ଖୋର୍ଦ୍ଧା, ୧୫ ଅକ୍ଟୋବର (ହି.ସ.)- ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାହୋଇଛନ୍ତି ସ୍ମୃତି। ଖୋର୍ଦ୍ଧା ଓ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ। ୩ ଜଣ ଡିଏସପି, ୨ ଜଣ ଇନ୍ସପେକ୍ଟର ଚଢ଼ଉରେ ସାମିଲ ହୋଇଛନ୍ତି। କାର୍ଯ୍ୟାଳୟ ସମେତ ତାଙ୍କ ବାସଭବନରେ ଚଢ଼ଉ ଜାରି ରହିଛି।
ସୂଚନା ମୁତାବକ, ଗଡମାଣିତ୍ରୀର ଶିଶିର ମଙ୍ଗରାଜ ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ଗତ ଏକ ମାସ ଧରି ସେ କାର୍ଯ୍ୟାଳୟକୁ ଦୌଡୁଥିବା ବେଳେ ସ୍ମୃତି ତାଙ୍କୁ କହିଲେ ଆରଆଇ ଏବଂ ଅତିରିକ୍ତ ତହସିଲଦାର ଟଙ୍କା ନେବେ। ଟଙ୍କା ଦେଲେ କାମ ହୋଇଯିବ। ଶିଶିର ଏ ସମ୍ପର୍କରେ ଗତ ୧୪ ତାରିଖରେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଯୋଜନା ମୁତାବକ ବୁଧବାର କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ