
ମୁମ୍ବାଇ/ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ଏଠାରେ ଆୟୋଜିତ ସାମୁଦ୍ରିକ ସପ୍ତାହ ୨୦୨୫ ରେ ଓଡ଼ିଶା ସରକାର ସ୍ଥାୟୀ ଏବଂ ସମନ୍ୱିତ ପରିବହନ ବିକାଶ ପାଇଁ ନିଜର ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ନେଭିଗେଟିଙ୍ଗ ଗ୍ରୋଥ: ଇନଲାଣ୍ଡ ୱାଟରୱେଜ୍ ଇନ୍ ଦ ଫ୍ରଂଟ ଅଫ୍ ଫ୍ୟୁଚର ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ୍ସ ଉପରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜଳପଥ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ସକ୍ରିୟ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।
ଏହି ଅଧିବେଶନରେ ଭାରତର ଆଭ୍ୟନ୍ତରୀଣ ଜଳପଥକୁ ଏକ ସ୍ୱଳ୍ପ ବ୍ୟୟବହୁଳ, ଦକ୍ଷ ଏବଂ ପରିବେଶ ପ୍ରତି ଉତ୍ତରଦାୟୀ ମାଲ ପରିବହନର ମାଧ୍ୟମ ଭାବେ ପୁନରୁଦ୍ଧାର ଏବଂ ଆଧୁନିକୀକରଣ ଉପରେ ବିଚାରବିମର୍ଶ କରାଯାଇଥିଲା। ଏହି ଆଲୋଚନାରେ ଉପକୂଳ-ଆଭ୍ୟନ୍ତରୀଣ ସଂଯୋଗ, ବହୁମୁଖୀ ସମନ୍ୱୟ, ଦୂରଗାମୀ ମାଲ ପରିବହନ ଏବଂ ବ୍ୟୟ ପ୍ରତିଦ୍ୱନ୍ଦ୍ୱିତା, ଆଭ୍ୟନ୍ତରୀଣ ଜଳ ପରିବହନ (ଆଇ.ଡବ୍ଲ୍ୟୁ.ଟି.) କୁ ଭବିଷ୍ୟତର ଲଜିଷ୍ଟିକ୍ସ ଇକୋସିଷ୍ଟମର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ସ୍ଥାନିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶ୍ରୀମତି ପାଢୀ ନୀଳ ସାମୁଦ୍ରିକ ଭିତ୍ତିଭୂମିର ବିକାଶ ଏବଂ ବନ୍ଦର, ନଦୀ ଏବଂ ଶିଳ୍ପ ସମୂହକୁ ସଂଯୋଗ କରୁଥିବା ବହୁମୁଖୀ ଲଜିଷ୍ଟିକ୍ସ ହବ୍ ପ୍ରତିଷ୍ଠା ପାଇଁ ଓଡ଼ିଶାର ରଣନୈତିକ ରୋଡମ୍ୟାପକୁ ପାଢୀ ରେଖାଙ୍କିତ କରିଥିଲେ। ଗତିଶୀଳ ଅର୍ଥବ୍ୟବସ୍ଥା ଏବଂ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ର ନୀତି ସହିତ ଯୋଡ଼ି ହୋଇ ସରକାରୀ-ଘରୋଇ ଭାଗିଦାରୀ, ସ୍ମାର୍ଟ ଲଜିଷ୍ଟିକ୍ସ ସମାଧାନ ଏବଂ ସବୁଜ ପରିବହନ ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ପ୍ୟାନେଲ ଆଇ. ଡବ୍ଲ୍ୟୁ. ଟି. ରେ ଶିଳ୍ପ ଅଂଶଗ୍ରହଣକୁ ତ୍ୱରାନ୍ୱିତ କରିବା, ସୀମା ଶୁଳ୍କ ଏବଂ କାର୍ଗୋ ପରିଚାଳନା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ଦକ୍ଷ ପରିଚାଳନା ପାଇଁ ମାନକୀକୃତ ଜାହାଜ ଡିଜାଇନକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଏବଂ ନିୟାମକ ସଂସ୍କାରକୁ ମଧ୍ୟ ଅନୁଧ୍ୟାନ କରିଥିଲା। ‘‘ଜଳପଥ ଏବଂ ଗତିଶୀଳ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ଉପରେ ଏକ ବିଷୟଗତ ବିଭାଗ ଅଣବ୍ୟବହାର ହୋଇଥିବା ନଦୀ ମାର୍ଗଗୁଡ଼ିକର ପୁନରୁଦ୍ଧାର ଏବଂ ନଦୀ ପରିବହନରେ ବର୍ଜ୍ୟବସ୍ତୁ-ରୁ-ମୂଲ୍ୟ ମଡେଲକୁ ସମନ୍ୱିତ କରିବାର ସୁଯୋଗ ଉପରେ ଆଲୋକପାତ କରିଥିଲା।
ନିଜର ଶେଷ ବକ୍ତବ୍ୟରେ, ଶ୍ରୀମତୀ ପାଢୀ ଓଡ଼ିଶାର ନଦୀ ଏବଂ ଉପକୂଳ ଶତାବ୍ଦୀ ଶତାବ୍ଦୀ ଧରି ବାଣିଜ୍ୟ ଏବଂ ସଂସ୍କୃତିର ଜୀବନରେଖା ହୋଇ ରହିଛି ବୋଲି କହିଥିଲେ । ରାଜ୍ୟ ବର୍ତ୍ତମାନ ଆଧୁନିକ, ସ୍ଥାୟୀ ଜଳପଥ ଭିତ୍ତିଭୂମି ମାଧ୍ୟମରେ ଏହି ଐତିହ୍ୟକୁ ପୁନର୍ଜୀବିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଯାହା କେବଳ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରେ ନାହିଁ ବରଂ ସବୁଜ, ସମାବେଶୀ ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରେ । ଆଭ୍ୟନ୍ତରୀଣ ଜଳ ପରିବହନ ପୂର୍ବ ଭାରତରେ ବାଣିଜ୍ୟିକ ସଂଯୋଗର ଭବିଷ୍ୟତକୁ ରୂପ ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ପ୍ୟାନେଲରେ ଅନ୍ୟ ବିଶିଷ୍ଟ ସଦସ୍ୟମାନଙ୍କ ମଧ୍ୟରେ ଆଇ. ଡବ୍ଲ୍ୟୁ. ଏ. ଆଇ. ର ଅଧ୍ୟକ୍ଷ (ସ୍ୱାଧୀନ ଦାୟିତ୍ୱ) ସୁନୀଲ କୁମାର ସିଂହ, ଆଇସି ଆଡବ୍ଲୁଏଆଇର ଅଧ୍ୟକ୍ଷ ଶ୍ରୀ ହ୍ୟାରି ଡି ଲେଇଜର, ଜେ. ଏସ୍. ଡବ୍ଲ୍ୟୁ. ଷ୍ଟିଲ୍ ଲିମିଟେଡର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ପ୍ରଣବ ଝା, ଜେ. ଏସ୍. ଡବ୍ଲ୍ୟୁ. ଷ୍ଟିଲ୍ ଲିମିଟେଡ୍ ଅଲଟ୍ରାଟେକ୍ ପୋର୍ଟସ୍ ଆଣ୍ଡ ସିପିଂର ଏ. ଭି. ପି. ପ୍ରିୟରଞ୍ଜନ ବେହରା, ଷ୍ଟାର ସିମେଣ୍ଟର ସି. ଓ. ଓ. ପ୍ରଦୀପ ପୁରୋହିତ, ରେନସ୍ ଲଜିଷ୍ଟିକ୍ସ୍ର ଭାରତର ଆଞ୍ଚଳିକ ସି. ଇ. ଓ. ବିବେକ ଆର୍ଯ୍ୟ ଏବଂ ଆସାମ ପେଟ୍ରୋକେମିକାଲ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରଜନୀଶ ଗୋଗୋଇ ଏହି ଅବସରରେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା