ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) - ଓଡିଆ ଝିଅ ତଥା ପଶ୍ଚମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ଅମାବନୀୟ ଲଜ୍ଜାଜନକ । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ମେଡିକାଲ କ୍ୟାଂପସରେ ଥିବା ପୀଡିତା ଛାତ୍ରୀଙ୍କ ପ୍ରତି ଯେଉଁ ଭଳି ଅମାନୁଷିକ ଓ ବର୍ବରୋଚିତ ଘଟଣା ଘଟିଛି ତାହା ପଶ୍ଚିବଙ୍ଗର ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳ ିସ୍ଥିତିରେ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ଭଳି ଲଜ୍ଜ୍ୟାଜନକ ମନ୍ତବ୍ୟ ଦେଇଛନ୍ତି । ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର କାହାର ନାହିଁ । ଝିଅଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବା ଅତ୍ୟନ୍ତ ନିନ୍ଦନୀୟ । ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯଦି ଝିଅମାନେ ରାତିରେ ବାହାରିବା ଠିକ୍ ନୁହେଁ ବୋଲି କହିବେ, ତାଠାରୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ଆଉ କିଛି ନୁହେଁ । ଏହି ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପଦାରେ ପଡ଼ିଛି । ମମତା ବାନାର୍ଜୀଙ୍କ ମହିଳା ବିରୋଧୀ ଅଭିମୁଖ୍ୟକୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି । ଏହାର ପ୍ରତିବାଦରେ ଭୁବନେଶ୍ୱର ରାମ ମନ୍ଦିର ଛକରେ ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ ଡ.ବିଶ୍ୱାଳ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି । ଏଠାରେ ଆଇନଶୃଙ୍ଖଳା ବଜାୟ ରଖିବାରେ ମମତା ବାନାର୍ଜୀ ସରକାର ବିଫଳ ହୋଇଛି । ମହିଳାମାନଙ୍କ ପ୍ରତି ମମତା ବାନାର୍ଜୀଙ୍କର କୌଣସି ସହାନୁଭୂତି ନାହିଁ । ଟିଏମସି କର୍ମୀ ପଶ୍ଚିମବଙ୍ଗରେ ଗୁଣ୍ଡା ସାଜିଛନ୍ତି । ଆଉ ସେମାନଙ୍କୁ ମମତା ସରକାର ସୁରକ୍ଷା ଦେଉଛନ୍ତି । କେବଳ ନିର୍ବାଚନ ବେଳେ ପ୍ରବାସୀ ଓଡ଼ିଆଙ୍କ ଭୋଟ ମମତାଙ୍କୁ ଦରକାର । କିନ୍ତୁ ଭୋଟ ସରିଲେ ପ୍ରବାସୀଙ୍କୁ ପର କରି ଦେଉଛନ୍ତି ମମତା ବାନାର୍ଜୀ । ପ୍ରବାସୀ ଓଡ଼ିଆଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମମତା ଚୁପ୍ ରହୁଛନ୍ତି । ଅନ୍ୟ ପଟେ ମମତା ବାନାର୍ଜୀଙ୍କ ଏହି ବେପରୁଆ ବୟାନ ବିରୋଧରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲୁନାହାନ୍ତି । ଘଟଣାକୁ ନେଇ ନବୀନ ପଟ୍ଟନାୟକ ନୀରବତା ଉଭୟଙ୍କ ମହିଳାବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ସହିତ ଘନିଷ୍ଠତାକୁ ବି ସ୍ପଷ୍ଟ କରିଛି । ବିଭିନ୍ନ ଘଟଣାରେ ଉଭୟ ପରସ୍ପରକୁ ସମର୍ଥନ ଦିଅନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ବି ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରି ନାରୀ ସୁରକ୍ଷା ଏବଂ ଓଡ଼ିଆବାସୀଙ୍କ ପ୍ରତି ତାଙ୍କ ହେୟ ମନୋଭାବକୁ ପ୍ରଦର୍ଶିତ କରିଛନ୍ତି ବୋଲି ଡା.ବିଶ୍ୱାଳ କହିଛନ୍ତି । ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ଶ୍ରୀମତୀ ଅର୍ଚ୍ଚନା ନାୟକ, ଉପସଭାପତି ଡ.ରଂଜିତା ସେଠୀ, ସାଧାରଣ ସଂପାଦିକା ରଶ୍ମୀରେଖା ଦାଶଙ୍କ ସମେତ ମହିଳା ମୋର୍ଚ୍ଚାର ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା