ଚମ୍ପୁଆ, ୧୫ ଅକ୍ଟୋବର (ହି.ସ.) - ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ରଙ୍ଗାମାଟିଆ ପଂଚାୟତ ରରୁଆଁଗୋଡା ଗ୍ରାମରେ ଥିବା ଧଳା ହୁଡ଼ି ( କ୍ୱାର୍ଟଜାଇଟ ପଥର ବ୍ଲକ୍ ) ଲିଜ ପାଇଁ ହେବାକୁ ଥିବା ଜନ ଶୁଣାଣି ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁ ବାତିଲ ହୋଇଛି। ଜନଶୁଣାଣି ବାତିଲ ଯୋଗୁଁ ଆସିଥିବା ଅଧିକାରୀ ମାନେ ଫେରି ଯାଇଥିଲେ। ସୂଚନା ଯୋଗ୍ୟ କି, ଚମ୍ପୁଆ ତହସିଲ ଅନ୍ତର୍ଗତ ରରୁଆଁଗୋଡା ଗ୍ରାମର ଧଳାହୁଡିରୁ ମେସର୍ସ ଫ୍ଲକ୍ସ ମିନେରାଲ୍ସ ବାର୍ଷିକ ୦.୫୫୧ ମିଲିୟନ ଟନ କ୍ୱାର୍ଟଜାଇଟ ଉତୋଳନ ସହିତ ଘଂଟା ପ୍ରତି ୫୦ ଟନ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ଏକ ଜନଶୁଣାଣି ଅନୁଷ୍ଠିତ ହେବାର ଥିଲା। ତେବେ ଆଜି ଦିନ ୧୧ ଟାରୁ ଶୁଣାଣି ଆରମ୍ଭ ପାଇଁ ଧାର୍ଯ୍ୟ ହୋଇଥିଲା। ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଜନଶୁଣାଣି ପାଇଁ କେନ୍ଦୁଝର ଏଡିଏମ ରବୀନ୍ଦ୍ର କୁମାର ପ୍ରଧାନ, ରାଜ୍ୟ ପ୍ରଦୂଷଣ ବୋର୍ଡ ଅଧିକାରୀ ପ୍ରଶାନ୍ତ କର, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା , ତହସିଲଦାର ସଜ୍ଜତ ମାର୍କେ ପ୍ରମୁଖ ପହଂଚିଥିଲେହେଁ ଗ୍ରାମବାସୀ ଜନଶୁଣାଣିକୁ ବିରୋଧ କରି ସଭାସ୍ଥଳକୁ କେହି ଆସିନଥିଲେ । ଅପର ପକ୍ଷେ ଗ୍ରାମବାସୀ ଏହା ବିରୋଧରେ ବିଭିନ୍ନ ନାରାବାଜି ଦେଇ ଏକ ଶୋଭାଯାତ୍ରା କରିଥିବା ସହିତ କୌଣସି ପରିସ୍ଥିତିରେ ଗ୍ରାମ ସମ୍ପତିକୁ ବିକ୍ରୀହେବାକୁ ଦିଆଯିବ ନାହିଁ କି ଗ୍ରାମ୍ୟ ପରିବେଶ ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି ନାରା ବାଜି କରିବା ସହିତ ଗ୍ରାମ୍ୟ ରାସ୍ତା ଉପରେ ଧାରଣାରେ ବସିଥିଲେ ଓ ଧଳା ହୁଡିରେ କାର୍ଯ୍ୟ ବନ୍ଦ ସମ୍ବନ୍ଧରେ ଏକ ଜ୍ଞାପନ ଗ୍ରାମବାସୀ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଗ୍ରାମବାସୀଙ୍କ ଅନୁସାରେ ଧଳାହୁଡି ପଥର ଲିଜ କାର୍ଯ୍ୟକାରୀ ହେଲେ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେବେ । ସେଠାରେ ଗ୍ରାମର ଆରାଧ୍ୟ ଦେବତା ସିଂହାସନ ପାଟ ଅଧିଷ୍ଠିତ ଥିବାରୁ ଏହି ପଥର ଲିଜ ଯୋଗୁଁ ଗ୍ରାମବାସୀଙ୍କ ଧର୍ମୀୟ ଭାବନାରେ କୁଠାର ଘାତ ହେବ । ଏଥି ସହିତ ବୈତରଣୀ ନଦୀ ନିକଟରେ ଏହି ପଥର ହୁଡି ଥିବାରୁ ପଥର ଉତୋଳନ ହେଲେ ନଦୀର ଗତିପଥ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବା ସହିତ ନଦୀର ବନ୍ୟାଜଳ ଗ୍ରାମରେ ପ୍ରବେଶ କରି ଗ୍ରାମ ପ୍ରତି ବିପଦ ସୃଷ୍ଟି କରିବ। ଏଥି ସହିତ ଧଳା ହୁଡ଼ିରେ ଗ୍ରାମବାସୀଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇ ଏହାକୁ ସବୁଜିମାମୟ କରା ଯାଇଥିବାରୁ ପଥର ଉତୋଳନ ହେଲେ ଗ୍ରାମର ପରିବେଶ ନଷ୍ଟ ହେବ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta