
ପୁରୀ, ୧୦ ନଭେମ୍ବର (ହି.ସ.)- ପବିତ୍ର ଶ୍ରୀକ୍ଷେତ୍ର ପରିକ୍ରମା ଅବସରରେ ସୋମବାର ସକାଳୁ ସକାଳୁ ପୁରୀ ସହରରେ ଥିବା ଶ୍ରୀସିଦ୍ଧମହାବୀର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ କରିଛନ୍ତି । ଅଧିକ ସଂଖ୍ୟକ ଭକ୍ତ ଗୌଡ଼ୀୟ ସଂପ୍ରଦାୟ ଓ ବଙ୍ଗୀୟ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା । ଏହି ବେଶ ଅତି ଦୁର୍ଲଭ, ଯାହାକୁ ଦର୍ଶନ କଲେ ଅନେକ ଗ୍ରହରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଭକ୍ତମାନେ ଖାଲି ପାଦରେ ଶ୍ରୀକ୍ଷେତ୍ରରେ ଥିବା ଶ୍ରୀମନ୍ଦିର ସିଂହଦ୍ଵାରରେ ପତିତପାବନ ଦର୍ଶନ, ସ୍ବର୍ଗଦ୍ବାର ଘାଟ, ମଙ୍ଗଳା ମୁହାଣ, ଶ୍ରୀଲୋକନାଥଙ୍କ ମନ୍ଦିର, ମଙ୍ଗଳାଘାଟ, ଆଲାମଚଣ୍ଡୀ, ମକରଧ୍ବଜ ହନୁମାନ ଓ ଅଠରନଳା ଦେଇ ସିଦ୍ଧମହାବୀରଙ୍କ ଦର୍ଶନ କରିଥିଲେ । ଶ୍ରୀସିଦ୍ଧମହାବୀରଙ୍କ ଠାରୁ ତାଳବଣିଆ ଦେଇ ଚକ୍ରତୀର୍ଥ ରୋଡ ସୁନାର ଗୌରାଙ୍ଗ, ବେଡି ହନୁମାନ, ଚକ୍ର ନାରାୟଣ ମନ୍ଦିର ଦର୍ଶନ କରିଥିଲେ । ଚକ୍ର ନାରାୟଣଙ୍କ ଠାରୁ ନାରାୟଣ ଘାଟ ସ୍ବର୍ଗଦ୍ବାର ଦେଇ ପୁଣି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପରିକ୍ରମା ଶେଷ କରିଥିଲେ । ଯିବା ସମୟରେ ହରିବୋଲ, ହୁଳୁହୁଳି ପକାଇ ଜୟ ଜଗନ୍ନାଥ ନାମ ଧ୍ବନି ଉଚାରିତ କରି ମୃଦଙ୍ଗ ବଜାଇ ନାଚି ଗୀତ ଗାଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଶ୍ରୀକ୍ଷେତ୍ର ପରିକ୍ରମା କଲେ ଅଦ୍ଭୁତ ଫଳ ମିଳିଥାଏ । ଚାରିଧାମ ପରିକ୍ରମାର ଫଳ ମଧ୍ୟ ମିଳିଥାଏ । ଆଜି ସିଦ୍ଧ ମହାବୀରଙ୍କୁ ନାଗାର୍ଜୁନ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶ ଦର୍ଶନ କଲେ ମହାପୂଣ୍ଯ ମିଳିଥାଏ । ଶ୍ରୀସିଦ୍ଧମହାବୀରଙ୍କ ଚରଣ ସ୍ପର୍ଶ କଲେ ଶକ୍ତି ଓ ଶାନ୍ତି ମିଳିଥାଏ ।
ଏହି ଅବସରରେ ସିଦ୍ଧ ମହାବୀର ଅଞ୍ଚଳରେ ଅନେକ ଦୋକାନ ବଜାର ଓ ପସରା ଖୋଲାଯାଇଛି । ତାଳପତ୍ର ଭୋଗେଇ ବିଞ୍ଚଣା, ଖେଳନା, ଭୋଗ, ଦୀପ ଦୋକାନରେ ଗହଳି ଲାଗିରହିଛି । ସିଦ୍ଧମହାବୀର ପୋଖରୀର ଚାରିପଟେ ଉଜ୍ଜ୍ୱଳ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଛି ସଂଧ୍ଯା ସମୟରେ ପୁଷ୍କରିଣୀ ନିକଟରେ ଭଜନ ସଂଧ୍ଯାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାୟକ ଗାୟିକା ଯୋଗ ଦେଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଯାନବାହାନ କଟକଣା ଲାଗୁ କରାଯାଇଥିଲା । ସିଦ୍ଧମହାବୀର ଟ୍ରଷ୍ଟ ବୋର୍ଡ, ଆଞ୍ଚଳିକ ପରିଷଦ ଓ ସାହିର ଯୁବ ସଂଗଠନ ମାନେ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବିଜୟ