
କେନ୍ଦୁଝର, ୯ ନଭେମ୍ବର (ହି.ସ.)- ଘସିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ସୁଆଁପଦା ନୃସିଂହ ନାରାୟଣପୁର ଶାସନ ଗ୍ରାମର ସ୍ବନାମଧନ୍ୟ ଆଦର୍ଶ ଶିକ୍ଷକ ସ୍ବର୍ଗତ ଭାଗୀରଥି ତ୍ରିପାଠୀଙ୍କ ଦ୍ବାଦଶାହ ଅବସରରେ ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ ଆନନ୍ଦପୁର ମଣ୍ଡଳ ତରଫରୁ ତାରକେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ତ୍ରିପାଠୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ତ୍ରିପାଠୀ ଜଣେ ଅମାୟିକ ନୀତିବାନ ଆଦର୍ଶ ଶିକ୍ଷକ ସହ ଆଧ୍ୟାତ୍ମିକବାଦୀ ଭାବେ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ସୁଖ୍ୟାତି ରହିଥିବା ବେଳେ ରାମଚନ୍ଦ୍ରପୁର ଠାରେ ସ୍କୁଲ ସହ ଗ୍ରାମରେ ମନ୍ଦିର ତିଆରି ପାଇଁ ସ୍ବତନ୍ତ୍ର ପରିଚୟ ଥିଲା। ସାରାଜୀବନ ସେ ଚାରଣ ଗୋଷ୍ଠୀ ସହ ବିଭିନ୍ନ ସେବାରେ ନିଜକୁ ନିୟୋଜିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶାନ୍ତି ନିକେତନ ବିଶ୍ବବିଦ୍ୟାଳୟର ପ୍ରଫେସର ଡଃ. ସନତ କୁମାର ରଥଙ୍କ ସଂଯୋଜନାରେ ଗାଳ୍ପିକ ହଳଧର ପଣ୍ଡା, ରାମଚନ୍ଦ୍ରପୁର ପୂର୍ବତନ ସରପଞ୍ଚ ଗୋବିନ୍ଦ ରାଉତ, ବିଚିତ୍ରାନନ୍ଦ ଦାଶ, ନବଘନ ସ୍ବାଇଁ, ମହେଶ୍ବର ସାହୁ, ପିତାମ୍ବର ନାଥ, ଗୁଣନିଧି ପଣ୍ଡା, ଶିଶିର ଜେନା, ସୁରେନ୍ଦ୍ର ନାୟକ, ଘନଶ୍ୟାମ ବୋଇତେଇ, ଚୈତନ୍ୟ ମହାଳିକ ପ୍ରମୁଖ ଯୋଗଦାନ କରି ସ୍ମୃତି ସଭାରେ ସ୍ମୃତିଚାରଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA