
ଜୟପୁର , 11 ନଭେମ୍ବର (ହି.ସ.)ଜୟନ୍ତଗିରି ସରପଞ୍ଚ ଭଦ୍ର ପୂଜାରୀଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ଗ୍ରହଣ କରାଯାଇଛି। କିନ୍ତୁ ସରପଞ୍ଚ ଭଦ୍ର ପୂଜାରୀ ହାଇକୋର୍ଟରୁ ରହିତାଦେଶ ଆଣିଥିବା ଯୋଗୁଁ ଫଳାଫଳ ଘୋଷଣା ହୋଇନଥିବା ତହସିଲଦାର ସବ୍ୟସାଚ୍ଚୀଜେନା ପ୍ରକାଶ କରିଛନ୍ତି। ଆଜି ସରପଞ୍ଚଙ୍କୁ ବିରୁଦ୍ଧରେ ୧୧ଜଣ ଅନାସ୍ଥା ଭୋଟ ଦେଇଛନ୍ତି। ଆସନ୍ତା ଡିସେମ୍ବର ୧୨ ପରେ ପରବର୍ତ୍ତି ଶୁଣାଣି ଲାଗି ହାଇକୋର୍ଟ ଦିନ ଧାର୍ଯ୍ୟ କରିଥିବାରୁ ଫଳାଫଳ ପରେ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି।
ସରପଞ୍ଚ ଶ୍ରୀ ପୂଜାରୀ କହିଛନ୍ତି ଅନାସ୍ଥା ଅଭିଯୋଗରେ ପ୍ରକୃତ ଵାର୍ଡ ମେମ୍ବରଙ୍କ ବଦଳରେ କେତେକଙ୍କ ନକଲି ଦସ୍ତଖତ କରାଯାଇଛି। ଏଥିସହ ଆଉ କେତେକ ବେଆଇନ କାମ ହୋଇଛି। ଏସବୁ ପ୍ରମାଣ ଦାଖଲ କରି ଅନାସ୍ଥା ଭୋଟ ଗ୍ରହଣ ବନ୍ଦ କରିବାକୁ ସେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ। ଏହାର ଶୁଣାଣି କରି ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି। ସୂଚନା ଥାଉକି ଜୟନ୍ତଗିରି ପଞ୍ଚାୟତରେ ମୋଟ ୧୩ଟି ଵାର୍ଡ ରହିଛି। ସେଥିରୁ ଜଣେ ଵାର୍ଡମେମ୍ବରଙ୍କ ଦେହାନ୍ତ ହୋଇଛି। ବଳକା ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ଵାର୍ଡ ମେମ୍ବର ସରପଞ୍ଚ ପୂଜାରୀଙ୍କ ବିରୁଦ୍ଧରେ ଅନାସ୍ଥା ଦେଇଛନ୍ତି। ପୂର୍ବରୁ ମଧ୍ୟ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ। ସେଥିରେ ଦର୍ଶାଇଥିଲେ ସରପଞ୍ଚ ଶ୍ରୀ ପୂଜାରୀ ମନମୁଖୀ କର୍ଯ୍ୟ କରୁଛନ୍ତି। ଵାର୍ଡମେମ୍ବରମାନଙ୍କ ବିନା ପରାମର୍ଶରେ ନିଜ ଇଚ୍ଛାରେ କାମ କରୁଛନ୍ତି। ସରକାରଙ୍କ ଗାଇଡ ଲାଇନ ଅନୁସାରେ କାମ ହେଉନଥିବାରୁ ତାଙ୍କୁ ତୁରନ୍ତ ହଟାଯାଉ। ଅଭିଯୋଗକୁ ଗ୍ରହଣ କରି ଵାର୍ଡମେମ୍ବରମାନଙ୍କ ଦସ୍ତଖତ ଏବ˚ ସରପଞ୍ଚ ବିରୁଦ୍ଧରେ ହୋଇଥିବା ଅଭିଯୋଗର ପ୍ରଶାସନ ଯାଞ୍ଚ କରିଥିଲେ। କିନ୍ତୁ ଏଥି ପୂର୍ବରୁ ସରପଞ୍ଚ ଶ୍ରୀ ପୂଜାରୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି