
ନୂଆଦିଲ୍ଲୀ, 29 ଅକ୍ଟୋବର (ହି.ସ.)
-ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ ବୁଧବାର ରାଫେଲ ବିମାନରେ ଉଡ଼ାଣ ଭରିବା ପରେ କହିଛନ୍ତି ଯେ, “ଶକ୍ତିଶାଳୀ ରାଫେଲ ବିମାନରେ ମୋର ପ୍ରଥମ ଉଡ଼ାଣ ଦେଶର ପ୍ରତିରକ୍ଷା
କ୍ଷମତା ପ୍ରତି ଗର୍ବ ଓ ଆତ୍ମସମ୍ମାନର ନୂତନ ଭାବନା ସୃଷ୍ଟି କରିଛି ।”
ରାଷ୍ଟ୍ରପତିଙ୍କୁ ରାଫେଲ ଓ
ଭାରତୀୟ ବାୟୁ ସେନାର କାର୍ଯ୍ୟକ୍ଷମତା ଓ ସଞ୍ଚାଳନ ସମ୍ବନ୍ଧୀୟ ସୂଚନା ମଧ୍ୟ ଦିଆଯାଇଥିଲା। ରାଷ୍ଟ୍ରପତି
ମୁର୍ମୁ ଭାରତୀୟ ବାୟୁ ସେନାର ଦୁଇଟି ଯୁଦ୍ଧ ବିମାନରେ ଉଡ଼ାଣ ଭରିଥିବା ଦେଶର ପ୍ରଥମ
ରାଷ୍ଟ୍ରପତି ଅଟନ୍ତି। ଏହା ପୂର୍ବରୁ ସେ 2023 ରେ ସୁଖୋଇ–30 ଏମକେଆଇ ବିମାନରେ ଉଡ଼ିଥିଲେ।
ଭାରତୀୟ ସଶସ୍ତ୍ର ବାହିନୀର
ସର୍ବୋଚ୍ଚ କମାଣ୍ଡର ଭାବେ ରାଷ୍ଟ୍ରପତି ମୁର୍ମୁ ପ୍ରାୟ 30 ମିନିଟ୍ ଧରି ଉଡ଼ାଣ ଭରିଥିଲେ ଏବଂ
ପ୍ରାୟ 200 କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଏହି ବିମାନକୁ 17 ସ୍କ୍ୱାଡ୍ରନର କମାଣ୍ଡିଂ
ଅଫିସର ଗ୍ରୁପ କ୍ୟାପଟେନ ଅମିତ ଗେହାନୀ ଉଡ଼ାଇଥିଲେ। ବିମାନଟି ସମୁଦ୍ରତଳରୁ ପ୍ରାୟ 15 ହଜାର
ଫୁଟ୍ ଉଚ୍ଚତାରେ ଏବଂ ପ୍ରାୟ 700 କିଲୋମିଟର ପ୍ରତି ଘଣ୍ଟା ଗତିରେ ଉଡ଼ିଥିଲା।
ପରେ, ଆଗନ୍ତୁକ ପୁସ୍ତିକାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସଂକ୍ଷିପ୍ତ
ନୋଟ୍ ଲେଖି ନିଜ ଅନୁଭବ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ,“ଭାରତୀୟ ବାୟୁ ସେନାର ରାଫେଲ ବିମାନରେ ମୋର ପ୍ରଥମ ଉଡ଼ାଣ ପାଇଁ
ଅମ୍ବାଲା ୱେୟାର ଫୋର୍ସ ଷ୍ଟେସନକୁ ଆସି ମୁଁ ଅତ୍ୟନ୍ତ ଆନନ୍ଦିତ। ରାଫେଲରେ ଉଡ଼ିବା ମୋ ପାଇଁ ଏକ
ଅବିସ୍ମରଣୀୟ ଅନୁଭବ ଅଟେ। ଶକ୍ତିଶାଳୀ ରାଫେଲ ବିମାନରେ ଏହି ପ୍ରଥମ ଉଡ଼ାଣ ମୋ ମନରେ ଦେଶର ରକ୍ଷା
କ୍ଷମତା ପ୍ରତି ଗର୍ବ ଓ ଗୌରବର ଏକ ନୂତନ ଭାବନା ସୃଷ୍ଟି କରିଛି । ମୁଁ ଏହି ଉଡ଼ାଣର ସଫଳ ଆୟୋଜନ
ପାଇଁ ଭାରତୀୟ ବାୟୁ ସେନା ଏବଂ ଅମ୍ବାଲା ଏୟାର ଫୋର୍ସ ଷ୍ଟେସନର ସମଗ୍ର ଟିମ୍କୁ ହୃଦୟରୁ
ଅଭିନନ୍ଦନ ଜଣାଉଛି।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା