ଚମ୍ପୁଆ, ୧୪ ଅକ୍ଟୋବର (ହି.ସ.)- ମେର୍ମେଦା ନାଳରୁ ଚୋରାରେ ବାଲି ଚାଲାଣ ଉପରେ ରୋକ ଲଗାଇ ପାରୁନାହିଁ ବିଭାଗ। ଫଳରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ସୀମା ଟପିବାକୁ ବସିଛି। ବାଲି ମାଫିଆ ସ୍ଥାନୀୟ ବାସିନ୍ଦାଙ୍କୁ ନାଲି ଆଖି ଦେଖାଇ ଦିନ ରାତି ବେଧଡ଼କ ବାଲି ଖୋଳି ନେଉଛନ୍ତି । ଗ୍ରାମବାସୀ ବିରୋଧ କଲେ ନିଶା ଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହେଉଛି । ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭୂଇଁପୁର ପଞ୍ଚାୟତର କମଣ୍ଡ ଗ୍ରାମ ଓ ଜାଲି ପଞ୍ଚାୟତର କୁଟପଶି ଗ୍ରାମ ମଧ୍ୟଦେଇ ଯାଇଥିବା ମେର୍ମେଦା ନାଳରୁ ବାଲି ଦୈନିକ ଦିନ ରାତି ଚୋରା ଚାଲାଣ ହେଉଥିଲେ ମଧ୍ୟ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଗାଁ କଂକ୍ରିଟ ରାସ୍ତା ଗୁଡିକରେ ଦୈନିକ ଅହରହ ବାଲି ବୋଝେଇ ଟ୍ରାକ୍ଟର ଦୃତ ଗତିରେ ଯିବା ଆସିବା କରୁଥିବାରୁ ରାସ୍ତା ଗୁଡିକର ସ୍ଥାୟିତ୍ଵ ରହୁ ନାହିଁ। ସେହିପରି ଶିରିକୁଆଁ ଠାରୁ ଛେଲିଆନାଳ କଂକ୍ରିଟ ରାସ୍ତା ନଷ୍ଟ ହେବାକୁ ବସିଲାଣି। ସରକାର ଲୋକଙ୍କ ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁ ଦାଣ୍ଡ କଂକ୍ରିଟ କରୁଥିବା ବେଳେ ବାଲି ମାଫିଆ ମାନେ ବାହୁବଳ ଦେଖାଇ ଗ୍ରାମବାସୀଙ୍କ କଥାଙ୍କୁ ଭ୍ରୁକ୍ଷେପ ନ କରି ଦିନ ରାତି ବେଧଡ଼କ ବାଲି ଚୋରା ଚାଲାଣ କରୁଛନ୍ତି। ଗ୍ରାମବାସୀ କେହି କିଛି କହିଲେ ଓଲଟା ନାଲି ଆଖି ଦେଖାଉଥିବା ଅଭିଯୋଗ ହେଉଛି। ମାଫିଆ ମାନେ ଦିନ ରାତି ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ କରି ମାଲେ ମାଲ ହେଉଛନ୍ତି। ବିଭାଗ ସବୁ ଜାଣି ମଧ୍ୟ ନ ଜାଣିଲା ପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଥିବାରୁ ଦୈନିକ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ଘଟୁଛି । ଚୋରା ବାଲି ଚାଲାଣ ହେଉଥିବା ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ଠାରୁ ନେଇ ଲଘୁ ଖଣିଜ ବିଭାଗ ଅଧିକାରୀ ସମସ୍ତଙ୍କୁ ସ୍ଥାନୀୟ ଲୋକେ ବାରମ୍ବାର ଅବଗତ କରୁଥିଲେ ମଧ୍ୟ ଦୈନିକ ବେଧଡ଼କ ଚୋରା ବାଲି ଚାଲାଣକୁ ରୋକିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ରାତି ଅନ୍ଧାରରେ ଚୋରା ଚାଲାଣ କରୁଥିବା ବାଲି ମାଫିଆ ଏବେ ନିର୍ଭୟରେ ଦିନ ବେଳେ ଖୁଲମଖୁଲା ବାଲି ଚୋରା ଚାଲାଣ କରୁଛନ୍ତି। ଫଳରେ ମାଫିଆ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବାଲି ମାଫିଆ ମାନେ କିଛି ତଳିଆ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଅବାଧ ଚୋରା ବାଲି ଚାଲାଣ କରୁଥିବା କୁହାଯାଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଦିନସାରା ବାଲି ଚାଲାଣ ହେଉଥିବା ସମୟରେ ଟ୍ରାକ୍ଟର ଡ୍ରାଇଭର ମାନେ ଦ୍ରୁତ ଗତିରେ ବେପରୁଆ ଭାବେ ଗାଡି ଚାଳନା କରୁଥିବାରୁ ସ୍କୁଲ ପିଲାଙ୍କ ଯିବା ଆସିବା ପ୍ରତି ବିପଦ ସୃଷ୍ଟି ହେବା ସହିତ ସାଧାରଣ ଧନ ଜୀବନ ମଧ୍ୟ ଅସୁରକ୍ଷିତ ହୋଇ ପଡିଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବୀ ହେଉଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta