ବଲାଙ୍ଗୀର ଜିଲ୍ଲାରେ ଦାଦନ ପରିଚାଳନା ରେ ପ୍ରଶାସନ ବିଫଳ, ବାହାର ରାଜ୍ୟରୁ ଫେରୁଛି ଦାଦନର ଶବ
ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ଜିଲ୍ଲା ହେଉଛି କେବିକେ ଅଂଚଳର ଏକ ଦାଦନ ପ୍ରବଣ ଜିଲ୍ଲା। ଗତ ୪୦ବର୍ଷ ହେଲା ଏହା ବର୍ଷକୁ ବର୍ଷ ବଢିଚାଲିଛି। ସରକାର ଗରୀବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ତାହା ଦାଦନ ସମସ୍ୟାକୁ ରୋକିବାରେ ଫେଲ ମାରିଛି। ଗତ ନବୀନ ସରକାର ଅମଳରେ ଏହାକୁ ରୋକିବାର ପ୍ରୟାସ କ
ବଲାଙ୍ଗୀର ଜିଲ୍ଲାରେ ଦାଦନ ପରିଚାଳନା ରେ ପ୍ରଶାସନ ବିଫଳ, ବାହାର ରାଜ୍ୟରୁ ଫେରୁଛି ଦାଦନର  ଶବ


ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ଜିଲ୍ଲା ହେଉଛି କେବିକେ ଅଂଚଳର ଏକ ଦାଦନ ପ୍ରବଣ ଜିଲ୍ଲା। ଗତ ୪୦ବର୍ଷ ହେଲା ଏହା ବର୍ଷକୁ ବର୍ଷ ବଢିଚାଲିଛି। ସରକାର ଗରୀବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ତାହା ଦାଦନ ସମସ୍ୟାକୁ ରୋକିବାରେ ଫେଲ ମାରିଛି। ଗତ ନବୀନ ସରକାର ଅମଳରେ ଏହାକୁ ରୋକିବାର ପ୍ରୟାସ କରିଥିଲେ କିନ୍ତୁ ସରକାର ଏଥିରେ ବିଫଳ ହୋଇଥିଲେ। ମୁଖ୍ୟତଃ ବଲାଙ୍ଗୀର ଜିଲ୍ଲାର ଯୁବକମାନଙ୍କ ବେରୋଜଗାରୀ ସମସ୍ୟାରୁ ଦାଦନ ସଂଖ୍ୟା ବଢି ଚାଲିଛି। ଯୁବକମାନେ ପାଠ ପଢିଥିଲେ ହେଁ ନିଯୁକ୍ତି ପାଉନଥିବା ତଥା ଜିଲ୍ଲାରେ କୌଣସି କାମଧନ୍ଦା ପାଉନଥିବାରୁ ବାହାର ରାଜ୍ୟମାନଙ୍କୁ ଯାଇ ସେଠାରେ ଇଟା ଗଢିବା, କପଡା, ସୁତା, ଲୁହା ପ୍ୟାକ୍ଟ୍ରୀମାନଙ୍କରେ ମଜୁରିଆ ଭାବରେ କାମ କରୁଛନ୍ତି। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ର ପାଟଣାଗଡ, ବେଲପଡା, ଖପ୍ରାଖୋଲ, ଟିଟିଲାଗଡ ଉପଖଣ୍ଡର ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ଇତ୍ୟାଦି ବ୍ଲକର ପ୍ରାୟ ଦଳିତ ଓ ଆଦିବାସୀ ମାନେ ରୋଜଗାର ପାଇଁ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି। ଗତ ୨୦୨୪ରେ ରାଜ୍ୟରେ ସରକାର ଶାସନ ଗାଦି ବଦଳିବା ପରେ ଲୋକମାନେ ଦାଦନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କିଛି ଠୋସ ପଦକ୍ଷେପ ନେବେ ବୋଲି ଆଶା କରିଥିଲେ। ଇତିମଧ୍ୟରେ ନୂତନ ସରକାରଙ୍କୁ ଦେଢବର୍ଷ ବିତିଗଲାଣି। କିନ୍ତୁ କେବଳ ଏକ ଟାକ୍ସଫୋର୍ସ ଗଠନ ଛଡା ଆଉ କିଛି ହୋଇନାହିଁ । ପାଟଣାଗଡ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଦାଦନ ସମସ୍ୟାର ମୁକାବିଲା ପାଇଁ ଏକ ଟାକ୍ସଫୋର୍ସ ଗଠନ କରିଛନ୍ତି। ଟାକ୍ସଫୋର୍ସ କମିଟି ପ୍ରାୟ ତିନିଟି ବୈଠକ କରି ଶ୍ରମ ଅଧିକାରୀ ମାନେ ଦାଦନ ଚାଲାଣ କୁ ରୋକିବାକୁ ରେଳ ଷ୍ଟେସନ ଗୁଡିକ ରେ ଜଗିବେ ବୋଲି ନିର୍ଦ୍ଦେଶନାମା ଜାରିକଲେ। ହେଲେ ଦେଖାଯାଇଛି ଯେ କଂଟାବାଞ୍ଜି, ଲାଠୋର,ଟିଟିଲାଗଡ ଇତ୍ୟାଦି ଷ୍ଟେସନରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି। ଅବଶ୍ୟ ଧର୍ମକୁ ଆଖିଠାର ନ୍ୟାୟରେ ପୋଲିସ ବିଭାଗ ଓ ଶ୍ରମବିଭାଗ କିଛି ସ୍ଥାନରୁ ଶ୍ରମିକମାନଙ୍କୁ ଉଦ୍ଧାର କରୁଥିବା ଖବର ଆସୁଛି। କିନ୍ତୁ ଏହା ଯେ,କେବଳ ଧର୍ମକୁ ଆଖିଠାର ବୋଲି ଅଭିଯୋଗ ହେଉଛି। ବଲାଙ୍ଗୀର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ତଥ୍ୟରୁ ଜଣାଯାଇଛି ଯେ,ପ୍ରତିବର୍ଷ ଲାଇସେନ୍ସପ୍ରାପ୍ତ ଶ୍ରମିକ ଠିକାଦାର ମାନଙ୍କ ଜରିଆରେ ବାହାର ରାଜ୍ୟକୁ ପ୍ରାୟ ୨୫ ହଜାର ଶ୍ରମିକ ଚାଲାଣ ହୋଇଥାନ୍ତି। କିନ୍ତୁ ପ୍ରକୃତରେ ଏହି ସଂଖ୍ୟା ଲକ୍ଷାଧିକ ବୋଲି ସ୍ୱେଚ୍ଛସେବୀ ସଂଗଠନ ମାନଙ୍କର ରିପୋର୍ଟରୁ ଜଣାଯାଏ। ସରକାର ସବୁବର୍ଷ ଦାଦନ ସମ୍ପର୍କିତ ତଥ୍ୟ ଲୁଚାଇ ଆସୁଥିଲେ। କିନ୍ତୁ ୨୦୨୦ ମସିହା ରେ କରୋନା ମହାମାରୀ ସମୟରେ ଯେଉଁ ଶ୍ରମିକମାନେ ଫେରିଥିଲେ ତାଙ୍କର ସଂଖ୍ୟା ଦେଢଲକ୍ଷ ଥିଲା। ଫଳରେ ସରକାରଙ୍କ ମିଥ୍ୟା ତଥ୍ୟ ଧରାପଡିଯାଇଥିଲା। କରୋନା ପରେ ଶ୍ରମିକମାନଙ୍କୁ ନିଯୁକ୍ତି ଦେବାକୁ ସରକାର ପ୍ରୟାସ ଆରମ୍ଭ କଲେ କିନ୍ତୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ଶ୍ରମିକ ସର୍ଦ୍ଦାର ଓ ରାଜନେତାଙ୍କ ମଧୁଚନ୍ଦ୍ରିକା ଏହାକୁ ଫସର ଫଟାଇଦେଲା। ପୁଣିଥରେ ଶ୍ରମିକମାନେ ଦାଦନ ହୋଇ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି। ମନରେଗା ଭଳି ଯୋଜନାରେ କାମକଲେ ଶ୍ରମିକମାନଙ୍କୁ ଉପଯୁକ୍ତ ପାଉଣା ମିଳୁନାହିଁ, ଶ୍ରମିକମାନଙ୍କ କାମ ମେସିନରେ କରାଯାଉଥିବା ଓ ଶ୍ରମିକମାନେ ଠକେଇର ଶୀକାର ହେଉଥିବାରୁ ନିଜ ଜିଲ୍ଲାରେ କାମ କରିବା ବଦଳରେ ବାହାର ରାଜ୍ୟରେ କାମ କରିବାକୁ ଯାଉଛନ୍ତି ବୋଲି ଅଭିଯୋଗ ଉଠୁଛି । ତେବେ ଦାଦନ ଯିବା ଏକ ମଜା ବୋଲି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏକ ଗଣମାଧ୍ୟମରେ ମତ ଦେଇଥିଲେ। ସେ କହିଥିଲେ ବାହାର ରାଜ୍ୟର ରୋଜଗାର ଯିଏ ପାଇଛି ସେ ନିଶ୍ଚୟ ଯିବ ବୋଲି କହିଥିଲେ। ବିଧାୟକଙ୍କ ଏହି ବକ୍ତବ୍ୟ ପରେ ବିଭିନ୍ନ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ବାହାର ରାଜ୍ୟକୁ ଦାଦନ ଖଟିଯାଇ ଅନେକ ଯୁବକ ଶବହୋଇ ଫେରୁଛନ୍ତି। ପ୍ରତିବର୍ଷ ଅନ୍ୟୁନ ୩୦ଜଣ ଯୁବକ/ଯୁବତୀ ତଥା ମହିଳାଙ୍କ ଶବ ଜିଲ୍ଲାକୁ ଫେରୁଥିବା ଜିନ୍ଦାବାଦ ଭଳି ସ୍ୱେଚ୍ଛାସେବୀ ସଂଗଠନ ଦାବି କରୁଛନ୍ତି। ଗତ ଦୁଇଦିନ ତଳେ ମୁରିବାହାଲ ଥାନା ଅନ୍ତର୍ଗତ ଜଇଁତରା ଗାଁର ଜଣେ ଶ୍ରମିକ ନେପାଳ ପଟ୍ଟନାୟକଙ୍କ ଶବ ଗାଁକୁ ଫେରିଛି। ତାଙ୍କର ପରିବାର ଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ ଏହି ଘଟଣାରେ ତଦନ୍ତ କରିବା ବଦଳରେ ମୃତଶ୍ରମିକଙ୍କ ପରିବାରବର୍ଗଙ୍କୁ ଧମକଦେଇ ଭୟଭିତ କରୁଥିବା ଅଭିଯୋଗ ହୋଇଛି। ଗତବର୍ଷ ଖୋଦ ପାଟଣାଗଡ ନିର୍ବାଚନ ମଣ୍ଡଳିରୁ କେବଳ ୧୬ଜଣ ଦାଦନ ଶ୍ରମିକଙ୍କ ଶବ ଫେରିଥିଲା। କିନ୍ତୁ ସରକାର ତଥାପି ନିଦାବିଷ୍ଣୁ ହୋଇ ରହିଛନ୍ତି। ଆହୁରି ଜଣାଯାଇଛି ଯେ,ମନରେଗା ଯୋଜନାରେ ପ୍ରତିବର୍ଷ ଦାଦନପ୍ରବଣ ୬ଟି ବ୍ଲକର ଶ୍ରମିକଙ୍କ ମଜୁରି ବର୍ଦ୍ଧିତ କରିବା ସହିତ ଅଧିକ ଦିନର କାମ ମଧ୍ୟ ଯୋଗାଇବାକୁ ନିର୍ଦ୍ଦେଶ କରିଥାନ୍ତି। କିନ୍ତୁ ଚଳିତବର୍ଷ ମନରେଗା ଯୋଜନାରେ ମଜୁରିକୁ ବୃଦ୍ଧି କରାଯାଇ ନାହିଁ କିମ୍ବା ଅଧିକ ଦିନର କାମ କରିବାକୁ ନିର୍ଦ୍ଦେଶ ଆସିନାହିଁ। ଫଳରେ ଯେଉଁ ପରିବାର ୧୦୦ଦିନର କାମ ସାରିବେ ସେମାନଙ୍କୁ ଆଉ କାମ ମିଳିବ ନାହିଁ। ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ବଲାଙ୍ଗୀର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ନାପସନ୍ଦ କରିବା ସହିତ ବିଜେପିର ଡବଲ ଇଞ୍ଜିନ ସରକାରଙ୍କ ଏହା ଡବଲ ଧୋକା ବୋଲି କହି ସମାଲୋଚନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande