ସମ୍ବଲପୁର, ୦୩ ଅକ୍ଟୋବର(ହି.ସ.) – କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସମ୍ବଲପୁର ଦେବେଇପାଲି ଠାରେ ‘ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର’ର ଭିତିପ୍ରସ୍ତର ସ୍ଥାପନ କରିବା ସହ ‘ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ କେନ୍ଦ୍ର’ର ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ ତଥା ପ୍ରତ୍ୟେକ ବ୍ୟକ୍ତିର ଅଧିକାର। ଲୋକାର୍ପିତ ‘ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସା ସହ ଅନ୍ୟାନ୍ୟ ଚିକିତ୍ସାସେବା ସୁବିଧା ରହିଛି । ଏହି କେନ୍ଦ୍ରଗୁଡ଼ିକ ଲୋକଙ୍କୁ ଉନ୍ନତ ଏବଂ ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନୀୟ ଅଂଚଳର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ‘ସେବା ପର୍ବ -୨୦୨୫’ ଅବସରରେ ଯୋଗଦେଇ ଝାରସୁଗୁଡ଼ାରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ବୁର୍ଲାକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଟି ଚିକିତ୍ସାଳୟରେ ରୂପାନ୍ତରଣ କରିବା ପାଇଁ ଘୋଷଣା କରିଛନ୍ତି। ଭିମସାର ମେଡିକାଲରେ ବେଡ୍ ସଂଖ୍ୟା ୧୪୮୫ ଥିବାବେଳେ ଏହାକୁ ୨୬୫୦ ସିଟକୁ ହଢାଯିବ ଏବଂ ଏଥିପାଇଁ ୧୬୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପଦକ୍ଷେପ ହସ୍ପିଟାଲକୁ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ସହ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବ। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ