ବଲାଙ୍ଗିର, 6 ଅକ୍ଟୋବର (ହି.ସ.)ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସୋମବାର ଶାରଦୀୟ ବିରେଚନ ପକ୍ଷ ଉଦ୍ଘାଟନ ହୋଇଯାଇଛି । ରବିବାର ପଞ୍ଚକର୍ମ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଶାରଦୀୟ ବିରେଚନ ପକ୍ଷକୁ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଏଥିରେ ସମସ୍ତ ପ୍ରକାର ପିତ୍ତଜନିତ ରୋଗର ନିଶୁକ୍ଳ ପରାମର୍ଶ ଏବଂ ଚିକିତ୍ସା ଯୋଗାଇ ଦିଆଯିବ । ସାଧାରଣତଃ ପିତ୍ତ ଜନିତ ସମସ୍ୟାର ନିରାକରଣ ପାଇଁ ପଞ୍ଚକର୍ମ ମଧ୍ୟରୁ ବିରେଚନ କ୍ରିୟା କରାଯାଇଥାଏ। ଶରତ ଋତୁରେ ପିତ୍ତ କୋଷର ପ୍ରକୋପ କାରଣରୁ ବିରେଚନ କର୍ମ କରାଯାଇଥାଏ। ପିତ୍ତ ଜନିତ ସମସ୍ୟା ଯଥା ଚର୍ମ ରୋଗ, ଅମ୍ଳପିତ୍ତ, କେଶଜନିତ ସମସ୍ୟା, ରକ୍ତ ଜନିତ ରୋଗ, ଉଦର ଗତ ରୋଗ , ଶ୍ୱାସ, ଗ୍ରନ୍ଥି , ଅର୍ବୁଦ , ମେଦବହୁଳତା , ପକ୍ଷାଘାତ (ପରାଲିଶିସ ) ଗୃଧ୍ରସି (ସିଆଟିକା) ଆମବାତ (ରହେଉମାଟଏଡ ଅର୍ଥରିତିସ) ଶୁକ୍ରଗତ ସମସ୍ୟା ବିବିଦ୍ଧ ଆଦିରୁ ବିରେଚନ କର୍ମ ଦ୍ୱାରା ମୁକ୍ତି ମିଳିଥାଏ । ଆୟର୍ବେଦିକ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ୬ରୁ ଆରମ୍ଭ ହୋଇ ୨୦ ପର୍ଯ୍ୟନ୍ତ ପନ୍ଦର ଦିନ ଧରି ଚାଲୁ ରହିବ ବୋଲି ପଞ୍ଚ କର୍ମ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ବିଶ୍ୱଜିତ୍ ଦାଶ କହିଛନ୍ତି । ପଞ୍ଚକର୍ମ ବିଭାଗ ବିଶେଷଜ୍ଞ ଡାକ୍ତର ଯଶୋବନ୍ତ ସାହୁ ଓ ଡାକ୍ତର ଅଜୟ କୁମାର ମେହେରଙ୍କ ତତ୍ତ୍ୱାବଧାନରେ ବିରେଚନ ସାଧ୍ୟ ରୋଗର ଚିକିତ୍ସା କରାଯିବ। ଚିକିତ୍ସାଳୟ ଅଧୀକ୍ଷକ ପ୍ରଫେସର ଡାକ୍ତର ସିମାଦ୍ରି ଭୂଷଣ ନାୟକ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଆସି ଏହି ଚିକିତ୍ସାର ଲାଭ ନେବାକୁ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ