କେନ୍ଦୁଝର, ୬ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲାରେ ବ୍ୟାପକ ପରିମାଣରେ ବାଲି ହରିଲୁଟ ହେଉଥିବାରୁ, ପରିବେଶ ଉପରେ ତା'ର କୁପ୍ରଭାବ ପଡିବା, ବନ୍ୟଯନ୍ତୁ ମାନେ ଭୟଭୀତ ଅବସ୍ଥାରେ ରହିବା ସହ ଏହି କିଛିଦିନ ଭିତରେ ବହୁ ଦୁର୍ଘଟଣା ଘଟିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ତହସିଲର ଘସିପୁରା ଥାନା ଅଧୀନ କୋଲିମାଟି ପଞ୍ଚୟତ ହେଉଛି ଏକ ଆଦିବାସୀ ଅଂଚଳ, ଏହି ପଂଚାୟତ ଦେଇ ବୈତରଣୀ ନଦୀ ପ୍ରବାହିତ, ତେବେ ଏହି ଅଂଚଳଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ଏହା ହାତୀଙ୍କର ଏବଂ ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ଏଠାରେ କୌଣସି ବାଲିଘାଟ ନିଲାମ ଦିଆଯାଇନାହିଁ। ତେବେ କିଛି ବାଲି ମାଫିଆ ଦୀର୍ଘ ଦିନ ହେବ ଏଠାରେ ବଡ଼ ବଡ଼ ମେସିନ ଲଗାଇ ହାଇୱା ଯୋଗେ ବାଲି ଉତ୍ତୋଳନ ଓ ପରିବହନ କରୁଛନ୍ତି। ତାହା ଦ୍ବାରା ରାସ୍ତା ଗୁଡିକ ବହୁ ଶୀଘ୍ର ନଷ୍ଟ ହେବାର ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ ବନ୍ୟଯନ୍ତୁ ସୁରକ୍ଷା ଆଇନ ମଧ୍ୟ ବାଟବଣା ହୋଇଯାଇଛି। ବନ ବିଭାଗ ପକ୍ଷରୁ ଠିକ ଭାବରେ ପେଟ୍ରୋଲିଙ୍ଗ କରାଯାଉନାହିଁ। ଅପର୍ଯ୍ୟପ୍ତ ବାଲି ଲୁଟ ହେଉଥିଲେ ମଧ୍ୟ ଖଣି ବିଭାଗ ନିରବଦ୍ରଷ୍ଟା ପାଲଟିଛି। ଏହି ବାଲି ଲୁଟ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ପୋଲିସ ବିଭାଗ ଚୁପ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସଂରକ୍ଷିତ ଜଙ୍ଗଲ ଓ ହାତୀ ଚଳପ୍ରଚଳ ଲାଗି ଥିବା ବନ ସଂରକ୍ଷଣ ଆଇନ ୧୯୮୦ ଅନୁଯାଇ ମାଫିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି। ପରିବେଶ କ୍ଷୟକ୍ଷତି ଲାଗି ପରିବେଶ ସୁରକ୍ଷା ଆଇନ ୧୯୮୬ ଆଧାରରେ କଡା ପଦକ୍ଷେପ ନେବା ଲାଗି ଦାବି ହେଉଛି। ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରୁ ଗଛ ହାଣି, ବାଲି ହରିଲୁଟ ଲାଗି ରାସ୍ତା ନିର୍ମାଣ କରିଥିବାରୁ ଜଙ୍ଗଲ ଆଇନ ୧୯୨୭ ଓ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ଇକୋସିଷ୍ଟମକୁ ନଷ୍ଟ କରିଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ହାତୀ ଚଳପ୍ରଚଳ କରୁଥିବା ରାସ୍ତାରେ ବାଲି ଗାଡି ନେବା ଲାଗି ହାତୀ ଉପରକୁ ଫାଙ୍କା ଗୁଳିଚାଳନା କରି ହାତୀ ମାନଙ୍କୁ ଭୟଭୀତ କରୁଥିବାରୁ ବନ୍ୟଯନ୍ତୁ ସୁରକ୍ଷା ଆଇନ ୧୯୭୨ ଲାଗୁ କରିବା ପାଇଁ ମଧ୍ୟ ଦୃଢ ଦାବି ହେଉଛି। ଯେହେତୁ ହାତୀ ଭଳି ବନ୍ୟଜନ୍ତୁ ସଂଖ୍ୟା ଦିନକୁ ଦିନ ରାଜ୍ୟରେ କମିବାରେ ଲାଗିଛି, ତେଣୁ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ମାଫିଆଙ୍କ ଦ୍ବାରା ନଷ୍ଟ ହୋଇଥିବା ପରିବେଶ ବନ୍ୟଜନ୍ତୁ ଏବଂ ରାସ୍ତା ନିର୍ମାଣ ପାଇଁ ମାଫିଆଙ୍କ ଠୁ ଅର୍ଥ ଆଦାୟ ପାଇଁ ବୁଦ୍ଧିଜୀବୀ ମହଲରେ ଜୋରଦାର ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA