଦାରା ନନ୍ଦ, ସୁରେଶ ବାଗ ଓ ବୁଦ୍ଧଦେବ ଛତ୍ରିଆ ପ୍ରମୁଖ କଂଗ୍ରେସକୁ କଲେଜ ଛକ ଅଞ୍ଚଳର ତିନୋଟି ୱାର୍ଡ ସମେତ ସମଗ୍ର ଜିଲ୍ଲାରେ ମଜଭୁତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ