ପୋଲିସ୍ ଏସ୍‌.ଆଇ. ନିଯୁକ୍ତି ମହାଦୁର୍ନିତୀର ବିଚାର ବିଭାଗୀୟ ତଦନ୍ତ ପାଇଁ ସି.ପି.ଆଇ.(ଏମ୍‌)ର ଦାବି
ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ପୋଲିସ୍ ଏସ୍‌.ଆଇ. ନିଯୁକ୍ତି ମହାଦୁର୍ନିତୀ ସଂପର୍କରେ ବିଚାର ବିଭାଗୀୟ ତଦନ୍ତ କରାଇ ପ୍ରକୃତ ଦୋଷୀ ଏବଂ ର‌୍ୟାକେଟ୍‌ରେ ସଂପୃକ୍ତ ସମସ୍ତଙ୍କୁ ଲୋକଲୋଚନକୁ ଆଣିବା ପାଇଁ ସି.ପି.ଆଇ.(ଏମ୍‌) ତରଫରୁ ଦାବି କରାଯାଇଛି। ବର୍ତ୍ତମାନର ଘଟଣା ଏବଂ ପୂର୍ବର ଘଟଣା ଗୁଡ଼ିକ ସ
ପୋଲିସ୍ ଏସ୍‌.ଆଇ. ନିଯୁକ୍ତି ମହାଦୁର୍ନିତୀର ବିଚାର ବିଭାଗୀୟ ତଦନ୍ତ ପାଇଁ ସି.ପି.ଆଇ.(ଏମ୍‌)ର ଦାବି


ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ପୋଲିସ୍ ଏସ୍‌.ଆଇ. ନିଯୁକ୍ତି ମହାଦୁର୍ନିତୀ ସଂପର୍କରେ ବିଚାର ବିଭାଗୀୟ ତଦନ୍ତ କରାଇ ପ୍ରକୃତ ଦୋଷୀ ଏବଂ ର‌୍ୟାକେଟ୍‌ରେ ସଂପୃକ୍ତ ସମସ୍ତଙ୍କୁ ଲୋକଲୋଚନକୁ ଆଣିବା ପାଇଁ ସି.ପି.ଆଇ.(ଏମ୍‌) ତରଫରୁ ଦାବି କରାଯାଇଛି।

ବର୍ତ୍ତମାନର ଘଟଣା ଏବଂ ପୂର୍ବର ଘଟଣା ଗୁଡ଼ିକ ସଂପର୍କରେ ପରସ୍ପର କାଦୁଅ ଫୋପଡ଼ା ଫୋପଡ଼ିରେ ଲିପ୍ତ ରହି ଖବରକାଗଜର ଶିରୋନାମାରେ ସ୍ଥାନ ପାଇବା ମଧ୍ୟଦେଇ ମୁଖ୍ୟ ଆସାମୀ ଓ ସମଗ୍ର ର‌୍ୟାକେଟ୍‌କୁ ଲୋକଲୋଚନରୁ ଲୁଚାଇ ଦେବା ପାଇଁ ଉଦ୍ୟମ କରାଯାଉଛି ବୋଲି ସି.ପି.ଆଇ.(ଏମ୍‌) ବିଚାର କରୁଛି । ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ରହିଛନ୍ତି, କିନ୍ତୁ ବିଜ୍ଞପ୍ତି ପ୍ରକାଶ ସମୟରୁ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ୱ ହେବ ଏହି କାରବାର ଗୁଡ଼ିକ ସଂପର୍କରେ କୌଣସି ଖବର ନପାଇବା ଏବଂ ହଠାତ୍ ଖବର ପାଇ ତଦନ୍ତ ନିର୍ଦ୍ଦେଶ ଦେଲେ ବୋଲି ପ୍ରଚାର କରାଇ ଯେଉଁ ସାବାସୀ ନେବା ପାଇଁ ଚେଷ୍ଟା କରୁଛନ୍ତି ତାହା ଅତ୍ୟନ୍ତ ହ୍ୟାସ୍ୟାସ୍ପଦ । ରାଜ୍ୟରେ ବିଜେପି କ୍ଷମତାସୀନ ହେବାପରେ ଆଜି ପର୍ଯ୍ୟନ୍ତ ପ୍ରାୟ ସମସ୍ତ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବା ଉଦ୍ଦେଶ୍ୟରେ “ପ୍ରଶ୍ନପତ୍ର ଲିକ୍‌”କୁ ଏକ ବ୍ୟବସାୟିକ ଶିଳ୍ପରେ ପରିଣତ କରିଛନ୍ତି । ଏହା ଫଳରେ ନିଯୁକ୍ତି ପାଇବା ପାଇଁ ଅପେକ୍ଷାରତ ଅହରହ ପରିଶ୍ରମ କରି ଲକ୍ଷ ଲକ୍ଷ ଟଙ୍କା ଦେଇ ଆବେଦନ କରିଥିବା ହଜାର ହଜାର ବେକାର ଯୁବକ-ଯୁବତୀଙ୍କୁ ପ୍ରତାରଣା କରାଯାଉଛି । ପରୀକ୍ଷା ପରିଚାଳନାର ଦାୟିତ୍ୱ ନେଇଥିବା ଠକ ସଂସ୍ଥାର ମାଲିକ ସିଧାସଳଖ ବିଜେପି ସହିତ ସଂପୃକ୍ତି ଥିବାର ଅଭିଯୋଗ ହେଉଛି ।

ପୋଲିସ୍ ଏସ୍‌.ଆଇ. ନିଯୁକ୍ତି ପ୍ରକ୍ରିୟା ପୋଲିସ୍ ବିଭାଗ ଦ୍ୱାରା ନିୟନ୍ତ୍ରଣ ଓ ପରିଚାଳନା କରାଯାଉଥିବା ବେଳେ ସେହି ବିଭାଗୀୟ ଅଧିକାରୀମାନଙ୍କ ସଂପୃକ୍ତିକୁ ଧରିବା ପାଇଁ ସେହି ପୋଲିସ୍ ବିଭାଗକୁ ଦାୟିତ୍ୱ ଦେବା ଜନଗଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜିବା ସହ ସମାନ ବୋଲି ସି.ପି.ଆଇ.(ଏମ୍‌) ମନେ କରେ । ତେଣୁ, ଏହିପରି ଏକ ମହାଦୁର୍ନୀତି ଘଟଣାର ତଦନ୍ତ ଜଣେ ବିଚାରପତିଙ୍କ ଦ୍ୱାରା କରାଇ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ସହିତ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ପାଇଁ ସି.ପି.ଆଇ.(ଏମ୍‌) ତରଫରୁ ଦାବି କରାଯାଉଛି । ଉପରୋକ୍ତ ଦାବି ଉପରେ ସାରା ରାଜ୍ୟରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନେବା ପାଇଁ ସି.ପି.ଆଇ.(ଏମ୍‌) ତରଫରୁ ଆହ୍ୱାନ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande