ନୂଆପଡା/ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୋର୍ଡ ତରଫରୁ ଆଜି ନୂଆପଡା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଜୟ ଢୋଲକିଆଙ୍କ ନାମ ଘୋଷଣା କରାଯାଇଛି । ଦଳୀୟ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ । ଆସନ୍ତା କାଲି ସକାଳ ୧୦.୩୦ ଘଟିକାରେ ନୂଆପଡାସ୍ଥିତ ‘ଗୋତମା’ ଏୟାରଷ୍ଟ୍ରିପଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ଏବଂ ଏଥିରେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ସରପଂଚ, ସମିତି ସଭ୍ୟ, ୱାର୍ଡମେମ୍ବରଙ୍କ ସମେତ ପୂର୍ବତନ ଜନପ୍ରତିନିଧି ଓ ସମର୍ଥକମାନେ ସାମିଲ ହେବେ । ଏହା ପରେ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ଢୋଲକିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ । ଏହି ଅବସରରେ ହଜାର ହଜାର କାର୍ଯ୍ୟକର୍ତା ଓ ସାଧାରଣ ଜନତାଙ୍କ ଗହଣରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକ ଏବଂ ଦଳୀୟ ପଦାଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ରହିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା