ବାରିପଦା, ୧୪ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲା (ପଞ୍ଚମ ଅନୁସୂଚୀ ଅଞ୍ଚଳ)କୁ ବିଭାଜନ କରି ସ୍ଵତନ୍ତ୍ର ରାଇରଙ୍ଗପୁର ଜିଲ୍ଲା ଘୋଷଣା ଉଦ୍ୟମକୁ ଦୃଢ ବିରୋଧ କରିବା ସହିତ ସେମିତି ପଦକ୍ଷେପ ନିଆଗଲେ ତୀବ୍ର ଆନ୍ଦୋଳନ କରାଯିବା ନେଇ ଜିଲ୍ଲା ପେସା ଗ୍ରାମସଭା କୋର୍ଡିନେସନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଏ ସମ୍ପର୍କରେ ଏହି କୋର୍ଡିନେସନ କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୭ ଦଫା ଦାବି ସମ୍ବଳିତ ଏକ ସ୍କାରକପତ୍ର ଉପ ଜିଲ୍ଲାପାଳ ଜରିଆରେ ପ୍ରଦାନ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମିଶ୍ରଣ ସମୟରେ ସହମତି ଅନୁଯାୟୀ ସମଗ୍ର ମୟୂରଭଞ୍ଜ ଜିଲାକୁ ବିଶେଷ ଭାବେ ଅନୁସୂଚିତ ଅଞ୍ଚଳ ଭାବରେ ବିବେଚନା କରାଯାଇଥିଲା। ତଦନୁସାରେ ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚୀରେ ମୟୂରଭଞ୍ଜ ଜିଲାର ଅନୁସୂଚିତ ଅଞ୍ଚଳର ପ୍ରଶାସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଥିଲା। କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ ଯେ ଆଜି ପର୍ଯ୍ୟନ୍ତ ମୟୂରଭଞ୍ଜ ମିଶ୍ରଣ ଚୁକ୍ତିନାମାର ଗୋଟିଏ ବି ଧାଡି ପାଳନ କରାଯାଇ ନାହିଁ। ମିଶ୍ରଣ ଚୁକ୍ତିନାମାରେ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚୀର ବ୍ୟବସ୍ଥା ଅନୁଯାୟୀ ମୟୂରଭଞ୍ଜ ଜିଲାର ଆଦିବାସୀ ଲୋକଙ୍କ ଅଧିକାର ଓ ସୁବିଧା ସୁରକ୍ଷିତ ରଖାଯିବ। ମାତ୍ର ଭାରତ ସମ୍ବିଧାନ କାର୍ଯ୍ୟକାରୀ ହେବା ପରଠାରୁ ମୟୂରଭଞ୍ଜ ଜିଲା ଆଦିବାସୀ ମାନେ ସେମାନଙ୍କର ବିସ୍ଥାପନ ପାଇଁ ଉଦ୍ୟମ କରାଯାଉଥିବା ଅନୁଭବ ରଖୁଛନ୍ତି।
ଗତ ୧୯୯୨-୯୩ ମସିହାରେ ଓଡିଶାରେ ୧୭ଟି ନୂତନ ଜିଲା ଗଠନ କରାଯାଇଥିଲା ସୁଦ୍ଧା ମିଶ୍ରଣ ଚୁକ୍ତିନାମା ଅନୁଯାୟୀ ଭାରତୀୟ
ସମ୍ବିଧାନର ପଞ୍ଚମ ଅନୁସୂଚୀରେ ଅନ୍ତର୍ଭୁକ୍ତ ଏହି ମୟୂରଭଞ୍ଜ ଜିଲା ଅବିଭକ୍ତ ରହିଯାଇଥିଲା। ଏଣୁ ମୟୂରଭଞ୍ଜ ଜିଲାର ବିଭାଜନର ପ୍ରଶ୍ନ ଉଠିଲେ ବ୍ରିଟିଶ ଶାସନ ସମୟରେ ଯେପରି ସ୍ବତନ୍ତ୍ର ମୟୂରଭଞ୍ଜ ରାଜ୍ୟ ପାଇଁ ଜନ ଆନ୍ଦୋଳନ ହୋଇଥିଲା, ସେହିପରି ପୁନର୍ବାର ତୀବ୍ର ଆନ୍ଦୋଳନ ସଂଗଠିତ କରାଯିବାକୁ ଆଦିବାସୀ ବାଧ୍ୟ ହେବେ ବୋଲି ଜିଲା ପେସା ଗ୍ରାମସଭା କୋର୍ଡିନେସନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ପେସା ଗ୍ରାମସଭା ଜିଲା କୋର୍ଡିନେସନ କମିଟିର ସଭାପତି ପାଣ୍ଡୁରାମ ହେମ୍ବ୍ରମ ଓ ସମ୍ପାଦକ ନାନାରାମ ମୁର୍ମୁଙ୍କ ନେତୃତ୍ୱରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ