କେନ୍ଦୁଝର, ୧୪ ଅକ୍ଟୋବର (ହି.ସ.)- କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ୫୭ ଜଣ ଅତିଥି ଅଧ୍ୟାପକ ୩ ମାସ ହେଲା ଦରମା ନପାଇ ଆନ୍ଦୋଳନରେ ବସିଛନ୍ତି । ଗତ ୩ ମାସ ଧରି ଏହି ଅତିଥି ଅଧ୍ୟାପକମାନେ ଶିକ୍ଷାଦାନ, ପରୀକ୍ଷା ନିୟନ୍ତ୍ରଣ, ପରୀକ୍ଷା ଖାତା ମୂଲ୍ୟାୟନ ସହ ବିଭିନ୍ନ ଆଲୋଚନାଚକ୍ରରେ ଅଂଶଗ୍ରହଣ କରୁଥିବା ସତ୍ତ୍ୱେ, ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିପାରୁନାହିଁ । ଅନ୍ୟ ବିଶ୍ଵବିଦ୍ୟାଳୟରେ, ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ପୁନଃ ନିଯୁକ୍ତି ପତ୍ର ଦେବା ସହ, ସେମାନଙ୍କୁ ଦରମା ପ୍ରଦାନ କରାଯାଉଛି । ଏଠାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ତଦନ୍ତ କମିଟି ଏସମ୍ପର୍କରେ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ୯ ତାରିଖରେ ଜଣେ ସିଣ୍ଡିକେଟ୍ ସଭ୍ୟଙ୍କୁ ନେଇ ଏସମ୍ପର୍କରେ ଆଲୋଚନା ଶେଷ ହୋଇଥିବା ବେଳେ, ଅତିଥି ଅଧ୍ୟାପକମାନେ ସେମାନଙ୍କ ପ୍ରାପ୍ୟ ନପାଇବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଅନ୍ୟପଟେ, ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ, ଅତିଥି ଅଧ୍ୟାପକମାନେ ଆନ୍ଦୋଳନ ନକରିବାକୁ ଅନୁରୋଧ କରିଛନ୍ତି ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର୍ । ଗତ ଜୁନ୍ ୩୦ ତାରିଖରେ ଅତିଥି ଅଧ୍ୟାପକମାନଙ୍କର କଣ୍ଟ୍ରାକ୍ଟ ସମୟସୀମା ଶେଷ ହୋଇଥିବା ବେଳେ, ଏହାକୁ ବୃଦ୍ଧି କରିବାକୁ ସରକାରଙ୍କୁ ଚିଠି ଦ୍ଵାରା ଅବଗତ କରାଯାଇଥିବା ସେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA