ବଲାଙ୍ଗିର, 13 ଅକ୍ଟୋବର (ହି.ସ.) - ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ଆଗଲପୁର ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କୁ ସମୁଦାୟ ୪୯ ଗୋଟି ଅଭିଯୋଗ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୩୬ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୧୩ ଗୋଟି ସାମୁହିକ ଅଭିଯୋଗ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଜନସାଧାରଣଙ୍କ ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣୀ କରି ୯ଟି ମାମଲାର ଶୁଣାଣୀର ତୁରନ୍ତ ସମାଧାନ କରିଥିଲେ ଏବଂ ବାକି ଥିବା ମାମଲା ଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଙ୍କୁ ଯଥା ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ନିର୍ବାହୀ ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ, ତରଣୀ ସୁନା, ବଲାଙ୍ଗିର ଉପ ଜିଲ୍ଲାପାଳ, ଆଲୋକ କୁମାର ପଟେଲ, ଆସିଷ୍ଟାଣ୍ଟ କଲେକ୍ଟର (ସାଧାରଣ ଓ ବିବିଧ) ରାମ ନାରାୟଣ ମିଶ୍ର, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ସ୍ନିଗ୍ଧା ରାଣୀ ତ୍ରିପାଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ