ଖୋର୍ଦ୍ଧା, ୬ ଅକ୍ଟୋବର (ହି.ସ.)- ବରୁଣେଇ ପାହାଡ଼ରେ ବାର୍ହା ଆକ୍ରମଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପ୍ରଦୀପ କୁମାର ପେରେଇ। ସେ ବରୁଣେଇ ବିଟ୍ ହାଉସ୍ରେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି। ଗୁରୁତରଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଛି। ଏପରିକି ବାରାହା ଆକ୍ରମଣରୁ ଜୀବନ ବଞ୍ଚାଇବା ପାଇଁ ବିଏସଏନଏଲ୍ ଟାୱର ଏବଂ ଗଛରେ ଚଢି ଯାଇଥିଲେ କିଛି ଯୁବକ l ପୋଲିସ, ଅଗ୍ନିଶମ, ବନ ବିଭାଗର କର୍ମଚାରୀ ୩୦ ଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର କରିଥିଲେ l ଏହି ଉଦ୍ଧାର କାର୍ଯ୍ୟ ବେଳେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି l ତେବେ ବାର୍ହାଟି ଛୁଆ ଜନ୍ମ କରିଥିବାରୁ ପ୍ରତିହିଂସା ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, କେତେଜଣ ଯୁବକ ବରୁଣେଇ ପାଦଦେଶରେ ଭୋଜି କରିବା ପରେ ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ। ସେଠାରେ ବାର୍ହା ଆକ୍ରମଣ କରିବାରୁ ଯୁବକମାନେ ଜୀବନ ବଞ୍ଚାଇବାକୁ ଯାଇ ଟାୱାର ଏବଂ ଗଛରେ ଚଢ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବରୁଣେଇ ବିଟ୍ ହାଉସ୍ରେ ଟ୍ୟୁଟି କରୁଥିବା ଜଣେ ଓଏସ୍ଏପି କନ୍ଷ୍ଟେବଳଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ୨ ଜଣ ଓଏସ୍ଏପି କନ୍ଷ୍ଟେବଳ ଓ ମୁକୁଦପ୍ରସାଦ ପୋଡ଼ାସାହିର ଦୁଇ ଜଣକୁ ସାଙ୍ଗରେ ଧରି ପାହାଡ଼ ଉପରକୁ ଯାଇଥିଲେ। ତେବେ ସେଠାରେ ବାର୍ହା ଜଣେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ସେଠାରେ ସେ ଗୁରୁତର ଆହତ ହୋଇ ଅଚେତ ହୋଇପଡ଼ିଥିଲେ। ଅନ୍ୟଜଣେ କୌଶଳକ୍ରମେ ଖସିଆସିଥିଲେ। ତେବେ ସାଙ୍ଗରେ ଯାଇଥିବା ଦୁଇ ଜଣ ସ୍ଥାନୀୟ ଯୁବକ ଟାୱର ଉପରକୁ ଚଢ଼ିଯାଇଥିଲେ। ଏହି ସମୟରେ ପାହାଡ଼ ଉପରକୁ ବୁଲିବାକୁ ଯାଇଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ଆହତ ଅବସ୍ଥାରେ ତଳକୁ ଆସିଥିଲେ। ବାରାହା ଟାୱର ତଳେ ଜଗି ରହିବାରୁ କୌଣସି ଉପାୟ ନପାଇ ସାଗର ଏବଂ ସୁନୀଲ ସମ୍ପର୍କୀୟ ଓ ପୋଲିସକୁ ଖବର ଦେଇଥିଲେ। ଖବରପାଇ ବନ ବିଭାଗ ଟିମ୍ ଏବଂ ଶିଳ୍ପାଞ୍ଚଳ ପୋଲିସ ପହଞ୍ଚିଥିଲା। ପରେ ପୋଲିସ, ଅଗ୍ନିଶମ ଏବଂ ବନ ବିଭାଗକୁ ନେଇ ୩ଟି ଟିମ୍ ଉପରକୁ ଯାଇଥିଲେ। ସାଙ୍ଗରେ ନିଆଁହୁଳା ଏବଂ ଲାଇଟ ନେଇ ଘଟଣାସ୍ଥଳରେ ପହଞ୍ଚି ଘଉଡ଼ାଇବା ବେଳେ ବାରାହାଟି ପ୍ରତିଶୋଧପରାୟଣ ହୋଇପଡ଼ିଥିଲା। ଫଳରେ ସମସ୍ତେ ଜୀବନ ବଞ୍ଚାଇବାକୁ ଟାୱର ଏବଂ ଗଛ ଉପରକୁ ଚଢ଼ିଯାଇଥିଲେ। ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଲାଡୋ ଗଜାନନ ଦୟାନନ୍ଦ, ଏସପି ବିବେକାନନ୍ଦ ଶର୍ମା, ରେଞ୍ଜର ଜୟକୃଷ୍ଣ ପଣ୍ଡା, ଶିଳ୍ପାଞ୍ଚଳ ଥାନାଧିକାରୀ ଉମେଶ ସାହୁ, ଏସ୍ଆଇ ବାସୁଦେବ ଜୟସିଂ ପ୍ରମୁଖ ବରୁଣେଇ ମନ୍ଦିରରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ