

ସୁବର୍ଣ୍ଣପୁର, 10 ନଭେମ୍ବର (ହି.ସ.)
ସୁବର୍ଣ୍ଣପୁର ପୋଲିସକୁ ମିଳିଛି ପୁଣି ଏକ ସଫଳତା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ସୋମବାର ଦିନ ସକାଳୁ ୫.୩୦ ମିରେ ସମୟରେ ବଡଫଟାମୁଣ୍ଡା ଖେଳ ପଡିଆ ଏନଏଚ-୨୬ ଠାରେ ପୋଲିସ ପକ୍ଷରୁ ଏଏସଆଇ ସୁକାନ୍ତ କୁମାର ଜେନା ଙ୍କ ନେତୃତ୍ବରେ ଏକ ଟିମ୍ ତଲାସି ଚଲାଇଥିବା ବେଳେ ବଲାଙ୍ଗୀର ପଟରୁ ଏକ ଧଳା ରଙ୍ଗର ନୂଆ ବୋଲେରୋ ଗାଡ଼ି ଆସୁଥିବା ଦେଖି ତାକୁ ଅଟକାଇ ଯାଞ୍ଚ କରିଥଲେ । ଗାଡି ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ ପରେ ଗାଡି ଚାଳକ ଓ ଜଣେ ଯୁବକ କୁ ପୋଲିସ ଅଟକ ରଖିଥିଲେ । ପରେ ଏନଡିପିଏସ ଆଇନ ଅନୁଯାୟୀ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ ଉପସ୍ଥିତ ତଲାସୀ କରାଯାଇ ନୂଆ ବୋଲେରୋ ଗାଡିରେ ୯ଟି ବ୍ୟାଗ ଥିବା ଦେଖିବାକୁ ମିଳିଥିଲା । ୯ଟି ବ୍ୟାଗକୁ ଖୋଲିଲା ପରେ ସେଥିରୁ ୧୨୫ଟି ଗଞ୍ଜେଇ ଭର୍ତ୍ତି ପ୍ୟାକେଟ ବାହାରିଥିଲା । ପ୍ରତି ପ୍ୟାକେଟ ରେ ୨ କିଲୋ ଗଞ୍ଜେଇ ଥିଲାବେଳେ ମୋଟ ଓଜନ ୨ କ୍ୱଣ୍ଟାଲ ୪୯ କେଜି ୬୧୦ଗ୍ରାମ ଥିବା ଜଣାପଡିଥିଲା । ପରେ ୨ ଅଭିଯୁକ୍ତ ସୁରେନ୍ଦ୍ର ବିଶ୍ବାକର୍ମା (୩୦) ଓ ଦିପାଂଶୁ ସିଂ (୨୪) ଫତେପୁର ଜିଲ୍ଲା ହାଟଗାଁଓ ଥାନା, ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ସେମାନେ ବୌଦ୍ଧ ଜିଲ୍ଲାରୁ ଉତ୍ତରପ୍ରଦେଶ କୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ସୂଚନା ଦେଇଥିଲେ । ସରକାରୀ ହିସାବରେ ଚୋରା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ଥିବାବେଳେ ବାହାର ବଜାର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ନାରାୟଣ ନାୟକ ସୂଚନା ଦେଇଛନ୍ତି । ଏ ନେଇ ଡୁଙ୍ଗୁରିପାଲି ଥାନାରେ କେସ ନଂ ୨୧୯ ତା୧୦/୧୧/୨୫ U/s-20(b)C/29 NDPS ଆକ୍ଟ ଅନୁଯାୟୀ ମାମଲା ରୁଜୁ ହେବା ସହ ଏସଆଇ ପ୍ରେମରାଜ ସାହୁ ମାମଲା ର ତଦନ୍ତ କରୁଛନ୍ତି । ଆହୁରି ମଧ୍ୟ ଏସପି ଶ୍ରୀ ନାୟକ ସୂଚନା ଦେଇଛନ୍ତି ଯେ ସୁବର୍ଣ୍ଣପୁର ପୋଲିସ ଗତ ୬ ମାସ ମଧ୍ୟରେ ୯୫ ରୁ ଅଧିକ NDPS ମାମଲା ରୁଜୁ କରି ୧୩୫ ଲୋକଙ୍କୁ ଗିରଫ କରିବା ସହ ୫୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୫୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ