ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ
ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ-୨୦୨୫
ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ-୨୦୨୫


ସମ୍ବଲପୁର, ୧୪ ଅକ୍ଟୋବର (ହି.ସ.) ( ଦୁର୍ଘଟଣା ୧୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ୯ ପ୍ରତିଶତ ହ୍ରାସ ପାଇଛି )

ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳୀରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ , ଡିଏଫ୍ଓ ଜାଧବ ସୁଦର୍ଶନ ଗୋପୀନାଥ, ସମ୍ବଲପୁର ମହାନଗର ନିଗମର କମିସନର ରେହାନ୍ କ୍ଷେତ୍ରୀ, ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଡ. ସତ୍ୟନାରାୟଣ ନନ୍ଦ, ପ୍ରଶିକ୍ଷଣ ଅଧୀନ ଅଧିକାରିଣୀ ଶୁଭ୍ରା ପଣ୍ଡା, ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ରାମଦାସ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ୨୦୨୪ ଓ ୨୦୨୫ ମସିହାର ଜାନୁଆରୀରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଘଟିଥିବା ଦୁର୍ଘଟଣା ତଥ୍ୟ, ଦୁର୍ଘଟଣା ର କାରଣ, ଇନଫୋର୍ସମେଣ୍ଟ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ତଥ୍ୟ ଅନୁସାରେ ୨୦୨୪ (ଜାନୁଆରୀ - ସେପ୍ଟେମ୍ବର) ମସିହାରେ ମୋଟ ୪୦୩ ଦୁର୍ଘଟଣା ଘଟିଥିଲା, ଯେଉଁଥିରୁ ୧୮୨ ଫାଟାଲ ଓ ୧୪୦ଜଣ ଗୁରୁତର ଆହତ ହୋଇଥିଲେ। ୨୦୨୫ ମସିହାରେ (ଜାନୁଆରୀ - ସେପ୍ଟେମ୍ବର) ଏହି ସଂଖ୍ୟା କମି ୩୪୩ ଦୁର୍ଘଟଣା ହୋଇଛି, ଯେଉଁଥିରୁ ୧୬୫ ଫାଟାଲ୍ ଓ ୧୧୭ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ତଥ୍ୟ ଅନୁସାରେ ଗତବର୍ଷ (୨୦୨୪) ତୁଳନାରେ ଏବର୍ଷ (୨୦୨୫) ରେ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଦେଖାଯାଇଛି, ଯାହାର ମୂଳ କାରଣ ହେଉଛି ସଚେତନତା ଅଭିଯାନ, ଯାତାୟାତ ନିୟମ ପାଳନ ଓ ଏନଫୋର୍ସମେଣ୍ଟ କାର୍ଯ୍ୟକଳାପ ବୃଦ୍ଧି । ଆଜି ଉଭୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ମରାମତି, ପାର୍କିଂ ସମସ୍ୟା, ଉପଯୁକ୍ତ ସଙ୍କେତ ର ବ୍ୟବହାର, ସର୍ଭିସ୍ ରୋଡ୍ ରେ ପାର୍କିଂ ସମସ୍ୟା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଏହି ସବୁ ସମସ୍ୟାର ମୁକାବିଲା ପାଇଁ ଅଧିକ ସଂଖ୍ୟାର ବ୍ଲାକ୍ ସ୍ପଟ୍/ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନିତ କରି ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ। ଉଦ୍ୟୋଗ ଓ ଶିଳ୍ପ କ୍ଷେତ୍ରର ସମ୍ପର୍କିତ କର୍ମଚାରୀମାନେ ନିଜ ଶିଳ୍ପ କ୍ଷେତ୍ର ଓ ପରିସରରେ ସଫା-ସୁତୁରା ରଖିବା, ରୋଡ୍ ସାଇନେଜ୍ ଲଗେଇବା, ଧୁଳି ହଟାଇବା ପାଇଁ ଫଗ୍ ସ୍ପ୍ରେ ଠିକ୍ ଭାବରେ କରିବା, ପ୍ରୟାପ୍ତ ଆଲୋକ ବ୍ୟବସ୍ଥା କରିବା ଓ ସଡ଼କ ସୁରକ୍ଷା ନିୟମ ଅନୁସରଣ କରିବା ପାଇଁ ଦାୟିତ୍ୱ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।ସେ ଏହା ମଧ୍ୟ କହିଛନ୍ତି ଯେ ଜରୁରୀକାଳୀନ ସମୟରେ ସେବା ଠିକ୍ ସମୟରେ ପହଞ୍ଚିବା ଉଚିତ୍ । ବିଶେଷ କରି ଦୁର୍ଘଟଣା ପ୍ରବଳ ଅଞ୍ଚଳରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande