

ସମ୍ବଲପୁର, ୧୩ ନଭେମ୍ବର (ହି.ସ.) ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ହରଗୌରି ବିହାରରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ଜୁଆ ଆସରରୁ ୨ ଲକ୍ଷ ୭୫ ହଜାର ୬୮୦ ଟଙ୍କା ଜବତ କରିଛି । ଗିରଫ ଜୁଆଡ଼ି ମାନଙ୍କ ମଧ୍ୟରେ ଧନୁପାଲି ଥାନା ଅନ୍ତର୍ଗତ ପେନସନପଡ଼ାର ମୂଳ ବାସିନ୍ଦା ତଥି ଡିଅରପାର୍କ ଅଞ୍ଚଳରେ ରହୁଥିବା ସୟଦ ଜାହିର(୪୯), ମୋତିଝରଣର ମହମ୍ମଦ ରାୟିଶ୍(୪୯),ପେନସନପଡ଼ାର ଅନୱର ମନହୀର(୩୯), କୁମ୍ଭାରପଡ଼ାର ମହମ୍ମଦ ସାହରୁଖ(୨୬), କ୍ଷେତରାଜପୁର ଥାନା ଅନ୍ତର୍ଗତ ବଙ୍ଗାଲିପଡ଼ାର ରବିନ୍ଦ୍ର ମାଣ୍ଡେକର(୩୭), ଚେରୁଆପଡ଼ାର ବିଜୟ କୁମାର ଗୁପ୍ତା(୬୪) ବୁର୍ଲାଥାନା ଅନ୍ତର୍ଗତ ଏ.କଟାପାଲିର ମାଧବେନ୍ଦୁ ପାଲ(୩୪), ୱାନ-ଆର୍ କଲୋନୀର ବଣ୍ଟି ବେହେରା(୩୦), ମହତାବନଗରରେ ରହୁଥିବା ସୁବର୍ଣ୍ଣପୁର ଜିଲା, ବିରମହାରାଜପୁର ବାଘପାଲିର ମୂଳ ବାସିନ୍ଦା ରାଜୀବ ପାଣିଗ୍ରାହୀ(୩୭), ହୀରାକୁଦ ଥାନା ଅନ୍ତର୍ଗତ ହୀରାକୁଦ ସହରର ଗଣେଶ ବାହାଦୂର(୨୯), ଟାଉନଥାନା ଅନ୍ତର୍ଗତ ନୟାପଡ଼ା ନୂଆଗଳିର ପ୍ରଦୀପ ବାଗ(୩୨) ରହିଥିବା ଜଣାପଡିଛି । ଜୁଆଡି ମାନଙ୍କ ଠାରୁ ନଗଦରାଶି ସହିତ ୧୨ଟି ମୋବାଇଲ ଫୋନ, ୪ଟି ବାଇକ୍, ଗୋଟିଏ କାର, ଗୋଟିଏ ଚଟେଇ ଓ ୧୦୪ ସେଟ୍ ତାଲପାଲିକୁ ପୋଲିସ ଜବତ କରିଛି । ଅଇଁଠାପାଲି ଥାନାରେ ଏସମ୍ପର୍କରେ ୩୭୪/୨୫ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଅନୁସାରେ ଗତ ବୁଧବାର ରାତିରେ ହତଗୌରୀ ନଗରରେ ଥିବା ଏକ ଅର୍ଦ୍ଧନିର୍ମିତ କୋଠାଘରେ ସବୁଦିନ ପରି ଏହି ଜୁଆ ଆସର ଚାଲିଥିବା ସମ୍ପର୍କରେ ଅଇଁଠାପାଲି ଥାନାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଥାନା ଆଇଆଇସି ପ୍ରଦ୍ଯୁମ୍ନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଦଳ ସେଠାରେ ପହଞ୍ଚି ଅତର୍କିତ ଚଢ଼ାଉ କରିଥିଲା । ଠିକ୍ ବାଜିମାତ୍ ବେଳକୁ ପୋଲିସର ଏଭଳି ଅତର୍କିତ ଚଢ଼ାଉରେ ଜୁଆଡ଼ିମାନେ ଉତ୍ତେଜିତ ହୋଇ ଏହାର କୁପରିଣାମ ଭୋଗିବାକୁ ପୋଲିସକୁ କଡ଼ା ଚେତାବନୀ ଦେଇ ପୋଲିସକୁ ଠେଲାପେଲା କରି ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିଲେ । ମାତ୍ର ନଛୋଡବନ୍ଧା ପୋଲିସ ସମସ୍ତ ଜୁଆଡିଙ୍କୁ ଗୋଟାଏ ପରେ ଗୋଟାଏ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ