
ନୂଆଦିଲ୍ଲୀ, ୨୯ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୩୦ ଓ ୩୧ ତାରିଖରେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ଜାତୀୟ ଏକତା ଦିବସ ସମାରୋହରେ ଯୋଗଦେବେ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ, ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ, ପ୍ରଧାନମନ୍ତ୍ରୀ ଅକ୍ଟୋବର ୩୦ ତାରିଖରେ କେଭାଡିଆର ଏକତା ନଗରରେ ପହଂଚିବେ, ଯେଉଁଠାରେ ସେ ପ୍ରାୟ ୧,୧୪୦ କୋଟି ଟଙ୍କାର ବିଭିନ୍ନ ବିକାଶ ଏବଂ ଭିତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ପରିବହନ ସୁବିଧାକୁ ଉନ୍ନତ କରିବା ଏବଂ ପରିବେଶ ଅନୁକୂଳ ପଦକ୍ଷେପକୁ ସୁଦୃଢ଼ କରିବା । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବିର୍ସା ମୁଣ୍ଡା ଆଦିବାସୀ ବିଶ୍ୱବିଦ୍ୟାଳୟ (ରାଜପିପଲା), ଆତିଥ୍ୟ ଜିଲ୍ଲା (ପ୍ରଥମ ପର୍ଯ୍ୟାୟ), ବାମନ ବୃକ୍ଷ ବାଟିକା, ସପ୍ତପୁରା ସୁରକ୍ଷା ପ୍ରାଚୀର, ଇ-ବସ୍ ଚାର୍ଜିଂ ଡିପୋ ଏବଂ ୨୫ଟି ଇଲେକ୍ଟ୍ରିକ୍ ବସ୍, ନର୍ମଦା ଘାଟ ସମ୍ପ୍ରସାରଣ ଏବଂ ସ୍ମାର୍ଟ ବସ୍ ଷ୍ଟପ୍ (ପ୍ରଥମ ପର୍ଯ୍ୟାୟ) ଭଳି ପ୍ରକଳ୍ପର ଉଦଘାଟନ କରିବେ । ଏଥି ସହିତ ସେ ରାଜକୀୟ ରାଜ୍ୟ ସଂଗ୍ରହାଳୟ, ବୀର ବାଳକ ଉଦ୍ୟାନ, କ୍ରୀଡ଼ା କମ୍ପେ୍ଲକ୍ସ, ବର୍ଷା ଜଙ୍ଗଲ ପ୍ରକଳ୍ପ ଏବଂ ଟ୍ରାଭେଲେଟର ଭଳି ପ୍ରକଳ୍ପର ଭିତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ୧୫୦ ଟଙ୍କାର ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ଜାରି କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ