ପୁରୀ, ୬ ଅକ୍ଟୋବର (ହି.ସ.)- କୁମାର ଉତ୍ସବ ସମିତି ପକ୍ଷରୁ ୫୮ତମ କୁମାର ଉତ୍ସବ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଅକ୍ଟୋବର ୮ ରୁ ୧୦ ତାରିଖ ତିନିଦିନ ସଂଧ୍ଯାରେ ଅନୁଷ୍ଠିତ ହେବ । ଚଳିତବର୍ଷ ଶ୍ରୀକ୍ଷେତ୍ର କୁମାରୀ ଭାବେ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଅରୋଶିଖା ରଥ ଓ ଶ୍ରୀକ୍ଷେତ୍ର କୁମାର ଭାବେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ଲଗ୍ନଲୋକିତ ତ୍ରିପାଠୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏ ସମ୍ପର୍କରେ ସୋମବାର ମଧ୍ଯାହ୍ନରେ ପୁରୀ-କୋଣାର୍କ ରାସ୍ତାର ପୂଜାପଣ୍ଡା ପେଟ୍ରୋଲ ପମ୍ପ ନିକଟ ପୂଜାପଣ୍ଡା କନଭେନସନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ଯକାରୀ ସଭାପତି ରାଜେଶ ମିଶ୍ର ଓ ଚକ୍ରଧର ମହାପାତ୍ର, ସମ୍ପାଦକ ସ୍ବାଧୀନ କୁମାର ପଣ୍ଡା, ଉପସଭାପତି ଅମରେନ୍ଦ୍ର ପାଇକରାୟ, ସ୍ମରଣିକା ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ପ୍ରତିଯୋଗିତା ସଂଯୋଜକ ସୁକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ କୁମାର ଉତ୍ସବର ଐତିହ୍ଯ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତର ସୁନେଲି ସଂଧ୍ଯା ସମ୍ପର୍କରେ ମତ ଦେଇଥିଲେ । ଚଳିତବର୍ଷ ବରିଷ୍ଠ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ସୌମ୍ୟରଞ୍ଜନ ପଣ୍ଡା, ସ୍ତମ୍ଭକାର ସତୀଶ ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ରାଜେଶ ମହାପାତ୍ର, ପୁରୀ ବିଚ ଲାଇଭ ଗାର୍ଡ ମହାସଂଘ, ସାମାଜିକ କର୍ମୀ ବିଜୟ କୁମାର ଚିନ୍ନରା (ଭୋଳା)ଙ୍କୁ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯିବ । ୧୦ ତାରିଖ ଶୁକ୍ରବାର ଉଦଯାପନୀ ସଂଧ୍ଯାରେ ରଙ୍ଗୀନ ଆଲୋକ ମାଳାରେ ଓଡ଼ିଶାର କୋକିଳ କଣ୍ଠି ଗାୟିକା ଇରା ମହାନ୍ତିଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ । ୮ ତାରିଖ ବୁଧବାର ସଂଧ୍ଯାରେ ଉଦଘାଟକ ଭାବେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଯୋଗଦେବେ । ସମ୍ମାନିତ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ପ୍ରମୁଖ ଯୋଗଦେବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଢ ନୃତ୍ଯ ପରିବେଷଣ କରିବେ ବରଦ ମହାବୀର ମେଢ ନୃତ୍ଯ ଗୃପ୍, ମାହାରୀ ନୃତ୍ଯ, ସମ୍ବଲପୁରୀ ଲୋକ ନୃତ୍ଯ, ଓଡିଶୀନୃତ୍ଯ, ମାଲଖମ୍ବ ପରିବେଷଣ କରାଯିବ । ଦ୍ବିତୀୟ ସଂଧ୍ଯାରେ ମାହାରୀ ନୃତ୍ଯ, ଫ୍ଯୁଜନ, ସମ୍ବଲପୁରୀ ଲୋକନୃତ୍ଯ, ଶ୍ରୀଜଗନ୍ନାଥାଷ୍ଟକମ୍, ପାଇକ ଆଖଡା ପରିବେଷଣ କରାଯିବ । ତିନିଦିନ କୁମାର ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ଅନୁଷ୍ଠାନର ସଭାପତି ବିଭୁପ୍ରସାଦ ତ୍ରିପାଠୀ, ମନୋଜ ରଥ, ବିଦୁଲତା ଆଚାର୍ଯ୍ଯ, ସରସ୍ଵତୀ ପାତ୍ର, ଶୁଭଶ୍ରୀ ଜୟସିଂହ, ବିଶ୍ବନାଥ ଦାଶ, ବନିତା ଦୀକ୍ଷିତ, ଶ୍ଯାମପ୍ରକାଶ ସେନାପତି, ପ୍ରିୟାଂଶୀ ଦାସଙ୍କ ସମେତ ସମିତିର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ