ଓଡ଼ିଶା ଓ ତୋତୋରି ସହିତ ଶିଳ୍ପ ଓ ବୈଷୟିକ ବିଦ୍ୟା ଆଦାନ ପ୍ରଦାନ ସମ୍ପର୍କିତ ସହଯୋଗିତା ନେଇ ଆଲୋଚନା
ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ.)- ଜାପାନର ତୋତୋରି ପ୍ରିଫେକ୍ଟରାଲ ସରକାରଙ୍କ ଏକ ୮ ଜଣିଆ ପ୍ରତିନିଧି ଦଳ ଗତକାଲି ସୋମବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହିତ ଏକ ବୈଠକରେ ସାକ୍ଷାତ ଆଲୋଚନା କରିଥିଲେ । ଲୋକସେବା ଭବନ ସ୍ଥିତ ସମ୍ମିଳନୀ
କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ତୋତୋରି ସରକାରଙ୍କ ବାଣିଜ୍ୟ ଓ ଲଜିଷ୍ଟିକ୍ ବିଭାଗର ନିର୍ଦ୍ଦେଶକ ଆକିଫୁମି ସିମିଜୁ ଏବଂ ଏହି ବିଭାଗର ପ୍ରବାସୀ ବାଣିଜ୍ୟ ସହାୟତା ମୁଖ୍ୟ ରୋସୁକେ ୟାମାଗୁଚିଙ୍କ ସହିତ ଜାପାନର ଅନ୍ୟ ବାଣିଜ୍ୟ ଓ ଶିଳ୍ପ ପ୍ରତିନିଧିମାନେ ଯୋଗଦେଇଥିଲେ ।
ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ୨୦୨୪ ରେ ତୋତୋରି ପ୍ରିଫେକ୍ଟରାଲ ସରକାରଙ୍କ ଏହି ପ୍ରତିନିଧି ଦଳ ପ୍ରଥମ ଓଡ଼ିଶା ପରିଦର୍ଶନ କରିଥିଲେ । ଜାପାନର ପ୍ରଧାନମନ୍ତ୍ରୀ ସିଙ୍ଗେରୁ ଇସିବା ଯିଏକି ତୋତୋରିର ମୂଳ ଅଧିବାସୀ ରାଜନେତା ଅଟନ୍ତି , ଚଳିତ ବର୍ଷ ଅଗଷ୍ଟ ୨୦୨୫ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପରିଦର୍ଶନରେ ଯାଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ବୈଠକରେ ଯୋଗଦେଇ ଭାରତ ଓ ଜାପାନ ମଧ୍ୟରେ ବ୍ୟବସାୟିକ ଓ ବୈଷୟିକ ବିଦ୍ୟା ଆଦି କ୍ଷେତ୍ରରେ ସହଯୋଗିତା ସଂପର୍କରେ ଆଲୋଚନା କରିଥିଲେ ।
ଏହି ଦୃଷ୍ଟିରୁ ତୋତୋରି, ଜାପାନରୁ ଆସିଥିବା ଏହି ପ୍ରତିନିଧି ଦଳଙ୍କ ସହିତ ଉନ୍ନୟନ କମିଶନରଙ୍କ ବୈଠକ ଓଡ଼ିଶା ସହ ତୋତୋରି ସରକାରଙ୍କ ସହଯୋଜନା ନେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଆଗ୍ରହପ୍ରଦ ଥିଲା । ପ୍ରକାଶ ଥାଉକି, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ଗତ ସେପ୍ଟେମ୍ବର ୨୦୨୫ ରେ ଭାରତୀୟ ଦୂତାବାସ ତରଫରୁ ଆୟୋଜିତ ତୋତୋରି ଦିବସରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ଭାରତ-ଜାପାନ ସହଭାଗିତା ଏବଂ ତୋତୋରି ସଂପର୍କିତ ଆଲୋଚନାରେ ଜଳ ସଂପଦର ବିକାଶ ଏବଂ ବୈଷୟିକ ଜ୍ଞାନ କୌଶଳର ଆଦାନ ପ୍ରଦାନ ସଂପର୍କରେ ଆଲୋକପାତ କରିଥିଲେ । ତୋତୋରିର ବୈଷୟିକ ବିଶେଷଜ୍ଞତା ଓ ଜଳ ପରିଚାଳନାକୁ ଆଧାର କରି ଓଡ଼ିଶାର ଜଳବାୟୁ ସହନଶୀଳ ଜଳସଂପଦ ଭିତ୍ତିଭୂମି, ଭୂତଳ ଜଳ ସଂରକ୍ଷଣ ଏବଂ ଉପକୂଳ ପରିଚାଳନା ସଂପର୍କରେ ଉନ୍ନୟନ କମିଶନର ତୁଳନାତ୍ମକ ଅଭିବ୍ୟକ୍ତି ପ୍ରକାଶ କରିବା ସହିତ ଏ କ୍ଷେତ୍ରରେ ସହଯୋଗିତା ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ଓଡ଼ିଶାରେ ଉନ୍ନୟନ କମିଶନରଙ୍କ ସହିତ ଅନୁଷ୍ଠିତ ଏହି ବୈଠକରେ ଭାରତ ଓ ତୋତୋରି ସରକାରଙ୍କ ସହଯୋଗିତା ସଂପର୍କିତ ଆଲୋଚନାରେ ଓଡ଼ିଶାର ଆର୍ôଥକ ଓ ଶିଳ୍ପ କ୍ଷେତ୍ରରେ ସହଯୋଗିତା, ଦକ୍ଷତା ବିକାଶ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଉପଯୋଗିତା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ତୋତୋରିର ଆକର୍ଷଣୀୟ ସୌନ୍ଦର୍ଯ୍ୟ ସମେତ ଏହାର ବିକାଶରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ସଂପର୍କରେ ପ୍ରତିନିଧିମାନେ ଉପସ୍ଥାପନ କରିଥିଲେ । ପ୍ରତିନିଧିମାନେ କହିଥିଲେ ଯେ, ଜାପାନର ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଦକ୍ଷ କର୍ମଚାରୀ ଯୋଜନାରେ ଭାରତର ଯୁବକଯୁବତୀମାନେ ତାଲିମ ନେଉଛନ୍ତି ଏବଂ ତୋତୋରି ସମେତ ଜାପାନର ଶିଳ୍ପ, କୃଷି,ନର୍ସିଂ ସେବା ଏବଂ ଉତ୍ପାଦନଭିତ୍ତିକ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । ଇତି ମଧ୍ୟରେ ଜାପାନର ଏହି ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ । ଓଡ଼ିଶାରେ ଦକ୍ଷ ମାନବ ସମ୍ବଳର ସହଯୋଗିତା ନେଇ ତୋତୋରି ସରକାର ଆଗ୍ରହ ପ୍ରକାଶ କରୁଥିବା ସଂପର୍କରେ ପ୍ରତିନିଧିମାନେ ପ୍ରକାଶ କରିଥିଲେ । ଓଡ଼ିଶାରେ ସ୍ମାର୍ଟ କୃଷି ଟେକ୍ନୋଲୋଜି ଟ୍ରାନ୍ଫର, ଜଳ, ପରିମଳ ଓ ବର୍ଜ୍ୟ ଜଳ ପରିଚାଳନା ଆଦି କ୍ଷେତ୍ରରେ ସହଯୋଗିତା ନେଇ ଆଲୋଚନା କରାଯାଇଥିଲା ।
ତୋତୋରି ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଉନ୍ନୟନ କମିଶନର ସନ୍ତୋଷ ପ୍ରକାଶ କରିଥିଲେ । ତୋତୋରିର ଅଭିନବ ଜ୍ଞାନକୌଶଳ ଓ ଜାପାନର ଦୀର୍ଘ ବର୍ଷର ଉନ୍ନତ ବୈଷୟିକ ଅଭିଜ୍ଞତା ଉପଯୋଗ କରିବା ନେଇ ଓଡ଼ିଶା ସରକାରଙ୍କ ତରଫରୁ ଆବଶ୍ୟକ ସହଯୋଗିତା ସଂପର୍କରେ ଉନ୍ନୟନ କମିଶନର ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ତତୋରି ପ୍ରତିନିଧିମାନଙ୍କୁ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପରିଦର୍ଶନ କରି ସମ୍ଭାବ୍ୟ ସହଯୋଗିତା ସଂପର୍କରେ ପରାମର୍ଶ ନେଇଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀଙ୍କ ସମେତ ରାଜ୍ୟ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା