ଫୁଲବାଣୀ ରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ ପାଳିତ, ସମ୍ବର୍ଦ୍ଧିତ ହେଲେ, ଶିବିର ଆୟୋଜକ
National voluntary blood Donors Day Celebration in Phulbani
ଫୁଲବାଣୀ ରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ ପାଳିତ, ସମ୍ବର୍ଦ୍ଧିତ ହେଲେ, ଶିବିର ଆୟୋଜକ


କନ୍ଧମାଳ, ୦୪ ଅକ୍ଟୋବର(ହି.ସ.) – ଫୁଲବାଣୀରେ ପାଳିତ ହୋଇଯାଇଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ। ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ ଓ ରକ୍ତ ସଂଗ୍ରହ ପାଇଁ ଫୁଲବାଣୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଭାରତୀୟ ଜନତା ପାର୍ଟି ଓ ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଯୋଗଦେଇ ଜିଲ୍ଲାରେ ରକ୍ତଦାନ ଶିବିର ସଂଖ୍ୟାକୁ ବୃଦ୍ଧି କରିବା ଏବଂ ଗ୍ରାମାଂଚଳରେ ଯୁବ ପିଢ଼ିଙ୍କୁ ରକ୍ତଦାନ ଦିଗରେ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ସ୍ତରରେ ଗୀତିକାର ନାଟ୍ୟ, ପଥପ୍ରାନ୍ତ ନାଟକ ଓ ସାମାଜିକ ଗଣମାଧ୍ୟମର ସହାୟତା ନେବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ପଣ୍ଡିତ ବିଶିମାଝି ଓ ବରିଷ୍ଠ ନେତା ତଥା ଆଇନଜିବୀ ଶ୍ରୀ ରମେଶଚନ୍ଦ୍ର ମହାନ୍ତି ଯୋଗଦେଇ କନ୍ଧମାଳ ଜିଲ୍ଲାର ଗ୍ରାମାଂଚଳରେ ରକ୍ତଦାନର ସଚେତନତା କାର୍ଯ୍ୟକ୍ରମ କରିବା ସହିତ ଦଳ ପକ୍ଷରୁ ଅଧିକରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଅଧିକରୁ ଅଧିକ ରକ୍ତ ସଂଗ୍ରହ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଫୁଲବାଣୀ ର ବିଶିଷ୍ଟ ରକ୍ତଦାତା ତଥା ସମାଜସେବୀ ପ୍ରଶାନ୍ତ କୁମାର ବେହେରା ଫୁଲବାଣୀ ରକ୍ତଭଣ୍ଡାରର ଆରମ୍ଭ ଠାରୁ ଏ ଯାବତ୍ ରକ୍ତ ଦାତା ତଥା ଶିବିର ଆୟୋଜକ ତଥା ଦୁଇ ଶହରୁ ଅଧିକ ଥର ରକ୍ତଦାନ କରିଥିବା ଶ୍ରୀ ଜଟେଶ୍ୱର ଦାସଙ୍କ ସମେତ ସ୍ୱର୍ଗତ, ପଂଚାନନ ସାହୁ, ସୟଦ ରସିଦ୍ ଓ ଇପାରୀ ଆଦି ନାରାୟଣ, ସମରେନ୍ଦ୍ର ପଟ୍ଟନାୟକଙ୍କ ରକ୍ତଦାନ କ୍ଷେତ୍ରରେ ଥିବା ଅବଦାନ ବାବଦରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିସହ ଦେହାନ୍ତ ହୋଇଥିବା ରକ୍ତଦାତାଙ୍କ ଉଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆଗକୁ କିପରି ଜିଲ୍ଲା ରେ ଅଧିକରୁ ଅଧିକ ରକ୍ତ ସଂଗ୍ରହ ହୋଇପାରିବ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହ ନୁତନ ଓ ଯୁବ ରକ୍ତଦାତାଙ୍କୁ ଏହି ଦିଗରେ ପ୍ରେରଣା ଯୋଗାଇବା ଆବଶ୍ୟକ ବୋଲି ପ୍ରଶାନ୍ତ କୁମାର ବେହେରା। ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ. ଜୟଦୀପ ଘୋଷ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଫୁଲବଣୀ ଟିମ୍ ହ୍ୟୁମାନିଟି କନ୍ଧମାଳର ର ଆବାହକ ଭି. ଲୋକନାଥ ରାଜୁ, ଫୁଲବାଣୀ ଆଇଟିଆଇ ର ପ୍ରଶିକ୍ଷଣ ଅଧିକାରୀ ଡଃ ନୃସିଂହାନନ୍ଦ ମହାପାତ୍ର ଓ ପ୍ରଶାନ୍ତ କୁମାର ମିଶ୍ର ଏବଂ ଅନ୍ୟ ରକ୍ତଦାତା ଓ ସ୍ୱେଛାସେବୀ ମାନେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ

 rajesh pande