ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ)- ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ବୁଧବାର ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି। ନୂଆପଡ଼ା ନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସ୍ନେହାଙ୍ଗିନୀଙ୍କ ନାମ ଘୋଷଣା କରିଛନ୍ତି। ସ୍ନେହାଙ୍ଗିନୀ ବର୍ତମାନ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି।
ପ୍ରାର୍ଥୀ ଘୋଷଣା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଛୁରିଆ କହିଛନ୍ତି, ବିଜୁ ଜନତା ଦଳ ତରଫରୁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ତାଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି। ମୋ ଉପରେ ସେ ଭରସା କରିଛନ୍ତି। ଦଳ ପାଇଁ, ନୂଆପଡ଼ା ପାଇଁ ଓ ରାଜ୍ୟବାସୀଙ୍କ ପାଇଁ କାମ କରିଛି। ନୂଆପଡ଼ାରେ ପର୍ଯ୍ୟବେକ୍ଷକ ଭାବେ ୪ବର୍ଷ କାମ କରିଛି। ଏହି ନିର୍ବାଚନ ପାଇଁ ନୂଆପଡ଼ାବାସୀଙ୍କ ଆଶୀର୍ବାଦ ମାଗୁଛି। ସେମାନେ ମୋତେ ବିଜୟୀ କରିବେ ବୋଲି ଆଶା କରୁଛି। ନୂଆପଡ଼ାର ପ୍ରତ୍ୟେକ ସୁଖ ଓ ଦୁଃଖ ସମୟରେ ତାଙ୍କର ସହିତ ରହିବି। ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କର ସେବା କରିବି।
ସୂଚନାଯୋଗ୍ୟ ଯେ ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। ୨୦୨୪ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ନିହାର ମହାନନ୍ଦଙ୍କ ଠାରୁ ପରାସ୍ତ ହୋଇଥିଲେ।
ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ôଥପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଆସନ୍ତାକାଲି ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ôଥପତ୍ର ଦାଖଲ କରିବେ। ସେହିପରି କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ୧୮ ତାରିଖରେ ପ୍ରାର୍ôଥପତ୍ର ଦାଖଲ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା