ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ବଲାଙ୍ଗିର ୱାର୍ଡ ନଂ୨୧ ସ୍ଥିତ ପ୍ୟାଲେସ ଲାଇନ ପଡା ଠାରେ ନାଳ ଚୋରୀ ହୋଇଥିବା ଏକ ଅଜବ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ମୁତାବକ, ବାରମ୍ବାର ଗୁହାରି ପରେ ଗତ ୨୦୨୩ ମସିହା ୨୩ ସେପ୍େଟମ୍ବରରେ ରାସ୍ତା ଓ ନାଳ ତିଆରି ପାଇଁ ପୌରପାଳିକା ପ୍ରସ୍ତାବ ଗ୍ରହଣ କରିଥିଲା। ସେହି ଅନୁସାରେ ୭ଲକ୍ଷ ଟଙ୍କା ବ୍ୟୟବରାଦରେ ୟୁଜିବି ଚେୟାରମ୍ୟାନ ଗଳିରେ ନିରୁ ଅଗ୍ରୱାଲଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଓ ନାଳ ତିଆରି ଆରମ୍ଭ ହୋଇଥିଲା। କିନ୍ତୁ କାମ ସରିବା ବେଳକୁ ରାସ୍ତା ତିଆରିରେ କୌଣସି ନୀତିନିୟମ ପାଳନ କରାଯାଇନଥିବା ବେଳେ ରାସ୍ତା ଅଧାପନ୍ତରିଆ ଅବସ୍ଥାରେ ବନ୍ଦ ହୋଇଯାଇଥିଲା। ଅନ୍ୟପଟେ ଗାଡୱାଲ ଓ ନାଳ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇଥିବା ପଡାବାସୀ ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତିକୁ ନେଇ ଆର୍ଟିଆଇ କର୍ମୀ ଶମ୍ଭୁନାଶ ଶତପଥି ପୌରପାଳିକାକୁ କାର୍ଯ୍ୟପ୍ରଣାଳୀର ନକଲ ମାଗିବାରୁ ପୌରପାଳିକା ଏହାକୁ ଏଡାଇ ଦେଇଥିଲା। କମିସନରଙ୍କ ପାଖରୁ ତଥ୍ୟ ଆସିବା ପରେ ଜଣା ପଡିଲା ଯେ, ରାସ୍ତାର ପ୍ରସ୍ତାବରେ ଥିବା ଗାର୍ଡୱାଲ ଓ ନାଳ ତିଆରି ନକରି ଦୁର୍ନୀତି କରାଯାଇଥିବା ଶ୍ରୀ ଶତପଥି ଅଭିଯୋଗ କରିଛନ୍ତି। ସେ ଏନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି। ଅନ୍ୟପଟେ ଅଂଚଳବାସୀ ଶମ୍ଭୁଭୂଷଣ ମିଶ୍ର ରାସ୍ତା ତିଆରିରେ ଅତି ନିମ୍ନମାନର କାମ ହୋଇଥିବା ବେଳେ ଅଧା କାମ କରି ରାସ୍ତାକୁ ବନ୍ଦ କରିଦିଆଯାଇଛି। ଆହୁରି ଏହି ପ୍ରକଳ୍ପରେ ନାଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବେଳେ ନାଳ ସମ୍ପୂର୍ଣ୍ଣ ଭାବେ ଗାଏବ ରହିଛି ବୋଲି ଅଭିଯୋଗ କରଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ