ଭଦ୍ରକ ଜିଲା ଟିପ୍ପର (ଡମ୍ପର) ମାଲିକ ସଂଘ ପକ୍ଷରୁ ପ୍ରତୀକ ଅନଶନ, ଜିଲାପାଳଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଭିତିଭୂମି ନିର୍ମାଣ ଓ କର୍ମଯୋଗାଣ ପାଇଁ ଧାମରା ବନ୍ଦର ଏକ କର୍ମବର୍ଦ୍ଧିଷ୍ଣୁ ଦୀର୍ଘ ମିଆଦି ସଂସ୍ଥା। ଏହି ବନ୍ଦରର ସ୍ଥାପନା ବେଳେ ୭ ଗୋଟି ବ୍ଲକ୍‌ର ବିଭିନ୍ନ ଅଂଚଳ ଏହାର ନିର୍ମାଣ ପାଇଁ ଜମି ଓ ଲୋକବଳ ଦେଇଛନ୍ତି। ତେବେ କୌଣସି ନିର୍ଦ୍ଦିଷ୍ଟ ଅଂଚଳକୁ ଅତ୍ୟଧିକ ଅଗ୍ରାଧ
TIPPER DUMPER OWNER ASSOCIATION ANASANA


ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଭିତିଭୂମି ନିର୍ମାଣ ଓ କର୍ମଯୋଗାଣ ପାଇଁ ଧାମରା ବନ୍ଦର ଏକ କର୍ମବର୍ଦ୍ଧିଷ୍ଣୁ ଦୀର୍ଘ ମିଆଦି ସଂସ୍ଥା। ଏହି ବନ୍ଦରର ସ୍ଥାପନା ବେଳେ ୭ ଗୋଟି ବ୍ଲକ୍‌ର ବିଭିନ୍ନ ଅଂଚଳ ଏହାର ନିର୍ମାଣ ପାଇଁ ଜମି ଓ ଲୋକବଳ ଦେଇଛନ୍ତି। ତେବେ କୌଣସି ନିର୍ଦ୍ଦିଷ୍ଟ ଅଂଚଳକୁ ଅତ୍ୟଧିକ ଅଗ୍ରାଧିକାର ଦେଲେ, ଅର୍ଥନୈତିକ ବୈଷ୍ୟମତା ସହିତ ଆଇନ୍ ଶୃଙ୍ଖଳାର ବିପର୍ଯ୍ୟୟ ଘଟିବ ବୋଲି ଆଜି ଭଦ୍ରକ ଜିଲା ଟିପ୍ପର (ଡମ୍ପର) ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇ ୫ ଦଫା ଦାବିରେ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ମୂଳେ ଗତ ଦୀର୍ଘ ୨ ମାସ ଧରି ଏହି ସଂଘ ପକ୍ଷରୁ ଜିଲାର ଅଧିକାଂଶ ଟିପ୍ପର ଓ ଟ୍ରକ୍ ମାଲିକମାନଙ୍କର ଅଭାବନୀୟ ଆର୍ଥିକ ଦୂରାବସ୍ଥା ଓ ଏହାର ଦୂରୀକରଣ ନେଇ ଭଦ୍ରକର ଜିଲାପାଳ ଲୋକପ୍ରତିନିଧିମାନଙ୍କ ସହ ଆଲୋଚନା ହୋଇଛି। ଧାମରା ପୋର୍ଟ ଠାରେ କରାଯାଉଥିବା କୋଇଲା ପରିବହନ ହିଁ ମୁଖ୍ୟତଃ ଗାଡି ମାଲିକମାନଙ୍କ ପାଇଁ ରୋଜଗାରର ଏକ ଉତ୍ସ ହୋଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଅଂଚଳରୁ ଲୋକମାନଙ୍କୁ ସମୁଦାୟ କାମର ୭୦ ଭାଗ ଦିଆଯାଇଥିବାରୁ ସମଗ୍ର ଜିଲା ଗାଡି ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏ କ୍ଷେତ୍ରରେ ଆଂଚଳିକ ଅର୍ଥନୈତିକ ବୈଷମତା ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ନିମନ୍ତେ ଜିଲା ପ୍ରଶାସନ ନିର୍ବାଚନ ଜନ ପ୍ରତିନିଧିମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ସଂଘ କହିଛି। ତେବେ ଜିଲାପାଳଙ୍କୁ ଦିଆଯାଇଥିବା ପତ୍ରରେ ଯେଉଁ ୫ ଦଫା ଦାବି ଉତ୍‌ଥାପନ କରାଯାଇଛି, ସେଥିମଧ୍ୟରେ ଧାମରା ପୋର୍ଟରେ ପରିବହନ କ୍ଷେତ୍ରରେ ସୃଷ୍ଟି ହୋଇଥିବା କର୍ମ ଯୋଗାଣକୁ ଜିଲାର ସମସ୍ତ ଅଂଚଳ ଗୁଡିକ ମଧ୍ୟରେ ସମାନୁପାତରେ ବଂଟନ କରାଯିବା, ଜିଲାରେ ଗଢି ଉଠିଥିବା ଟ୍ରାନ୍ସପୋର୍ଟିଂ ଆସୋସିଏସନ୍ ଗୁଡିକର କାର୍ଯ୍ୟଶୈଳୀ, ଦକ୍ଷତା, ସମାଜସେବୀ ଓ ସଂଘର ବୟସ ସଦସ୍ୟ ସଂଖ୍ୟାକୁ ଆଧାର କରି ପରିବହନ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୁପାରିଶ କରାଯିବା, ପରିବହନ କ୍ଷେତ୍ରରେ ସୃଷ୍ଟି ହୋଇଥିବା କର୍ମଯୋଗାଣର ପାତର ଅନ୍ତର ନୀତି ବନ୍ଦ କରାଯାଇ ମାତ୍ର ୮ଟି ପଂଚାୟତର ଗାଡିମାନଙ୍କୁ ସମୁଦାୟ କାର୍ଯ୍ୟର ଯେଉଁ ୭୦ ପ୍ରତିଶତ କାମ ଦିଆଯାଇଛି, ତାହା ବନ୍ଦ କରାଯିବା, ୧୨୫ ସଦସ୍ୟ ବିଶିଷ୍ଟ ଭଦ୍ରକ ଜିଲାର ସର୍ବପୁରାତନ ଟିପ୍ପର ମାଲିକ ସଂଘକୁ ପୋର୍ଟ ପରିବହନ କ୍ଷେତ୍ରରେ ସାମିଲ କରିବା, ଗାଡି କିସ୍ତି ଦେଇନପାରି ହତାଶ ଓ ମାନସିକ ଯନ୍ତ୍ରଣା ଭିତରେ ରହିଥିବା ଗାଡି ମାଲିକମାନଙ୍କ ପ୍ରତି ସମବେଦନା ଜଣାଇବା ପୂର୍ବକ ଭଦ୍ରକ ଜିଲାପାଳ ତୁରନ୍ତ ଏକ କମିଟି ଧାମରା ବନ୍ଦର ଠାରେ କୋଇଲା ପରିବହନ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଗଠନ କରିବା ନେଇ ଉପରୋକ୍ତ ସଂଘ ପକ୍ଷରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତୀକ ଅନଶନ କରାଯାଇଥିଲା। ଏହି ଅନଶନ ସଭାରେ ଭଦ୍ରକ ଜିଲା ଟିପ୍ପର (ଡମ୍ପର) ମାଲିକ ସଂଘର ବରିଷ୍ଠ ସଦସ୍ୟ ଅଶୋକ ପରିଜା ଅଧ୍ୟକ୍ଷତା କରିଥିବାବେଳେ ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର, ସାଧାରଣ ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତି, ଉପସଭାପତି ପ୍ରଫୁଲ୍ଲ ପୃଷ୍ଟି ଓ ସଦସ୍ୟ ରଜତ ପତି, ଚନ୍ଦନ ନାୟକ, ସୌମ୍ୟରଂଜନ ବାରିକ, ରାଥିଆ ବାରିକ, ଅଶୋକ ବାରିକ, ବଳରାମ ପରିଡା, ତାଳଧ୍ୱଜ ବେହେରା, ଲକ୍ଷ୍ମୀକାନ୍ତ ବାରିକ, ଗୁରୁପଦ ସାହୁ, ଅଜୟ ବାରିକ, ପ୍ରେମାନନ୍ଦ ନାୟକ, ମହାପ୍ରାସାଦ ସାହୁ, ପ୍ରଶାନ୍ତ ସାହୁ, ସେକ୍ ରେଜଉଲ୍ ମୁସ୍ତାଫା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande