ଐତିହାସିକ କଟକ ବାଲିଯାତ୍ରା ଆୟୋଜନ ନେଇ ଉନ୍ନୟନ କମିଶନରଙ୍କ ସମୀକ୍ଷା
ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ଐତିହାସିକ ବାଲିଯାତ୍ରା, କଟକ ଆଗାମୀ ନଭେମ୍ବର ୫ରୁ ନଭେମ୍ବର୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ବୃହତ୍ ବାଣିଜ୍ୟିକ ମେଳାର ଆୟୋଜନ ସଂପର୍କରେ ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ଏକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନ
ଐତିହାସିକ କଟକ ବାଲିଯାତ୍ରା ଆୟୋଜନ ନେଇ ଉନ୍ନୟନ କମିଶନରଙ୍କ ସମୀକ୍ଷା


ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ଐତିହାସିକ ବାଲିଯାତ୍ରା, କଟକ ଆଗାମୀ ନଭେମ୍ବର ୫ରୁ ନଭେମ୍ବର୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ବୃହତ୍ ବାଣିଜ୍ୟିକ ମେଳାର ଆୟୋଜନ ସଂପର୍କରେ ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ଏକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଅଧ୍ୟକ୍ଷତା କରି ପ୍ରସ୍ତୁତି ସମୀକ୍ଷା କରିଥିଲେ । ବୈଠକରେ ଉନ୍ନୟନ କମିଶନର ବାଲିଯାତ୍ରାକୁ ଆସୁଥିବା ଦର୍ଶକମାନଙ୍କ ସୁବିଧା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ସହ ସେମାନଙ୍କର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ବୈଠକରେ କଟକ ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡଃ. ବିଜୟ କେତନ ଉପାଧ୍ୟାୟ, କଟକ ମହାନଗର ନିଗମ କମିଶନର ତଥା ସିଡିଏ ଉପଧ୍ୟକ୍ଷା କୀରନଦୀପ କୌର ସହୋଟା, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମେତ କଟକ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ଲକ୍ଷାଧିକ ଜନ ସମାଗମ ହେବାର ଆଶା କରାଯାଇଛି । ଏ ବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ସମାଗମ ଆକଳନ କରାଯାଇଛି । ବାଲିଯାତ୍ରା ପ୍ରତି ନିଆରା ଆକର୍ଷଣ ଯୋଗୁଁ ପ୍ରତିଦିନ ସଂଧ୍ୟାରେ ପ୍ରାୟ ୭-୮ ଲକ୍ଷ ଜନସମାଗମ ହେଉଥିବାରୁ ଦର୍ଶକମାନଙ୍କ ସୁବିଧା ପାଇଁ ଯେପରି ଆବଶ୍ୟକ ସମସ୍ତ ପ୍ରକାର ସୁବିଧା କରାଯାଇପାରିବ, ସେଥିପ୍ରତି ସମସ୍ତ ଦିଗକୁ ନଜର ରଖି ବାଲିଯାତ୍ରା ଆୟୋଜନ କରିବାକୁ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଛନ୍ତି । ଜରୁରୀ ପରିସ୍ଥିତିରେ ଲୋକମାନେ ଯେପରି ବାଲିଯାତ୍ରା ପଡିଆରୁ ତୁରନ୍ତ ବାହାରି ପାରୁଥିବେ, ତାହାକୁ ଦୃଷ୍ଟିରେ ରଖି ପ୍ରବେଶ ରାସ୍ତା ସହିତ ଅଧିକ ସଂଖ୍ୟକ ପ୍ରସ୍ଥାନ ବ୍ୟବସ୍ଥା ସହ ଏ ସଂପର୍କରେ ଦୃଶ୍ୟମାନ ଅଧିକ ଗ୍ଲୋ-ସାଇନବୋର୍ଡ ଲଗାଇବା, ସାଇନେଜ୍ ବ୍ୟବସ୍ଥା କରିବାକୁ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଛନ୍ତି । ବାଲିଯାତ୍ରାରେ କେଉଁ କେଉଁ ସ୍ଥାନରେ କଣ ସୁବିଧା ଉପଲବ୍ଧ ଅଛି ଏବଂ ଜରୁରୀ ସହାୟତା ଆବଶ୍ୟକତା ପାଇଁ ଏକ ମୋବାଇଲ ଆପ୍ ବିକଶିତ କରିବାକୁ ସେ କଟକ ଜିଲ୍ଲାପାଳଙ୍କୁ ପରାମର୍ଶ ଦେିଛନ୍ତି । ଏଥି ସହିତ ପୂର୍ବ ଆଲୋଚନା ମୁତାବକ ପୁଲିସ୍ ପ୍ରଶାସନ ସହ ଜରୁରୀ କାର୍ଯ୍ୟ ରହୁଥିବା ବିଭିନ୍ନ ବିଭାଗମାନଙ୍କୁ ନେଇ ସମନ୍ୱିତ କଣ୍ଟ୍ରୋଲ ରୁମ ସ୍ଥାପନ ପାଇଁ ପରାମର୍ଶ ଦେଇଛନ୍ତି । ପ୍ରକାଶ ଥାଉକି, ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ସଂପର୍କରେ ଗତ ସେପ୍େଟମ୍ବର ୧୭ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ସୁରକ୍ଷିତ ଓ ଶୃଙ୍ଖଳିତ ବାଲିଯାତ୍ରା ଅନୁଷ୍ଠିତ ହେବା ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ।

ବୈଠକରେ କଟକ ଜିଲ୍ଲାପାଳ, ବାଲିଯାତ୍ରା ସଂପର୍କିତ ଆବଶ୍ୟକ ବିଭିନ୍ନ ସୂଚନା ପାଇଁ ବାଲିଯାତ୍ରା ୱବସାଇଟ୍ ଉପଲବ୍ଧ ଥିବା ପ୍ରକାଶ କରିଥିଲେ । ବାଲିଯାତ୍ରାର ଆୟୋଜନ ସଂପର୍କିତ ନକ୍ସାକୁ ଉନ୍ନୟନ କମିଶନର ଅନୁଧ୍ୟାନ କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ । ବାଲିଯାତ୍ରାରେ ଟ୍ରାଫିକ୍ ପରିଚାଳନା ଓ ଗହଳି ନିୟନ୍ତ୍ରଣ ପାଇଁ କମିଶନରରେଟ୍ ପୁଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି । ଭିଡ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆଠାରୁ ଏବଂ ଯୋବ୍ରା ପଟୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଯାତାୟତ ପାଇଁ କ୍ରୁଟ୍ ତରଫରୁ ଦେୟମୁକ୍ତ ଶଟଲ ସେବା ସୁବିଧା କରାଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା । ବାଲିଯାତ୍ରା ସୁପରିଚାଳନା ପାଇଁ ବିଭିନ୍ନ ସବ୍ କମିଟି ମାନେ ନିୟମିତ ସମୀକ୍ଷା କରି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଚଳିତ ବର୍ଷ ବାଲିଯାତ୍ରାରେ ମହାନଦୀ ତଟରେ ଆକର୍ଷଣୀୟ ଯନ୍ତ୍ରଚାଳିତ ବୋଇତ ପ୍ରଦର୍ଶନ ଦେଖିବାକୁ ମିଳିବ । ଏହି ବୋଇତ ପ୍ରାଚୀନ ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରିବ । ଏଥିପାଇଁ ମହାନଦୀ ତଟରେ ୩ ଟି ଅସ୍ଥାୟୀ ଜେଟି ସ୍ଥାପନ ସାଙ୍ଗକୁ କଟକ ସିଲଭରସିଟି ବୋଟ୍ କ୍ଲବର ସୌନ୍ଦର୍ଯ୍ୟକରଣ କରାଯିବ । ଏଥର ବାଲିଯାତ୍ରାରେ ୧୬୭୦ ଟି ଷ୍ଟଲ ସ୍ଥାନୀୟ ବ୍ୟବସାୟୀ ତଥା ବ୍ୟବସାୟିକ ସଂସ୍ଥାକୁ ଆବଣ୍ଟନ କରାଯିବା ପାଇଁ ପ୍ରସ୍ତୁତି ଜାରି ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଓରମାସ ଆୟୋଜନରେ ୫୦୦ଟି ଷ୍ଟଲ ସ୍ଥାପନ କରାଯାଇ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଆୟୋଜନ କରାଯିବ । ଗତବର୍ଷ ବାଲିଯାତ୍ରାରେ ପ୍ରାୟ ୨୦୦ କୋଟି ଟଙ୍କାର ବେପାର ହୋଇଥିବା ବେଳେ କେବଳ ଓରମାସରେ ୫୦ କୋଟି ଟଙ୍କାର ବେପାର ହୋଇଥିଲା । ଏ ବର୍ଷ ଅଧିକ ହେବାର ଆଶା କରାଯାଉଛି । ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ତରଫରୁ ବଲିଉଡ, ଓଲିଉଡ୍ ଏବଂ ଅନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବା ନେଇ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ଅଦ୍ୟାବଧି ୮୦ ଟି ସ୍ଥାନୀୟ ଓ ଜାତୀୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନମାନଙ୍କଠାରୁ ବାଲିଯାତ୍ରାରେ ଅଂଶଗ୍ରହଣ ପାଇଁ ଆବେଦନ ଗ୍ରହଣ ହୋଇଛି ଓ ଚୂଡ଼ାନ୍ତ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି ।

ବାଲିଯାତ୍ରା ପଡିଆର ସୌନ୍ଦର୍ଯ୍ୟକରଣ, ବହୁ ସଂଖ୍ୟକ ଅସ୍ଥାୟୀ ବାୟୋ-ଟଏଲଟ ସ୍ଥାପନ ଓ ସେସବୁର ପରିସ୍କାର ପରିଚ୍ଛନ୍ନତା, ରକ୍ଷଣାବେକ୍ଷଣ, ପାର୍କିଂ ସ୍ଥାନର ସୁବିଧା, ପଲ୍ଲିଶ୍ରୀ ମେଳାରେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା, ଅତିଥି ଏବଂ ସାଂସ୍କୃତିକ ଦଳ ମାନଙ୍କର ରହଣି, ଅଗ୍ନିଶମ ସେବା ସହ ସୁରକ୍ଷା ପାଇଁ ଏନଡିଆରଏଫ୍‌, ଓଡ୍ରାଫ ଟିମ୍ ମୁତୟନ, “କଟକ ଇନ୍ କଟକ” ମଣ୍ଡପରେ “ଓଡ଼ିଆ ଅସ୍ମିତା, ଆମ ଭାଷା ଆମ ସାହିତ୍ୟ” କାର୍ଯ୍ୟକ୍ରମ ଉପସ୍ଥାପିତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ନେଇ ଆର୍ôଥକ ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକ ପରେ ପରେ କଟକରେ ମହାନଦୀ ରିଭର ଫ୍ରଣ୍ଟର ବିକାଶ ସଂପର୍କରେ ଆଲୋଚନା କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande