ଜୟପୁର, ୧୫ ଅକ୍ଟୋବର (ହି.ସ.) - ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାରୀକବି ବିଦ୍ୟୁତ୍ପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ଉପଲକ୍ଷେ ଜାତୀୟ ସମ୍ମିଳନୀର ଆୟୋଜନ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ପ୍ରସିଦ୍ଧ କବୟିତ୍ରୀ ବିଦ୍ୟୁତ୍ପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ଉପଲକ୍ଷେ ଦୁଇଦିନିଆ ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଛି।
“କବି ବିଦ୍ୟୁତ୍ପ୍ରଭା ଦେବୀଙ୍କ କବିତା: ନବମୂଲ୍ୟାୟନ” ନାମକ ଏହି ସମ୍ମିଳନୀ ୧୬ ଓ ୧୭ ଅକ୍ଟୋବର ୨୦୨୫ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟର କୁଳପତି (ଭାରପ୍ରାପ୍ତ) ପ୍ରଫେସର ନରସିଂହ ଚରଣ ପଣ୍ଡା ଏହି ସମ୍ମିଳନୀର ଉଦଘାଟନ କରିବେ । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିଦ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଟଏଉ) ର ସଦସ୍ୟ ଓ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଚିଦାନନ୍ଦ ମହାନ୍ତି ଯୋଗ ଦେବେ । ପ୍ରଫେସର ମହାନ୍ତି, ହେଉଛନ୍ତି ବିଦ୍ୟୁତ୍ପ୍ରଭା ଦେବୀଙ୍କ ସୁପୁତ୍ର ।
ଏହି ସମ୍ମିଳନୀରେ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ହେବେ ପ୍ରଫେସର ଦେବୀପ୍ରସାଦ ମିଶ୍ର, କୁଳପତି, ବିକ୍ରମଦେବ ବିଶ୍ୱବିଦ୍ୟାଳୟ; ପ୍ରସିଦ୍ଧ କବୟିତ୍ରୀ ଓ ଲେଖିକା ଡ଼. ମନୋରମା ବିଶ୍ୱାଳ ମହାପାତ୍ର; ଓ ଫକିରମୋହନ ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗର ପ୍ରଫେସର ଦେବାଶିଷ ପାତ୍ର । ବିଦ୍ୟୁତ୍ପ୍ରଭା ଦେବୀ ଓଡ଼ିଆ ସାହିତ୍ୟରେ ଗଭୀର ଦାଗ ଛାଡ଼ିଦେଇଥିବା ଜଣେ ବିଶିଷ୍ଟ କବୟିତ୍ରୀ। ସେ ନାରୀବାଦୀ ଓ ସାମାଜିକ ଚେତନାର ସୂକ୍ଷ୍ମ ବ୍ୟକ୍ତିକରଣ ଘଟାଇଥିବା କବିତା ଲେଖି ଓଡ଼ିଆ ସାହିତ୍ୟକୁ ଏକ ନୂଆ ଦିଗ ଦେଇଥିଲେ। ପୁରୁଷ ପ୍ରଭୁତ୍ୱ ଥିବା ଗଦ୍ୟପଦ୍ୟ ରଚନା ପରିବେଶରେ ସେ ଜଣେ ପ୍ରଥମ ପ୍ରଭାବଶାଳୀ ନାରୀ କଣ୍ଠ ଭାବେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।
ତାଙ୍କର କାବ୍ୟରେ କାନ୍ତିମୟ ଭାଷା, ସାମାଜିକ ବିମର୍ଶ ଓ ସାଂସ୍କୃତିକ ଗଭୀରତା ରହିଛି, ଯାହା ଓଡ଼ିଆ ସାହିତ୍ୟର ଅନ୍ତଃପ୍ରବାହକୁ ଅଧିକ ଗଭୀର ଓ ବିବିଧମୟ କରିଛି। ତାଙ୍କ ଶତବାର୍ଷିକୀ ବର୍ଷ ୨୦୨୫ରେ ଏହି ସମ୍ମିଳନୀ ତାଙ୍କ କବିତାକୁ ପୁନଃ ପରିଶୀଳନ କରିବା, ଓ ତାଙ୍କ ସାହିତ୍ୟିକ ଅବଦାନକୁ ନବ ଆଲୋକରେ ବ୍ୟାଖ୍ୟା କରିବା ଉଦ୍ଦେଶ୍ୟରେ ଆୟୋଜିତ କରାଯାଉଛି ବୋଲି ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି