ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଜିଲ୍ଲା ସମାଜ ମଙ୍ଗଳ କାଯ୍ୟାଲୟ ,ଭଦ୍ରକ ଦ୍ୱାରା ଜିଲ୍ଲାପାଲ ଭଦ୍ରକଙ୍କ ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପାଳିତ ହୋଇଯାଇଛି । ଉକ୍ତ କାୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଲ ଦିଲୀପ ରାଉତରାୟ ଯୋଗ ଦେଇ ଅଙ୍ଗନବାଡି କେନ୍ଦ୍ର ହେଉଛି ଏକ ସୁସ୍ଥ ଶିଶୁ ସୃଷ୍ଟି କରିବାର ଏନ୍ତୁଡ଼ିଶାଳ ବୋଲି ବର୍ଣ୍ଣନା କରିଥିଲେ। ଅଙ୍ଗନବାଡି କର୍ମୀ ଓ ସମସ୍ତ ଆଈସିଡିଏସ କର୍ମୀ ମାନଙ୍କ କାଯ୍ୟକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଆହୁରି କିପରି କ୍ରିୟାଶୀଳ କରି ପ୍ରତ୍ୟେକ ହିତାଧିକାରୀ ଙ୍କ ପାଖକୁ ସେବା ପହଂଚା ଯାଇପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଲ ସରୋଜ କୁମାର ଦତ କାୟ୍ୟକ୍ରମରେ ଯୋଗ ଦେଇ ଏହି ୮ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ର ସମସ୍ତ ଥିମକୁ ଯେପରି ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ କାଯ୍ୟକାରୀ କରାଯାଇ ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଆରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ଡାଃ ମୀନକେତନ ମହାନ୍ତି, ସିନିୟର କନ୍ସଲଟାଣ୍ଡ, ମେଡିସିନ ଯୋଗ ଦେଇ ମେଧବହୁଳତାର କାରଣ, ମେଧବହୁଳତା ହ୍ରାସ ପାଇଁ ସ୍ୱସ୍ଥ ଜୀବନଶୈଳୀର ଗୁରୁତ୍ୱ, ସ୍ୱାସ୍ଥ୍ୟ ଓ ସମାଜ ଉପରେ ମେଧବହୁଳତାର ପ୍ରଭାବ ଓ ଖାଦ୍ୟରେ ଚିନି, ଲୁଣ, ଓ ତେଲର ବ୍ୟବହାର କମ କରି ଏହାକୁ ପ୍ରତିରୋଧ କରାଯାଇପାରିବ ବୋଲି ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରିଣୀ ଉର୍ମିଲା ଗୋଛାୟାତ ପୁରୁଷଙ୍କ ସହଭାଗୀତା: ସୁସ୍ଥ ମା ଓ ଶିଶୁ ପାଇଁ ପରିବାରରେ ପୁରୁଷଙ୍କ ସହଭାଗିତା, ସ୍ୱସ୍ଥ ପରିବାର ଗଠନରେ ପୁରୁଷଙ୍କ ଭୂମିକା ମହିଳାଙ୍କ ସହ ସମାନ ଗୁରୁତ୍ୱପୂର୍ଣ୍ଣ ଓ ପୁରୁଷଙ୍କ ସହଭାଗିତା ଦ୍ୱାରା ମାତୃ ଓ ଶିଶୁ କଲ୍ୟାଣରେ ଦ୍ରୁତ ପରିବର୍ତନ ସମ୍ଭବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲୀ ମିତ୍ର ପ୍ରାରମ୍ଭିକ ଅଭିଭାଷଣ ଦେବା ସଙ୍ଗେ ସଙ୍ଗେ ଆଦ୍ୟ ଶୈଶବ ଅବସ୍ଥାରେ ଯତ୍ନ ଓ ଶିକ୍ଷା ଜରିଆରେ ୦-୩ ବର୍ଷର ଶିଶୁଙ୍କ ବୌଦ୍ଧିକ ବିକାଶକୁ ପ୍ରାଧାନ୍ୟ ଦେବା ଏବଂ ପୋଷଣ ବି ପଡ଼ାଇ ବି ମାଧ୍ୟମରେ ପ୍ରତିଟି ଶିଶୁକୁ ଉତମ ପୋଷଣ ସହ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଚନ୍ଦ୍ରା ସାହୁ ନବଜାତ ଓ ଶିଶୁଙ୍କୁ ଉତମ ପୋଷଣ ପ୍ରଦାନ ପାଇଁ ସ୍ତନ୍ୟପାନ ଓ ସଠିକ ଖାଦ୍ୟଭାସ ଏବଂ ସ୍ୱଦେଶୀ ପାଈଁ ସ୍ୱର - ସ୍ଥାନୀୟ ପୌଷ୍ଟିକ ଖାଦ୍ୟ: ସୁସ୍ଥ ସମାଜ ଗଠନରେ ଭୋକଲ ଫର ଲୋକାଲ , ସ୍ୱଦେଶୀ ପଦାର୍ଥ ବ୍ୟବହାରର ଗୁରୁତ୍ୱ ଓ ତାର ଉପକାରିତା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସଂଯୋଜକ ପୋଷଣ ଏସକେ ସିରାଜ ଅକ୍ତର ସମନ୍ୱିତ କାର୍ଯ୍ୟପଦ୍ଧତି:ସାମାଜିକ କଲ୍ୟାଣ ପାଈଁ ଏକ ନୂଆ ପଦକ୍ଷେପ ଓ ଡିଜିଟାଲିକରଣର ଗୁରୁତ୍ୱ: ସେବା ପ୍ରଦାନରେ ସହଜତା ଉପରେ ଅଭିଭାଷଣ ରଖିଥିଲେ । ମୁଖ୍ୟଅତିଥି ଜିଲ୍ଲାପାଲ ଭଦ୍ରକଙ୍କ କରକମଳରୁ ବିତର୍କ , ରଚନା ଓ କୁଇଜ ପ୍ରତିଯୋଗିତାର ବିଜେତା ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ । ୮ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ରେ ସର୍ବାଧିକ କାୟ୍ୟକ୍ରମ କରି ଭଦ୍ରକ ଆଈସିଡିଏସ, ଧାମନଗର ଆଈସିଡିଏସ ଏବଂ ଭଣ୍ଡାରୀପୋଖରୀ ଆଈସିଡିଏସ ଯଥାକ୍ରମେ ପ୍ରଥମ, ଦୃତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଉକ୍ତ କାୟ୍ୟକ୍ରମରେ ସିଡିପିଓ, ଆଈସିଡିଏସ ସୁପରଭାଇଜର, ବ୍ଲକ କୋଡିନେଟର ପୋଷଣ, ଅଙ୍ଗନବାଡି କର୍ମୀ, ସୁଭଦ୍ରା ହେଲପଡେସ୍କ ଏବଂ କିଶୋରୀ ବାଳିକା ମାନେ ଯୋଗଦାନ କରିଥିଲେ । ସମସ୍ତ ଆଈସିଡିଏସ ସେମାନଙ୍କର ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥର ପ୍ରଦର୍ଶନ କରିଥିଲେ । ସର୍ବ ଶେଷରେ ପ୍ରୋଗ୍ରାମ ଅଫିସର ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ ଏବଂ ସଭା ସାଂଘ କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ