
ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଭଦ୍ରକ ଏନ.ସି.ସି (ସ୍ଥଳ ଓ ନୌସେନା ବିଭାଗ) ତରଫରୁ ଆଜି ବନ୍ଦେ ମାତରମ ରଚନାର ୧୫୦ ବର୍ଷ ପୂର୍ତି ଉପଲକ୍ଷେ ତ୍ରିରଙ୍ଗା ରାଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲା ମହକୁମାରେ ଆୟୋଜନ କରାଯାଇଥିଲା । ସକାଳ ୧୦.୩୦ ମିନିଟ ସମୟରେ ଜିଲ୍ଲା ସ୍କୁଲ, ଭଦ୍ରକ ରେ ଜିଲ୍ଲାପାଳ ଦିଲିପ ରାଉତରାଏ ମହାତ୍ମା ଗାନ୍ଧି ଓ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଆଜିର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏଥିରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ, କମାଣ୍ଡିଙ୍ଗ ଅଫିସର ଓ କମାଣ୍ଡର ସୁଦିପ କୁମାର ସାହୁ ଙ୍କ ସହିତ ଶତାଧିକ ଏନ.ସି.ସି କ୍ୟାଡେଟ୍ ଭାଗ ନେଇଥିଲେ । ଅପରାହ୍ନ ୪.୩୦ ମିନିଟରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରୁ ଏକ ହଜାର ରୁ ଉର୍ଦ୍ଧ ବିଭିନ୍ନ ଜିଲ୍ଲାରୁ ଆସିଥିବା ଏନ.ସି.ସି କ୍ୟାଡେଟ୍ ଙ୍କୁ ତ୍ରିରଙ୍ଗା ରାଲି ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନେ ହାତରେ ଏକ ବିଶାଳ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ଓ ବନ୍ଦେ ମାତରମ ସ୍ଲୋଗାନ ଦେଇ ଜିଲ୍ଲା ସ୍କୁଲ ଅଭିମୂଖେ ଯାତ୍ରା କରିଥିଲେ । ଜନସାଧାରଣଙ୍କ ଉପସ୍ଥିତିରେ ସେହି ସ୍ଥାନଟିରେ ଏକ ଜାତୀୟତାବୋଧ ପରିବେଶ ସୃଷ୍ଟି ହୋଇଥିଲା । ଜିଲ୍ଲା ସ୍କୁଲ ରୁ ରାଲି ଟି ପୁଣି ପ୍ରତ୍ୟାବର୍ତନ କରି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ଓ ସେଠାରେ ଏନ.ସି.ସି କ୍ୟାଡେଟ୍ ଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମନ୍ତ୍ରୀ ଉପସ୍ଥିତହୋଇ ବିଭିନ୍ନ ବିଭାଗରେ କୃତକାର୍ଯ୍ୟ ହୋଇଥିବା ଏନ.ସି.ସି କ୍ୟାଡେଟ୍ ପିଲାଙ୍କୁ ଉପଢୌକନ ପ୍ରଦାନ କରିବା ସହିତ ଜାତୀୟ ଏକତା ବିଷୟରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବିର୍ଶା ମୁଣ୍ଡା, ସୁବାଷ ଚନ୍ଦ୍ର ବୋଷ ଓ ଅନେକ ମହାନ ବ୍ୟକ୍ତିତ୍ୱଙ୍କ ରାଷ୍ଟ୍ରଭକ୍ତି କିପରିଭାବରେ ଦେଶର ଶକ୍ତି ଓ ଅଗ୍ରଗତିରେ ମୂଳ ଆଧାର ହୋଇଛି ତାହା ପ୍ରକାଶ କରିଥିଲେ ଓ ଆମେ ସମସ୍ତେ ଏକ ଭାବନାରେ ଏକତା ବଦ୍ଧ ହୋଇ ଆମ ଦେଶର ସମୃଦ୍ଧି, ସୁଖ ଓ ଶାନ୍ତି ପାଇଁ ପ୍ରୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ