ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ବଲାଙ୍ଗିର ସହର ଉପକଣ୍ଠ ରେ ବିଭିନ୍ନ ସମୟରେ ଗୋହତ୍ୟା କରାଯାଇ ଗୋମାଂସ ରପ୍ତାନୀ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା । ଗତକାଲି ବିଳମ୍ବିତ ରାତିରେ ବିଜାଖମନଠାରେ ଏକ ବାଛୁରୀକୁ କାଟି ତାର ମାଂସଭର୍ତି କରୁଥିବାବେଳେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାକୁ ନେଇ ବଜରଙ୍ଗଦଳ ଓ ହିନ୍ଦୁତ୍ୱବାଦୀ ସଂଗଠନମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗରୁ ପ୍ରକାଶ ଯେ,ବଲାଙ୍ଗୀର ସହର ଉପକଣ୍ଠରେ ପୌରାଂଚଳର ବିଜାଖମନଠାରେ ରାତି ୯ଟା ବେଳେ ଏକ ଖୋଲାପଡିଆରେ ଏକ ବାଛୁରୀକୁ କିଛିଲୋକ କାଟୁଥିଲେ। ପଡିଆ ନିକଟକୁ ଶୌଚପାଇଁ ଯାଇଥିବା ସେହି ବିଜାଖମନର ସର୍ବେଶ୍ୱର ରଣା ଏହା ଦେଖି ବଜରଙ୍ଗଦଳର କର୍ମକର୍ତା ଓ ପୋଲିସକୁ ଖବର ଦେଇଥିଲେ । ତେବେ ସର୍ବେଶ୍ୱରକୁ ଗୋହତ୍ୟା କାରୀ ମାନେ ପୋଲିସ ଖବର କଲାରୁ ଜୀବନରେ ମାରିଦେବା କୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଆଦର୍ଶଥାନାର ଆଇଆଇସି ଅବନୀ ସାହୁ ସଦଳବଳେ ପହଂଚିଲା ବେଳକୁ ବାଛୁରୀକୁ କାଟି ମାଂସକୁ ଭର୍ତି କରାଯାଉଥିଲା। ଅନ୍ୟ କିଛି ଲୋକ ସେଠାରୁ ଦୌଡି ଫେରାର ଥିବା ବେଳେ ଅବନୀ ନନ୍ଦ ନାମକ ଜଣେ ଯୁବକ ପୋଲିସ ହାତରେ ଧରାପଡି ଥିଲେ। ପୋଲିସ ଅବନୀ କୁ ଘଟଣା ସ୍ଥଳରୁ ଗିରଫ କରି ଆଣି ପଚରା ଉଚୁରା କରି ଆଜି ଏକ ମାମଲା ରୁଜୁ କରି କୋର୍ଟକୁ ଚାଲାଣ କରିଛି। ସର୍ବେଶ୍ୱର ରଣାଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିବା ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି। ଏହି ଘଟଣାକୁ ନେଇ ବଜରଙ୍ଗ ଦଳର କର୍ମକର୍ତାଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି ଓ ପୂର୍ବରୁ ଗୋହତ୍ୟାନେଇ କରାଯାଉଥିବା ଅଭିଯୋଗ ସତ୍ୟ ହୋଇଛି ବୋଲି ଗୋସେବକ କାହ୍ନା ଶତପଥି ଓ ବଜରଙ୍ଗଦଳର ସୌମ୍ୟରଂଜନ ମିଶ୍ର କହିଛନ୍ତି। ନୀୟମିତ ବ୍ୟବଧାନରେ ଏହି ଅଂଚଳରେ ଗୋହତ୍ୟା କରାଯାଇ ମାଂସ ରପ୍ତାନୀ କରୁଥିବା ଅଭିଯୋଗ କରାଯାଇଛି। ବଲାଙ୍ଗୀର ଭଳି ଶାନ୍ତିପ୍ରିୟ ଅଂଚଳରେ କେହି ଗୋମାଂସ ଖାଉନଥିବା ବେଳେ ବାହାରୁ ଆସିଥିବା ରୋହିଙ୍ଗ୍ୟାମାନଙ୍କ ପାଇଁ କିଛିଲୋକ ଗୋହତ୍ୟା କରି ମାଂସ ରପ୍ତାନୀ କରୁଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଗୋହତ୍ୟାକୁ ବେଆଇନ ବୋଲି ଧରାଯାଉଥିବା ବେଳେ ବଲାଙ୍ଗୀରରେ ମାଂସପାଇଁ ଗୋହତ୍ୟା କରାଯାଉଥିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ପୋଲିସ ପ୍ରଶାସନ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ