ନୂଆଦିଲ୍ଲୀ, 3 ଅକ୍ଟୋବର (ହି.ସ.) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଭାରତରେ ହିଂସାତ୍ମକ ଅପରାଧ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ମୁତାବକ, 2004 ରୁ 2014 ମଧ୍ୟରେ ହତ୍ୟା, ବଳାତ୍କାର, ଯୌତୁକ ମୃତ୍ୟୁ ଏବଂ ଦଙ୍ଗା ବୃଦ୍ଧି ପାଇଥିଲା, କିନ୍ତୁ 2014 ପରଠାରୁ ଏଗୁଡ଼ିକ ବହୁ ପରିମାଣରେ ହ୍ରାସ ପାଇଛି । ଫଳରେ ଦେଶ ଅଧିକ ସୁରକ୍ଷିତ ହୋଇଛି, ବିଶେଷକରି ମହିଳାମାନଙ୍କ ପାଇଁ ।
ୟୁପିଏ ଶାସନ କାଳରେ ଦୁଷ୍କର୍ମ ମାମଲା ଉଦବେଗଜନକ ଭାବେ ବୃଦ୍ଧି ପାଇଥିଲା, ଯାହା 2004ରେ 18,233ରୁ ପ୍ରାୟ ଦ୍ୱିଗୁଣିତ ହୋଇ 2014ରେ 36,735ରେ ପହଞ୍ଚିଥିଲା। ଏହି ବୃଦ୍ଧି ମହିଳାମାନଙ୍କ ବିରୋଧରେ ଅପରାଧକୁ ତତ୍କାଳୀନ ଦଶନ୍ଧିର ସବୁଠାରୁ ଚିନ୍ତାଜନକ ସମସ୍ୟା ମଧ୍ୟରୁ ଅନ୍ୟତମ କରିଥିଲା। ଅପରପକ୍ଷରେ, ମୋଦୀଙ୍କ ଯୁଗରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି। 2023 ସୁଦ୍ଧା, ରିପୋର୍ଟ ହୋଇଥିବା ମାମଲା 29,670 କୁ ହ୍ରାସ ପାଇଛି, ଯାହାକି 2014 ସ୍ତର ତୁଳନାରେ 19 ପ୍ରତିଶତ କମ୍ । ପୂର୍ବ ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ହ୍ରାସ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ମହିଳାମାନଙ୍କ ପାଇଁ ଭାରତକୁ ସୁରକ୍ଷିତ କରିବାର ପ୍ରୟାସକୁ ପ୍ରତିଫଳିତ କରିଥାଏ।
ୟୁପିଏ ଶାସନ କାଳରେ ଯୌତୁକ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଏପରି ମାମଲା ସଂଖ୍ୟା 2004 ରେ 7,026 ରୁ 2014 ରେ 8,455 କୁ ବୃଦ୍ଧି ପାଇଥିଲା, ଏଥିରେ ପ୍ରାୟ 20 ପ୍ରତିଶତ ବୃଦ୍ଧି ଦେଖା ଦେଇଥିଲା। ତେବେ 2014 ପରଠାରୁ ଯୌତୁକ ମୃତ୍ୟୁ କ୍ରମାଗତ ଭାବରେ ହ୍ରାସ ପାଇଛି। 2023 ସୁଦ୍ଧା ଏଭଳି ମାମଲା ସଂଖ୍ୟା କମି 6,156ରେ ପହଞ୍ଚିଛି, ଯାହା 2014 ତୁଳନାରେ 27 ପ୍ରତିଶତ ହ୍ରାସ। ସମସ୍ତ ହିଂସାତ୍ମକ ଅପରାଧ ମଧ୍ୟରେ ଏହା ଏକ ତୀବ୍ର ହ୍ରାସକୁ ଦର୍ଶାଇଥାଏ।
ୟୁପିଏ ଶାସନ କାଳରେ ଦଙ୍ଗା ଘଟଣା ବୃଦ୍ଧି ପାଇଥିଲା, ଯାହା 2004ରେ 59,971ରୁ ବୃଦ୍ଧି ପାଇ 2014ରେ 66,042ରେ ପହଞ୍ଚିଥିଲା। ଏଭଳି ମାମଲାରେ ପାଖାପାଖି 10 ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଥିଲା । 2023 ସୁଦ୍ଧା ଏହି ମାମଲା ସଂଖ୍ୟା 39,260 କୁ ଖସିଛି ଯାହାକି 2014 ସ୍ତର ତୁଳନାରେ 40 ପ୍ରତିଶତ କମ୍ । ଚାରି ପ୍ରକାରର ପ୍ରମୁଖ ହିଂସାତ୍ମକ ଅପରାଧ ମଧ୍ୟରେ ଦଙ୍ଗାରେ ସବୁଠାରୁ ତୀବ୍ର ହ୍ରାସ ଦେଖାଯାଇଛି । ଏହା ମୋଦୀ ସରକାରଙ୍କ ‘‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’’ ନୀତିର ଆଉ ଏକ ପ୍ରମାଣ।
ୟୁପିଏ ଶାସନ କାଳରେ ପ୍ରତିବର୍ଷ ହାରାହାରି 33,200ଟି ହତ୍ୟା ମାମଲା ରେକର୍ଡ କରାଯାଉଥିଲା। 2004ରେ ଏହି ସଂଖ୍ୟା 33,608ରେ ରହିଥିଲା ଏବଂ 2014ରେ ପ୍ରାୟ ସମାନ ସ୍ତରରେ 33,981ରେ ରହିଥିଲା। 2023 ସୁଦ୍ଧା, ହତ୍ୟା ମାମଲା 27,721କୁ ହ୍ରାସ ପାଇଛି ଯାହା ୟୁପିଏ ଶାସନ କାଳରେ ହାରାହାରି ମାମଲା ତୁଳନାରେ 18 ପ୍ରତିଶତ କମ୍। ଏହା ସମଗ୍ର ଦଶନ୍ଧିରେ ସବୁଠାରୁ ସ୍ଥିର ସୁଧାର ମଧ୍ୟରୁ ଅନ୍ୟତମ। ଏକତ୍ର ବିଚାର କଲେ, ଏହି ଧାରା ଗୁଡ଼ିକ ଏକ ସ୍ପଷ୍ଟ ପରିବର୍ତ୍ତନକୁ ଦର୍ଶାଇଥାଏ। ୟୁପିଏ ସରକାର ଅଧୀନରେ ଏହି ଚାରୋଟି ବର୍ଗରେ ହିଂସାତ୍ମକ ଅପରାଧ 22 ପ୍ରତିଶତ ବୃଦ୍ଧି ପାଇ 2014ରେ 145 ଲକ୍ଷ ମାମଲାରେ ପହଞ୍ଚିଥିଲା। ମୋଦୀ ସରକାର ଅଧୀନରେ 2023 ମସିହାରେ ମୋଟ ମାମଲା 29 ପ୍ରତିଶତ ହ୍ରାସ ପାଇ 1 ଲକ୍ଷ 2 ହଜାରରେ ପହଞ୍ଚିଛି, ଯାହା 2004 ମସିହାରେ ରେକର୍ଡ ହୋଇଥିବା 1 ଲକ୍ଷ 18 ହଜାର ମାମଲା ତୁଳନାରେ ମଧ୍ୟ କମ୍।
ଏହି ପରିବର୍ତ୍ତନ ଦର୍ଶାଉଛି ଯେ ଗତ ଦଶନ୍ଧି ମଧ୍ୟରେ ଭାରତ କିପରି ଉଲ୍ଲେଖନୀୟ ଭାବରେ ସୁରକ୍ଷିତ ହୋଇପାରିଛି, ବିଶେଷ କରି ମହିଳାମାନଙ୍କୁ ହିଂସାତ୍ମକ ଅପରାଧରୁ ରକ୍ଷା କରିବାରେ ଦେଶ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ମୋଦୀ ସରକାର ପୁଲିସ ବ୍ୟବସ୍ଥାର ଆଧୁନିକୀକରଣ ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାକି ପୂର୍ବ ବର୍ଷଗୁଡ଼ିକର ଅବହେଳାକୁ ପ୍ରତିହତ କରିଛି। ଉତ୍ତମ ସମନ୍ୱୟ ଏବଂ ତ୍ୱରିତ ତଦନ୍ତ ସୁନିଶ୍ଚିତ କରିବା ପାଇଁ ସିସିଟିଏନ୍ଏସ୍ ବର୍ତ୍ତମାନ 17,712ଟି ଥାନାକୁ ଦେଶବ୍ୟାପୀ ଉପଲବ୍ଧ ଏକ କୋଟିରୁ ଅଧିକ ଅପରାଧ ରେକର୍ଡ ସହିତ ଯୋଡ଼ିଛି। ମୋଦୀ ସରକାର 2021 ମସିହାରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 4,846 କୋଟି ଟଙ୍କା ଆବଣ୍ଟନ ସହିତ ପୁଲିସର ଆଧୁନିକୀକରଣ (ଏଏସୟୁଏମପି) ଯୋଜନା ମାଧ୍ୟମରେ ରାଜ୍ୟ ପୁଲିସ ବାହିନୀକୁ ସୁଦୃଢ଼ କରିଛନ୍ତି।
ଏହି ଯୋଜନା ଅଧୀନରେ ରାଜ୍ୟ ପୁଲିସ ବାହିନୀକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ଉନ୍ନତ ଅସ୍ତ୍ରଶସ୍ତ୍ର, ପରିବହନ ସହାୟତା ଏବଂ ପ୍ରାଥମିକତା କ୍ଷେତ୍ରରେ ନୂତନ ପୁଲିସ ଷ୍ଟେସନ ଏବଂ ଆବାସ ନିର୍ମାଣ କରାଯାଇଛି। ନୂତନ ଅପରାଧିକ ଆଇନ ମଧ୍ୟ କଠୋର ବ୍ୟବସ୍ଥା ପ୍ରବର୍ତ୍ତନ କରିଛି । ମାମଲାର ଅନୁସନ୍ଧାନ ଏବଂ ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଏବଂ ମହିଳା ଓ ପିଲାମାନଙ୍କ ବିରୋଧରେ ଅପରାଧକୁ ସମାଧାନ କରିବା ପାଇଁ ଏକ ବ୍ୟାପକ ଆଭିମୁଖ୍ୟ ଆଣିଛି। ଏହି ଅପରାଧ ପାଇଁ ଉତ୍ସର୍ଗୀକୃତ 37ଟି ବିଭାଗକୁ ଗୋଟିଏ ଅଧ୍ୟାୟରେ ଏକତ୍ର କରାଯାଇଛି। ପ୍ରଯୁକ୍ତିବିଦ୍ୟା, ପାଣ୍ଠି ଏବଂ ଆଇନକୁ ସମନ୍ୱିତ କରି ଏହି ପଦକ୍ଷେପ ମାଧ୍ୟମରେ ମୋଦୀ ସରକାର ଏକ ଦୃଢ ଏବଂ ଅଧିକ ଆଧୁନିକ ପୁଲିସ ଓ ସୁରକ୍ଷା ଢାଞ୍ଚା ନିର୍ମାଣ କରିଛନ୍ତି । ଅପରପକ୍ଷରେ ୟୁପିଏ ବର୍ଷରେ ଅବହେଳା ଏବଂ ଉଦାସୀନତା କାରଣରୁ ଅପରାଧ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ