ଭଦ୍ରକ, ୬ ଅକ୍ଟୋବର (ହି.ସ.) - ସରସ୍ୱତୀ ପାଣ୍ଡୁଲିପି ସଂରକ୍ଷଣ କେନ୍ଦ୍ର ଓ ଭାରତସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଓଡ଼ିଶା ବ୍ରାହ୍ମଣ ମହାସଂଘ ସହଯୋଗରେ ସରସ୍ୱତୀ ବିହାର ଠାରେ ଏକ ପୋଥି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ଜିଲ୍ଲାର ଦ୍ୱିଶତାଧିକ ପୋଥି ସଂରକ୍ଷକମାନେ ଯୋଗଦେଇ ତାଳପତ୍ର ପୋଥି ଓ ପାଣ୍ଡୁଲିପିର ମହତ୍ୱ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସରସ୍ୱତୀ ବିହାର ଅଧ୍ୟକ୍ଷ ଡ଼. ସଦାନନ୍ଦ ଦୀକ୍ଷିତ ସ୍ୱାଗତ ଭାଷଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଜ୍ଞାନଭଣ୍ଡାର ପୋଥି ଓ ପାଣ୍ଡୁଲିପିର ସଂରକ୍ଷଣ ପାଇଁ ଜ୍ଞାନଭାରତ ମିଶନ୍ ଗତ ୧୨ ତାରିଖରେ ପ୍ରାରମ୍ଭ କରିଥିବା ବିଷୟ ଉଲ୍ଲେଖ କରିଥିଲେ । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଯଶସ୍ୱୀ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଉଦ୍ଘାଟକ ଭାବେ ଯୋଗ ଦେଇ ଭାରତର ବିଶାଳ ଜ୍ଞାନ ପରଂପରା ଉପରେ ଆଲୋକପାତ କରିଥିଲେ ଏବଂ ବିଶେଷତଃ ବ୍ରହ୍ମଣମାନେ ଏହି ପୋଥି ମାଧ୍ୟମରେ ହଜାର ହଜାର ବର୍ଷ ଧରି ଜ୍ଞାନବିଜ୍ଞାନକୁ ସୁରକ୍ଷିତ ରଖିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ପୁରାତତ୍ୱବିତ୍ ପ୍ରଫେସର ଭାଗବତ ତ୍ରିପାଠୀ ଅନେକ ଦୁର୍ଲଭ ପୋଥିର ପାଠୋକାର କରାଯାଇ ବିସ୍ମୟକର ବୈଜ୍ଞାନିକ ତଥ୍ୟ ଲୋକଲୋଚନକୁ ଅଣାଯାଇଥିବାର ଦୃଷ୍ଟାନ୍ତ ପ୍ରଦାନ କରିଥିଲେ । ଯାଜପୁରର ପଣ୍ଡିତ ବିଜୟ କୁମାର କର ଓ ପଣ୍ଡିତ କୃଷ୍ଣଚନ୍ଦ୍ର ମିଶ୍ର , କେନ୍ଦୁଝରୁ ପଣ୍ଡିତ ମଧୁସୂଦନ ମିଶ୍ର ଓ ଶ୍ରୀ ଶରତ ଚନ୍ଦ୍ର ମିଶ୍ର, ବାଲେଶ୍ୱରରୁ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ ଓ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ, କେନ୍ଦ୍ରପଡ଼ାରୁ ଭକ୍ତ ବନ୍ଧୁ ମିଶ୍ର ଓ ପଣ୍ଡିତ ମହେଶ୍ୱର ନନ୍ଦ, ଭଦ୍ରକରୁ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ଓ ବିଭୂତି ନାରାୟଣ ସେନାପତି ପ୍ରମୁଖ ତାଳପତ୍ର ପୋଥିର ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜଳସଂସାଧନ ବିଭାଗର ସର୍ବୋଚ୍ଚଯନ୍ତ୍ରୀ ଇଂ ସୁବ୍ରତ ଦାଶ ଇତିହାସର କଳଙ୍କିତ ଅଧ୍ୟାୟ ସ୍ମରଣ କରି ଆମ ଜ୍ଞାନ ପରଂପରାକୁ ନୀତିନିଷ୍ଠ ଭାବରେ ସ୍ମରକ୍ଷିତ ରଖିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ଓଡ଼ିଶା ବ୍ରାହ୍ମଣ ମହାସଂଘର ଭଦ୍ରକ ସଭାପତି ଶ୍ରୀ ମନ୍ଦରଧର ଦୀକ୍ଷିତ ସଭାପତିତ୍ୱ ଅଭିଭାଷଣରେ ତାଳପତ୍ର ପୋଥିକୁ ସଂରକ୍ଷିତ କରିବା ଦିଗରେ ଅବହେଳା ନକରିବା ଏବଂ ସୁରକ୍ଷିତ ନହେଲେ ସରସ୍ୱତୀ ବିହାର ପୋଥି ସଂରକ୍ଷଣ କେନ୍ଦ୍ରକୁ ଦାନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଭଦ୍ରକ ମାଟିର ଗୌରବ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡାଙ୍କୁ ଦିବ୍ୟ ଉପଢ଼ୌକନ ତଥା ବିଶିଷ୍ଟ ଅବଦାନ ପାଇଁ ଡ଼.ନିତ୍ୟାନନ୍ଦ ମିଶ୍ରଙ୍କୁ ମାନ ଫଳକ ପ୍ରଦାନ କରାଯାଇ ସଂବର୍ଧିତ କରାଯାଇଥିଲା ଓଡ଼ିଶାର ସୁନାମଧନ୍ୟ ଶଲ୍ୟ ଚିକିତ୍ସା ବିଷାରଦ ତଥା ପୋଥି ସଂରକ୍ଷକ ଡ଼ାକ୍ତର ବିଷ୍ଣୁ ଚରଣ ମିଶ୍ରଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପଣ୍ଡିତ ସୁରେନ୍ଦ୍ର ନାଥ ପଣ୍ଡା ଆଠ ଖଣ୍ଡ ଦୁର୍ଲଭ ପୋଥି ସରସ୍ୱତୀ କେନ୍ଦ୍ରକୁ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶା ବ୍ରାହ୍ମଣ ମହାସଂଘର ତ୍ରେମାସିକ ପତ୍ରିକା “ବ୍ରହ୍ମ ସନ୍ଦେଶ” ଲୋକାର୍ପିତ ହୋଇଥିଲା । ସଂପାଦକ ଡ଼. ବସନ୍ତ କୁମାର ଦୀକ୍ଷିତ ସ୍ୱାଗତ କରିଥିଲେ ଏବଂ ମଦନ ମୋହନ ପାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ