କେନ୍ଦୁଝର, ୬ ଅକ୍ଟୋବର (ହି.ସ.)- ସ୍ଥାନୀୟ ଜେଲରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ଼ଠାରେ ପୂର୍ବ ଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଏକତ୍ରୀକରଣରେ ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା, ଉପସଭାପତି ପ୍ରିୟବ୍ରତ ସାମଲ, ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ, ସମ୍ଭାଗ ସଂଯୋଜକ ଦୟାନିଧି ମହାନ୍ତ, ସହ ସଂଯୋଜକ ସନ୍ତୋଷ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦକ ଶ୍ରୀ ପଣ୍ଡା ପିଲାମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହିତ ବିଦ୍ୟାଳୟ ପ୍ରତି ଭଲ ପାଇବା ଅତୁଟ ରଖିବା ପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପ୍ରଧାନାଚାର୍ଯ୍ୟ ସମ୍ମିଳନୀରେ ପଞ୍ଚ ପରିବର୍ତ୍ତନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବୈଠକକୁ ସଂଭାଗ ସହ ସଂଯୋଜକ ସନ୍ତୋଷ ମହାପାତ୍ର ପରିଚାଳନା କରିଥିବା ବେଳେ ଆଗାମୀ ଦିନରେ ପୂର୍ବ ଛାତ୍ର ପଞ୍ଜୀକରଣ କିପରି କରାଯିବା ସହ ପୂର୍ବ ଛାତ୍ରଛାତ୍ରୀଙ୍କ ଆଗାମୀ ଦିନରେ କିପରି ସହଭାଗିତା ରହିବ ସେନେଇ ବିଶଦ ଆଲୋଚନା କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲା ବେଳେ ବିଦ୍ୟାଳୟର ପୂର୍ବଛାତ୍ର ଟୋଲି ଗଠନ କରାଯାଇଥିଲା।
ଏହି ଏକତ୍ରିକରଣରେ ବିଦ୍ୟାମନ୍ଦିର ବିଭାଗର ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସାମଲ, ସତ୍ୟପ୍ରିୟ ମହାନ୍ତି, ପ୍ରଫୁଲ୍ଲ ଦାସ, ଗୁରୁମା ସସ୍ମିତା ପତି, ଶ୍ରଦ୍ଧାଞ୍ଜଳି ମହାନ୍ତ, ସୁଜାତା ମିଶ୍ର, ଜ୍ୟୋସ୍ମାରାଣୀ ବେହେରା ଓ ସସ୍ମିତା ଦୋରା ଜଗନ୍ନାଥ ମହାନ୍ତ, ବରିଷ୍ଠ ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ସାମନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମ୍ଭାଗ ସଂଯୋଜକ ତଥା ଆଚାର୍ଯ୍ୟ ଦୟାନିଧି ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପୂର୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA