
ପୁରୀରେ ୨ ଦିନରେ ୨ ହତ୍ଯାକାଣ୍ଡ
ପୁରୀ,, 13 ନଭେମ୍ବର (ହି.ସ.)- ପୁରୀ ସହରରେ ଅପରାଧୀଙ୍କୁ ଦମନ କରିବା ପାଇଁ ଅପରେସନ ଚକ୍ର ଜାରି ରହିଛି । ଆତଙ୍କବାଦୀଙ୍କୁ ପ୍ରତିରୋଧ କରିବା ପାଇଁ ସହରରେ ହାଇଆଲର୍ଟ ଓ ମକଡ୍ରିଲ ପକ୍ରିୟା ଚାଲୁ ରହିଛି । ଏହି ସମୟରେ ବୁଧବାର ଓ ଗୁରୁବାର ୨ ଦିନରେ ସହରରେ ଘଟିଛି ୨ଟି ହତ୍ୟାକାଣ୍ଡ । ଜଣେ ରାଜ୍ଯ ବାହାରର ଟାଇଲ ମିସ୍ତ୍ରୀଙ୍କ ହୋଇଥିବା ବେଳେ ଅନ୍ଯ ଜଣେ ପୁରୀର ନାବାଳକ କୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଟାଇଲ ମିସ୍ତ୍ରୀ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁରର ରାଜେଶ କୁମାର (୩୫) । ଅନ୍ଯ ଜଣେ ସହଯୋଗି ଶ୍ରମିକ ଏସକେ ଫିର୍ଦ୍ଦୋସ (୩୫) ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଏହି ଘଟଣାରେ ମୁଖ୍ଯ ଅଭିଯୁକ୍ତ ଠିକାଦାର ମୁଶାରଫ ଫେରାର ହୋଇଯାଇଥିବା ବେଳେ ସ୍ବତନ୍ତ୍ର ପୋଲିସ ଟିମ ପଶ୍ଚିମବଙ୍ଗ ଯାଇ ଅଭିଯୁକ୍ତକୁ ଧରିବା ପାଇଁ ସକ୍ଷମ ହୋଇଛି । ଘଟଣାଟି ଘଟିଛି ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ତୋଟା ବେହେରା ସାହିରେ । ଗୁରୁବାର ସକାଳୁ ଶ୍ରୀସେତୁ ପାଖରେ ଥିବା ଜଳ ଭଣ୍ଡାରରେ ଏକ ମୃତ ଦେହ ଭାସୁଥିବା ଦେଖି ସଦରଥାନାରେ ଖବର ପହଞ୍ଚିବା ପରେ ଥାନା ପକ୍ଷରୁ ଶବକୁ ଉଦ୍ଧାର କରାଯାଇଥିଲା । ଅନ୍ଯପକ୍ଷରେ ଟାଉନଥାନା ଅନ୍ତର୍ଗତ ଶଗଡିଆ ସାହିର ଜଣେ ନାବାଳକ ପୁଅ ହଜିବା ସମ୍ପର୍କରେ ଟାଉନଥାନାରେ ମା ଅଭିଯୋଗ କରିଥିଲେ । ଶବ ଚିହ୍ନଟ ପରେ ମୃତ ନାବାଳକ ଜଣଙ୍କ ସୂର୍ଯ୍ଯମଣି ସାହୁ ବୋଲି ଜଣାପଡିଥିଲା । ନାବାଳକ ଜଣଙ୍କ ମଙ୍ଗଳବାର ଦିନ ପୋଢୁଆଁ ପାଇଁ ସାର୍ଟ ପେଣ୍ଟ ଘରେ ଦେଇ ଜଳଖିଆ ପାଇଁ ଯାଇଥିଲା । ପୁଅ ସଂଧ୍ଯାସୁଦ୍ଧା ନଫେରିବାରୁ ବହୁତ ଖୋଜାଖୋଜି କରି ଶେଷରେ ଟାଉନଥାନାରେ ମା ନିଖୋଜ ଅଭିଯୋଗ କରିଥିଲେ । ପୂର୍ବ ଶତ୍ରୁତା ରୁ ଏହି ହତ୍ଯାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏଠାରେ ସୂଚନା ଯୋଗ୍ଯଯେ ପୁରୀ ସହରରେ କିଛି ନାବାଳକ ମାନେ ଅପରାଧୀକ କାର୍ଯ୍ୟକଳାପରେ ଦିନକ ଦିନ ସଂଶ୍ଲିଷ୍ଟ ହେଉଥିବା ନଜିର ରହିଛି । ନାବାଳକ ମାନଙ୍କୁ ଅପରାଧୀକ କାର୍ଯ୍ୟକଳାପ ନକରିବା ପାଇଁ ପୋଲିସ ଓ ସ୍ବେଛାସେବୀ ମାନେ ସଚେତନ କରୁଥିଲେ ମଧ୍ଯ ତାହା ସୁଫଳ ମିଳୁନଥିବା କୁହାଯାଉଛି । ଏହି ଦୁଇଟି ଘଟଣାରେ ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି ଦୁଇଟି ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ