ପୁରୀ, ୧୫ ଅକ୍ଟୋବର (ହି.ସ.)- ଦୀପଦାନ, ଶ୍ରାଦ୍ଧ ଆଗାମୀ ୨୦.୧୦.୨୦୨୫ ବା ୨୧.୧୦.୨୦୨୫ ହେବ ଏଇ ଦ୍ଵନ୍ଦର ସ୍ରଷ୍ଟା ସ୍ବୟଂ ମୁକ୍ତିମଣ୍ଡପ ପଣ୍ଡିତ ସଭା ଏଥିରେ ଦ୍ବିରୁକ୍ତି ନାହିଁ। ଅମାବାସ୍ୟାର ବ୍ୟାପ୍ତି ଦୁଇ ଦିନ ସଂଧ୍ୟା ବା ସୂର୍ଯ୍ୟଙ୍କ ଅସ୍ତ ପରେ ଅନ୍ୟୁନ ଏକ ଦଣ୍ଡ ବା ୨୪ ମିନିଟ ରହିଲେ ଦ୍ବିତୀୟ ଦିନ ପାଳନ ପୟା ବା ଦୀପଦାନ ଶ୍ରାଦ୍ଧ ଓ ଵଡଵଡୁଆ ଡାକ ପାଇଁ ଗଦାଧର ପଦ୍ଧତିର ୪୬୫ ପୃଷ୍ଠା ଓ ପଣ୍ଡିତ ସର୍ବସ୍ବ ର ୨୧୯ ପୃଷ୍ଠାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟାରେ ଦୀପଦାନ ଶ୍ରାଦ୍ଧ ପାଳନ କଲେ ପିତୃପୁରୁଷ ଅସୁଖୀ ହୋଇଥାନ୍ତି ବୋଲି ମଧ୍ୟ ସେଥିରେ ଉଲ୍ଲେଖ ରହିଛି। ତିଥି ସର୍ବଦା ନିରପେକ୍ଷ ଯୋଗୁଁ ଏହାର ବ୍ୟାପ୍ତି ସାରା ଭାରତରେ ସମାନ ରହିଥିବା ବେଳେ ସ୍ଥାନୀୟ ସମୟ ଅନୁଯାୟୀ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତରେ ତାରତମ୍ୟ ରହୁଥିବାରୁ ସେଇ ଆଧାରରେ ପର୍ଵ ଆଦି ନିର୍ଣ୍ଣୟ କରାଯାଏ। ଚଳିତବର୍ଷ କାର୍ତ୍ତିକ ଅମାବାସ୍ୟାର ଵ୍ୟାପ୍ତି ସାରା ଭାରତରେ ୨୦.୧୦.୨୦୨୫ ଅପରାହ୍ନ ୩.୪୫ ମିନିଟ ରୁ ୨୧.୧୦.୨୦୨୫ ସଂଧ୍ୟା ୫.୫୫ ମିନିଟ ପର୍ଯ୍ୟନ୍ତ ରହିଥିବା ବେଳେ ପୁରୀର ସୂର୍ଯ୍ୟ ଅସ୍ତ ୨୧.୧୦.୨୦୨୫ ରେ ୫.୧୬ ମିନିଟରେ ହେଉଥିବା ପାଞ୍ଜିରେ ଉଲ୍ଲେଖ ରହିଛି। ତେଣୁ ସୂର୍ଯ୍ୟ ଅସ୍ତ ପରେ ୩୯ ମିନିଟ ଅମାବାସ୍ୟା ତିଥି ରହୁଛି। ଯାହାକି ଏକ ଦଣ୍ଡ ଠାରୁ ୧୫ ମିନିଟ ଅଧିକ ଅଟେ। ମାତ୍ର ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ବୀକୃତ ପଞ୍ଜିକାରେ ଅମାବାସ୍ୟା ତିଥିର ବ୍ୟାପ୍ତି ୫ଟା ୩୦ ପର୍ଯ୍ୟନ୍ତ ରହୁଥିବା ଦର୍ଶାଯାଇଛି। ଏହି ତୃଟି ପାଇଁ ଦୀପଦାନ ବା ପୟାଶ୍ରାଦ୍ଧ ସେହି ପଞ୍ଜିକାରେ ୨୦.୧୦.୨୦୨୫ ରେ ପାଳନ ପାଇଁ ଦର୍ଶାଯାଇଛି। କିନ୍ତୁ ରାଜ୍ୟର ସମସ୍ତ ଅଗ୍ରଣୀ ପଞ୍ଜିକାରେ ୨୧.୧୦.୨୦୨୫ ତାରିଖ ରେ ପାଳନ। ପାଇଁ ଦର୍ଶା ଯାଇଛି। ଏହି ଗାଣିତିକ ତୃଟି ପାଇଁ ପଣ୍ଡିତ ସଭା ସମ୍ପୂର୍ଣ୍ଣ ଦାୟୀ ହୋଇଥିବା ବେଳେ ଏକ ତୃଟିପୂର୍ଣ୍ଣ ପର୍ବ ପାଳନ ପାଇଁ ତୃଟିଯୁକ୍ତ ଦିନ ତାଙ୍କ ଦ୍ଵାରା ସ୍ଵୀକୃତ ପଞ୍ଜିକାରେ ଦର୍ଶାଯାଇଛି। ଅତୀତରେ ସରସ୍ଵତୀ ପୂଜା ଦିନ ନିର୍ଦ୍ଧାରଣ ମଧ୍ୟ ତୃଟିଯୁକ୍ତ ଥିବାରୁ ସେଦିନ ଏକ ରିକ୍ତା ତିଥି (ଚତୁର୍ଥୀ) ରେ ଶ୍ରୀଜଗନ୍ନାଥଙ୍କ ରଥ ଅନୁକୂଳ ହୋଇଥିଲା। ଯାହାର ପ୍ରଭାବରେ ଗତ ରଥଯାତ୍ରାରେ ଅନେକ ଅଘଟଣ ହୋଇ ଏକାଧିକ ଭକ୍ତଙ୍କ ଜୀବନ ହାନିର କାରଣ ହେଲା । ଅପରପକ୍ଷରେ ଯେଉଁ ତିଥିରେ ସୂର୍ଯ୍ୟ ଉଦୟ ହୁଅନ୍ତି ସେଇ ପର୍ବ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ ହେବାର ବିଧି ରହିଛି। ସେଥିପାଇଁ ୨୧.୧୦.୨୦୨୫ ତାରିଖରେ ଶ୍ରୀମନ୍ଦିରରେ ଅମାବାସ୍ୟା ପାଳନ ହେଵ ଏବଂ ସେହିଦିନ ମଧ୍ୟ ସରକାରୀ ଛୁଟି ରହିଛି।୨୦.୧୦.୨୦୨୫ ତାରିଖରେ ଶ୍ୟାମାକାଳୀ ପୂଜାରେ କୌଣସି ଦ୍ବିରୁକ୍ତି ନାହିଁ। ଓଡ଼ିଶାର ଜନସାଧାରଣ ଅଦିନରେ ପୟା ବା ଦୀପଦାନ ଶ୍ରାଦ୍ଧ ଓ ଵଡଵଡୁଆ ଡାକ ମାଧ୍ୟମରେ ପିତୃପୁରୁଷଙ୍କୁ ବିଦାୟ ଦେଲେ ସେମାନେ ଅସୁଖି ହେବାର ଶାସ୍ତ୍ରୀୟ ବିଧାନରେ ୨୧.୧୦.୨୦୨୫ ତାରିଖରେ ତାହା ପାଳନ କରନ୍ତୁ। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ୨୧.୨୦.୨୦୨୫ ତାରିଖରେ ଏହା ପାଳନ ହେବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି।
ପ୍ରକାଶ ଥାଉକି, ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ଯ ନିର୍ବାସିତା ପରିଷଦର କାର୍ଯ୍ୟକାଳ ୨୦୨୦ ମସିହା ଏପ୍ରିଲ ମାସରୁ ଶେଷ ହୋଇଥିବାରୁ ସେମାନଙ୍କ ସ୍ଵୀକୃତି ଅବୈଧ ଓ ପଣ୍ଡିତ ସଭାର ସ୍ଥାୟୀ ସଭାପତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ବୀକୃତି ହିଁ ଗ୍ରହଣୀୟ । ଯାହାକି ପଞ୍ଜିକାରେ ଉଲ୍ଲେଖ ନାହିଁ ବୋଲି ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ