କୋରେଇ ପୁଲିସ ବାଲି ମାଫିଆଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ : ଫୁଟିଲା ଗୁଳି, ଏନକାଉଂଟର ଧମକ ଦେଇ ୬ ଯୁବକଙ୍କୁ ଉଠାଇନେଲା
କୋରେଇ, ୧୩ ନଭେମ୍ବର (ହି.ସ.)- ଅର୍ଥଲୋଭରେ ପଡି କୋରେଇ ପୁଲିସ ସମସ୍ତ ନିୟମକୁ ଜଳାଂଜଳୀ ଦେଇ ସୀମା ଟପି ବନ୍ଧୁକ ଫୁଟାଇ ମାଡ ମାରି ଯୁବକ ମାନଙ୍କୁ ଥାନାକୁ ଉଠାଇ ନେବା କେତେଦୂର ଯୁକ୍ତିସଂଗତ ତା''ର ବିଚାର ସାଧାରଣରେ ଓ ପୁଲିସ ମୁଖିଆ କରିବା ଆବଶ୍ୟକ ହୋଇପଡିଛି । ଦୁର୍ନୀତି ଖୋର ମନୋଭାବ ଯୋଗୁ ପୁଲିସ
କୋରେଇ ପୁଲିସ ବାଲି ମାଫିଆଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ : ଫୁଟିଲା ଗୁଳି, ଏନକାଉଂଟର ଧମକ ଦେଇ ୬ ଯୁବକଙ୍କୁ ଉଠାଇନେଲା


କୋରେଇ, ୧୩ ନଭେମ୍ବର (ହି.ସ.)- ଅର୍ଥଲୋଭରେ ପଡି କୋରେଇ ପୁଲିସ ସମସ୍ତ ନିୟମକୁ ଜଳାଂଜଳୀ ଦେଇ ସୀମା ଟପି ବନ୍ଧୁକ ଫୁଟାଇ ମାଡ ମାରି ଯୁବକ ମାନଙ୍କୁ ଥାନାକୁ ଉଠାଇ ନେବା କେତେଦୂର ଯୁକ୍ତିସଂଗତ ତା'ର ବିଚାର ସାଧାରଣରେ ଓ ପୁଲିସ ମୁଖିଆ କରିବା ଆବଶ୍ୟକ ହୋଇପଡିଛି । ଦୁର୍ନୀତି ଖୋର ମନୋଭାବ ଯୋଗୁ ପୁଲିସ ସାଜିଛି ବାଲି ମାଫିଆଙ୍କ ଗୁଣ୍ଡା । ବନ୍ଧୁକ ମୁନରେ ଲୋକଙ୍କୁ ଧମକାଇବାକୁ ମଧ୍ୟ ପଛାଉନାହିଁ ପୁଲିସ । ସାଧାରଣ ଜନତାଙ୍କ ଟିକସରେ ଦରମା ନେଉଥିବା ପୁଲିସ ଅର୍ଥ ଲୋଭରେ ସାଜିଛି ଜନତାଙ୍କ ପାଇଁ କାଳ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଣିକୋଇଲି ଥାନା ଅଂଚଳରେ। ପାଣିକୋଇଲି ଥାନା ଅଂଚଳରେ ପଶି ଆତଙ୍କ ସୃଷ୍ଟି କରିଛି କୋରେଇ ପୁଲିସ ।

ପ୍ରକାଶ ଯେ, କୋରେଇ ଥାନା ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ଘାଟରୁ ପ୍ରତ୍ୟେହ ବାଲି ଚୋରା ଚାଲାଣ କରାଯାଇଥାଏ । ଯାହା ପୁଲିସ, ଖଣି ଓ ରାଜସ୍ୱ ବିଭାଗ ସବୁ ଜାଣି ନିରବଦ୍ରଷ୍ଟା ସାଜିଥାନ୍ତି । ପରୋକ୍ଷରେ ହେଉ ବା ପ୍ରତ୍ୟେକ୍ଷରେ ସମସ୍ତେ ବାଲି ମାଫିଆ ମାନଙ୍କୁ ସୁରକ୍ଷା ଯୋଗାଇଥାନ୍ତି । ବୈତରଣୀ ନଦୀରୁ ଆସୁଥିବା ବାଲି ଭାରଯାନ (ହାଇୱା) ବରୁଣ୍ଡାଇ ବଜାରରୁ ସଠିପୁର ଦେଇ ରାଜପଥ ଉପରକୁ ଉଠିଥାନ୍ତି । ହେଲେ ଷଠିପୁର ବରୁଣ୍ଡାଇ ରାସ୍ତା କାମ ଚାଲୁଥିବାରୁ ଏହି ରାସ୍ତାରେ ଭାରିଯାନ ଚଳାଚଳ ଉପରେ ଜିଲ୍ଲାପାଳ ନିଷେଧାଜ୍ଞା ଜାରି କରିଛନ୍ତି । ଏଥି ସହିତ କୋରେଇ ମୀନା ବଜାରରୁ ରଗଡିରେ ଭାରିଯାନ ଚଳାଚଳ କରିବାକୁ ଆଦେଶ ଦେଇଛନ୍ତି । କିନ୍ତୁ, ବାଲି ଗାଡି ଗୁଡିକ କୋରେଇରୁ ରଗଡି ନଯାଇ ପାଣିକୋଇଲି ଆସୁଛନ୍ତି । ବେଆଇନ ବାଲି ଗାଡି ଗୁଡିକୁ ଅଟକାଇ ବିଭିନ୍ନ ସ୍ଥାନରେ ଚାନ୍ଦା ଆଦାୟ କରାଯାଉଛି । ଯେହେତୁ ବାଲି ଗାଡିର କୌଣସି କାଗଜପତ୍ର ନାହିଁ ସେମାନେ ମଧ୍ୟ ବାଟ ସାରା ଚାନ୍ଦା ଦେଇଦେଇ ଆସୁଛନ୍ତି । ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ -ପାଣିକୋଇଲି ରାସ୍ତାର ମୁଲରୀ ଛକ ଠାରେ ଗତକାଲି ରାତିରେ କେତେକ ଯୁବକ ଚାନ୍ଦା ଆଦାୟ କରୁଥିଲେ । ପୁଲିସ ମଧ୍ୟ ବିଭିନ୍ନ ସ୍ଥାନରେ ବାଲି ଗାଡିରୁ ଚାନ୍ଦା ନେବାର ନଜିର ରହିଛି । ଯାହାର ଖବର ପାଇ ବାଲି ମାଫିଆ କୋରେଇ ପୁଲିସ ସହ ଯୋଗାଯୋଗ କରିଥିଲେ । ପୁଲିସ ଏତେ ମାତ୍ରାରେ ଅର୍ଥ ନେଇଥିଲା ଯେ ନିଜ ସୀମା ଟପି ପାଣିକୋଇଲି ପୁଲିସ ଅଗୋଚରରେ ପାଣିକୋଇଲି ଥାନା ଅଂଚଳରେ ପଶି ଥାନା ଗାଡି ଧରି ସଦଳବଳେ ଚଢଉ କରିଥିଲା । ଯୁବକ ମାନଙ୍କୁ ଭୟଭୀତ କରାଇବା ପାଇଁ ବନ୍ଧୁକ ଦେଖାଇବା ସହ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲା । ଭୟରେ ଯୁବକ ମାନେ ଦୌଡି ପଳାଇବା ବେଳେ ୬ ଜଣଙ୍କୁ ମାଡମାରି ଏନକାଉଂଟରର ଧମକ ଦେଇ ପୁଲିସ ଗାଡିରେ ଥାନାକୁ ଉଠାଇ ନେଇଥିଲେ । ଯାହା ଫଳରେ ଗୁଳିଫୁଟା ଶଦ୍ଦ ଶୁଣି ଲୋକମାନେ ଭୟଭୀତ ହୋଇ ରାସ୍ତାକୁ ଆସିଯାଇଥିଲେ । ଉତ୍ୟକ୍ତ ଲୋକମାନେ ଆସୁଥବା ବାଲି ଭାରୀଯାନ ଗୁଡିକୁ ଅଟକାଇ ରଖିଥିଲେ । ଘଟଣାସ୍ଥଳରେ ପାଣିକୋଇଲି ପୁଲିସ ପହଂଚିଥିବା ବେଳେ ଲୋକମାନେ ସେମାନଙ୍କ ପିଲାଙ୍କୁ ଫେରାଇବାକୁ ଜିଦ ଧରିଥିଲେ । ଫଳରେ କୋରେଇ ପୁଲିସ ବାଧ୍ୟ ହୋଇ ସେମାନଙ୍କୁ ଆଣି ଛାଡିଥିଲା । ହେଲେ ପୁଲିସର ଚୋରା ବାଲି ମାଫିଆଙ୍କ ପ୍ରତି ଅହେତୁକ ଅନୁକମ୍ପା ଓ ସାଧାରଣ ଜନତାଙ୍କୁ ସନ୍ତ୍ରାସବାଦୀ ଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି । ଜିଲ୍ଲା ପୁଲିସ ମୁଖିଆ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପୁଲିସ ଉପରେ ଜନତାଙ୍କ ଭରଷା ତୁଟିଯିବ ଏହା ଅବସମ୍ଭାବୀ । କାହା ଚାପରେ ଚାପି ହୋଇ କୋରେଇ ପୁଲିସ ଏଭଳି ଅମାନୁଷିକ କାର୍ଯ୍ୟ କରୁଛି ଓ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ବଦଳରେ ଏନକାଉଂଟରର ଧମକ ଦେଉଛି, ତାହା ତଦନ୍ତ ସାପେକ୍ଷ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande