ଫୁଲବାଣୀ ରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
Gandhi and Sastri Jayanti in Phulbani
ଫୁଲବାଣୀ ରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


କନ୍ଧମାଳ , ୨ ଅକ୍ଟୋବର (ହି.ସ.)

ଫୁଲବାଣୀ, ଆଜି କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀର ମିଳିତ ଆନୁକୁଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀ‌ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ -୨୦୨୫ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ତରଫରୁ ଫୁଲବାଣୀ ସହରରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯିବା ସହିତ ଫୁଲବାଣୀ ସଦରମହକୁମାରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିଗୁଡିକରେ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନଙ୍କର ଦ୍ବାରା ମାଲ୍ୟାର୍ପଣ କରାଯାଇଥିଲା ଏବଂ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା। ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର ସଭାଗୃହରେ ସର୍ବଧର୍ମ ପ୍ରାର୍ଥନା ଓ ଗାନ୍ଧୀ ବିଚାର ଓ ଦର୍ଶନ ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ କହିଥିଲେ ଯେ ମହାତ୍ମା ଗାନ୍ଧୀ ସ୍ଵାଧୀନତାର ଅର୍ଥ ସମସ୍ତଙ୍କ ପାଖକୁ ପହଞ୍ଚାଇଥିଲେ । ବ୍ରିଟିଶ ସରକାରଙ୍କ ବିରୋଧରେ ଲୋଡ଼େଇରେ ସମସ୍ତଙ୍କୁ ସାମିଲ କରି ଭାରତକୁ ସ୍ଵାଧୀନ କରିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ ହୋଇ ରହିବ । ତାଙ୍କର ଅହିଂସାର ମାର୍ଗ ସମସ୍ତ ମାନବ ସମାଜ ପାଇଁ ଏକ ଆଦର୍ଶ ହୋଇରହିଛି ଏବଂ ରହିଥିବ । ଆଗାମୀ ଯୁବପିଡ଼ି ଏହି ମହାନ ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ସଭାପତି, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଶ୍ରୀ ବିଜୟ କୃଷ୍ଣ ପଟ୍ଟନାୟକ ଗାନ୍ଧୀ ବିଚାର ଓ ଦର୍ଶନ ଉପରେ ଆଲୋଚନା କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ ବର୍ଗରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିଲା । ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ଉପସଭାପତି, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଶ୍ରୀ ବନବିହାରୀ ନନ୍ଦ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା, ସାଧାରଣ ଜନତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ

 rajesh pande