ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ଓଡ଼ିଶା ପୋଲିସ୍ ସବ୍ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷାରେ ଦୁର୍ନିତି ଏକ ଅନ୍ତଃରାଜ୍ୟ ରାକେଟ୍; ତେଣୁ ତଦନ୍ତ ଭାର ସିବିଆଇକୁ ଦେବାକୁ ଦାବି କରିଛି କଂଗ୍ରେସ। ଏହା ସହ କଂଗ୍ରେସ କହିଛି ଯେ ପରୀକ୍ଷାର୍ଥୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯାଉ। କ୍ଷତିପୂରଣ ଦେବାଯାଏ ମାସିକ ୨୦ ହଜାର ଭତା ଦିଆଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
ଶନିବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଏସଆଇ ପରୀକ୍ଷାରେ ଯେଉଁଭଳି ବିଶାଳ ଦୁର୍ନୀତି ଓ ଅନିୟମିତତା ଦେଖା ଦେଇଛି, ତାହା ରାଜ୍ୟର ଯୁବଶକ୍ତିର ଆସ୍ଥାକୁ ଭାଙ୍ଗି ଦେଇଛି। ବର୍ଷକୁ ବର୍ଷ ଧରି ପରିଶ୍ରମ କରୁଥିବା ଯୁବକମାନେ ଆଜି ଅନ୍ୟାୟରେ ଅଭିଯୁକ୍ତ ହୋଇଛନ୍ତି, ଯେଉଁଥିରେ ମୁଖ୍ୟ ଦୁର୍ନୀତିକାରୀମାନେ ସ୍ୱାଧୀନ ଘୂରୁଛନ୍ତି। ଏହା ୨୫ ଲକ୍ଷ ଟଙ୍କାର ଡ଼ିଲ। ଗରିବ ବାପାମା ତାଙ୍କ ପିଲାର ଭବିଷ୍ୟତ ପାଇଁ ଝିଅ ବାହାଘର ପାଇଁ ରଖିଥିବା ଟଙ୍କାକୁ ଦଲାଲକୁ ଦେଇଦେଲେ। ଏପଟେ ପିଲାର ଚାକିରି ନାହିଁ, ପିଲା ଧରା ପଡ଼ିଲେ, ତାଙ୍କ ଭବିଷ୍ୟତ ଅନ୍ଧାର। ଏହା କେବଳ ଯେ ବିଜେପି ସରକାରରେ ଚାଲୁଥିଲା ତାହା ନୁହେଁ, ଏହା ବିଜେଡି ସରକାରରେ ବି ଚାଲୁଥିଲା। ବିଜେଡି ଯେପରି ଆଉଟସୋର୍ସିଂ କରି ଚାନ୍ଦା ଆଦାୟ କରିଥିଲା, ବିଜେପି ମଧ୍ୟ ସେଇଆ କରୁଛି। ବିଜେପି, ବିଜେଡି ଭାଇଭାଇ। ସେ ଆହୁରି କହିଛନ୍ତି, ଲୋକେ ଟିକେ ଟିକେ କଥାରେ ନାଲି କୋଠା ଦେଖେଇଦେବୁ ବୋଲି କହୁଥିଲେ। କାରଣ କୋର୍ଟ ଉପରେ ଲୋକଙ୍କ ଭରସା ରହିଥିଲା, ଏବେ ବି ରହିଛି। କିନ୍ତୁ ସରକାର ଏବେ ପିଲାଙ୍କୁ ଲାଂଚ ଦେବା ଶିଖାଇଲା। ଯିଏ ଲାଂଚ ଦେଇକି ଚାକିରି କରିବ ସେ ଲାଂଚ ନବନି କେମିତି?
ଅନ୍ୟତମ ପିସିସି ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଓଡ଼ିଶାର ଯୁବକ ମାନଙ୍କୁ ଦାଦନ ଖଟିବାକୁ ବାଧ୍ୟ କରୁଛି ସରକାର। ଗରିବ, ଶ୍ରମିକଙ୍କ ପିଲାଙ୍କୁ ଚାକିରି ଦେବା ନାଁ'ରେ ହଜାର ହଜାର କୋଟି ଲୁଟୁଛି ସରକାର। ରାଜ୍ୟରେ ୧୫ ମାସର ସରକାରରେ ୧୫ ଥର ପ୍ରଶ୍ନ ପତ୍ର ଲିକ ହେବା ଦର୍ଶାଉଛି, ସରକାରୀ ମେଧାବୀ ଗରିବ ଯୁବକଙ୍କଠାରୁ ପରୀକ୍ଷା ଫି ବାବଦ କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା