ଖୋର୍ଦ୍ଧା, ୧୪ ଅକ୍ଟୋବର (ହି.ସ.)- ମଙ୍ଗଳବାର କାଇପଦର ଓ ବଙ୍ଗିଦା ପଞ୍ଚାୟତ ଅଧୀନରେ ଥିବା ଆଠଟି ବିଦ୍ୟାଳୟ ଓ ଦୁଇଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ କାଇପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ ଶିଶୁ ମହୋତ୍ସବ ସିଆରସିସି ବାଗେଶ୍ରୀ ମହାପାତ୍ରଙ୍କ ଅଧକ୍ଷତାରେ ଯଥାରିତି ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଇପଦର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବିଜୟ କୁମାର ଅରିସଲ ମୁଖ୍ୟ ଅତିଥି ତଥା ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ର କାର୍ଯ୍ୟରତ ଅଧକ୍ଷ ଉମେଶ କୁମାର ସାହୁ, ପୂର୍ବତନ ଅଧକ୍ଷ ପ୍ରତାପ କିଶୋର ଛୋଟରାୟ, ସମାଜସେବୀ ଭିକାରୀ ଚରଣ ବଳିୟାର ସିଂହ, ଶିକ୍ଷା ବିତ ରଜନୀକାନ୍ତ ରାଉତରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଭା ଉଦଘାଟନ କରିଥିଲେ ଓ ପ୍ରତିଯୋଗିତା ପରିଚାଳନା କରିଥିଲେ ଚିତ୍ରାଙ୍କନ, ବକ୍ତୃତା, ସାଧାରଣ ଜ୍ଞାନ, ସଂଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବାରଟି ବିଭାଗ ତଥା ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମଧ୍ୟ ଅନୁରୂପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଦ୍ଵିତୀୟାର୍ଦ୍ଧରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଡଖଣ୍ଡିଆର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଟୁନୀ ଦେଈ, ତ୍ରିଲୋଚନ ବେହେରା, ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଆଶିଷ କୁମାର ରାୟ, ପ୍ରାଥମିକ ଶିକ୍ଷକ ସଂଘର ଉପ ସଭାପତି ଅଗାଧୁ ସେଠୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବୀନ୍ଦ୍ର ନାଥ ସାହୁ, ମନୋରମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଯେଉଁ ପିଲାମାନେ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ସିଆରସିସି ସୂଚନା ପ୍ରଦାନ କରିଥିଲେ । ଶେଷରେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବ କିଶୋର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ