
କନ୍ଧମାଳ, ୧୦ ନଭେମ୍ବର(ହି.ସ.) – ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ସାଧାରଣ ପରିଷଦ ବୈଠକ ଓ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦୁଇ ବର୍ଷ ପାଇଁ ପୁଣି ସଭାପତି ଭାବେ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଓ ମୁଖ୍ୟ ସମ୍ପାଦକ ଭାବେ ଡ.କାହ୍ନୁଚରଣ ଶତପଥୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଆଜି ଫୁଲବାଣୀ ସ୍ଥିତ ମା ନାରାୟଣୀ ଯାତ୍ରା କମିଟି କାର୍ଯ୍ୟାଳୟରେ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ରେ, ପ୍ରଥମେ ଦିବଙ୍ଗତ ସାରସ୍ୱତ ସାଧକ ମାନଙ୍କର ଅମର ଆତ୍ମାର ସଦ୍ ଗତି ନିମନ୍ତେ ନିରବ ପ୍ରାର୍ଥନା ପରେ ଡକ୍ଟର କାହ୍ନୁଚରଣ ଶତପଥୀଙ୍କ ରଚିତ ପୁସ୍ତକ ମାମିନାର ମାନପତ୍ର ର ଉନ୍ମୋଚନ ଏବଂ ଜିଲ୍ଲା ର କୃତି ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତୀ ଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତିଙ୍କ ବକ୍ତବ୍ୟ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା, ପ୍ରାଧ୍ଯାପକ ଶ୍ରୀ ତୀର୍ଥ ଯାନୀ ନିର୍ବାଚନ ପରିଚାଳନା କରିଥିଲେ। ଏଥିରେ ସଭାପତି ଭାବେ ଚତୁର୍ଥ ଥର ପାଇଁ ଶ୍ରୀ ପ୍ରଶାନ୍ତ କୁମାର ବେହେରା ନିର୍ବାଚିତ ହୋଇଥିଲେ। ଉପସଭାପତି ଭାବେ, ଶ୍ରୀ ଶରତଚନ୍ଦ୍ର ମହାନ୍ତି ଓ ସୂଜିତ କୁମାର ବେହେରା, ନିର୍ବାଚିତ ହୋଇଛନ୍ତି। ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ଭାବେ ଡକ୍ତର କାହ୍ନୁଚରଣ ଶତପଥୀ ନିର୍ବାଚିତ ହୋଇଥିବାବେଳେ, ଯୁଗ୍ମସଂପାଦକ ଭାବେ ଶ୍ରୀ ଶ୍ୟାମବନ୍ଧୁ ମହାରଣା ଓ ଶ୍ରୀମତୀ ବିରାଜିନୀ ମହାପାତ୍ର, ସାଂସ୍କୃତିକ ସମ୍ପାଦିକା ଭାବେ ସୁଶ୍ରୀ ମୁସ୍କାନ ସୁଆର ଓ ଶ୍ରୀମତୀ ରୁପମ୍ବିକା ତ୍ରିପାଠୀ, ସଂଗଠନ ସମ୍ପାଦକ ଭାବେ ଶ୍ରୀ ତ୍ରିଲୋଚନ ପଣ୍ଡା, ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଶ୍ରୀ ସୋମନାଥ ସାହୁ, ଶ୍ରୀ ରଞ୍ଜନ କୁମାର ଗିରି,ଶ୍ରୀ ଶଶିଭୁଷଣ ପ୍ରଧାନ, ଶ୍ରୀମତୀ ସରସ୍ୱତୀ ସାହୁ,ଶ୍ରୀମତୀ ସୁନିତୀ ଆଚାରୀ ଓ ଶ୍ରୀମତୀ ପ୍ରଣତି ତ୍ରିପାଠୀଙ୍କୁ ଚୟନ କରାଯାଇଛି। ସେହିପରି ମୁଖ୍ୟ ଉପଦେଷ୍ଟା ଭାବେ ପ୍ରାଧ୍ଯାପକ ତୀର୍ଥ ଯାନୀଙ୍କୁ ଏବଂ ଉପଦେଷ୍ଟା ଭାବେ ଶ୍ରୀ ସୁବାଷ ଚନ୍ଦ୍ର ମହାନ୍ତି, ଶ୍ରୀମତୀ କଳ୍ପନାରାଣୀ ପାତ୍ର, ଡଃ ପୁଷ୍ପାଞ୍ଜଳି ମିଶ୍ର ଓ ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କୁ ଚୟନ କରାଯାଇଛି। ଏଥିରେ ଅନୁଷ୍ଠାନର ୩୫ ଜଣରୁ ଅଧିକ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ପୁନର୍ବାର ଦାୟିତ୍ୱ ଦିଆଯାଇଥିବାରୁ ସଭାପତିଙ୍କ ସମେତ ସମସ୍ତ ନୁତନ କର୍ମକର୍ତା ସଦସ୍ୟ ସଦସ୍ୟାମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଆଗାମୀ ଦୁଇବର୍ଷ ପାଇଁ ସହଯୋଗ କାମନା କରିଥିଲେ। ଆସନ୍ତା ଡିସେମ୍ବର ୧୦ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଶୀତ ସହୋତ୍ସବ ଓ ୨୦୨୬ ମସିହା ଫେବୃଆରୀ ଷୋଡଶ ବନଜ୍ୟୋତ୍ସ୍ନା ପୁସ୍ତକ ଉତ୍ସବ ଓ ସାଂସ୍କୃତିକ ମେଳାର ଆୟୋଜନ ଏବଂ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା। ଶେଷରେ ଶ୍ରୀମତୀ ରୁପମ୍ବିକା ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ