ସିଲିଗୁଡ଼ି, ୬ ଅକ୍ଟୋବର (ହି.ସ.)- ଅବିରତ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ବିପର୍ଯ୍ୟସ୍ତ ଉତର ବଙ୍ଗକୁ ସୋମବାର କିଛିଟା ଆଶ୍ୱସ୍ତି ମିଳିଛି । ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ଯାତାୟାତ ଏବେ ଖୋଲିଛି, ଯାହା ଫଳରେ ଶହ ଶହ ଫସି ରହିଥିବା ପର୍ଯ୍ୟଟକ ଫେରି ଆସିଛନ୍ତି ।
ଗତ କିଛି ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଉତର ବଙ୍ଗର ଅଧିକାଂଶ ଅଂଚଳ ଜଳମଗ୍ନ ହୋଇଯାଇଥିଲା । ପର୍ଯ୍ୟଟକମାନେ, ବିଶେଷକରି ପର୍ବ ଋତୁରେ ଦାର୍ଜିଲିଂକୁ ଯାତ୍ରା କରୁଥିବା ଲୋକମାନେ, ରାସ୍ତା ଅବରୋଧ କରିଥିବା ଭୂସ୍ଖଳନ ଯୋଗୁଁ ଫସି ରହିଥିଲେ । ରବିବାର ପର୍ଯ୍ୟନ୍ତ, ଜାତୀୟ ରାଜପଥ ୧୦ ସମ୍ପୂର୍ଣ୍ଣ ଅବରୋଧ ହୋଇଥିଲା । ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସୋମବାର ପାଗରେ ଉନ୍ନତି ଆସିବା ସହିତ ରାସ୍ତା ଆଂଶିକ ଭାବରେ ସଫା ହୋଇଛି । ଏବେ ଦାର୍ଜିଲିଂ ଯାତ୍ରା ସମ୍ଭବ ।
ପ୍ରଶାସନ ଅନୁଯାୟୀ, ଫସି ରହିଥିବା ପର୍ଯ୍ୟଟକମାନେ ଏବେ ନିରାପଦରେ ସମତଳ ଭୂମିକୁ ଫେରି ଯାଉଛନ୍ତି । ତଥାପି, ଲୋକମାନଙ୍କୁ ଟାଇଗର ହିଲ୍ ଏବଂ ରକ୍ ଗାର୍ଡେନ ଭଳି କିଛି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇ ନାହିଁ ।
ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ମୂଷଳଧାରାର ବର୍ଷା ରବିବାର ପର୍ଯ୍ୟନ୍ତ ଜାରି ରହିଥିଲା । ଦାର୍ଜିଲିଂରେ ୨୪ ଘଂଟା ମଧ୍ୟରେ ୨୬୧ ମି.ମି. ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ମିରିକ ଅଂଚଳରେ ସର୍ବାଧିକ କ୍ଷତି ହୋଇଛି । ଅନେକ ଘର ଏବଂ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତର ବଙ୍ଗରେ ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ସମୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ରବିବାର, ସେ ପାହାଡ଼ିଆ ଅଂଚଳର ପରିସ୍ଥିତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଂଚଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଏକ ବୈଠକ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ