
ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଭାବେ ଯେପରି ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ସୁବର୍ଣ୍ଣ ସ୍ୱାକ୍ଷର ଆଙ୍କିଛି ସେପରି ସଂସ୍କୃତି, ଐତିହ୍ୟ ଓ ପରମ୍ପରାରେ ସମଗ୍ର ଉତ୍କଳର ଅନନ୍ୟ ସ୍ଥାନ ଭାବେ ଆଦୃତ ହୋଇଛି।କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି ଭଳି ଅମର କବି ଜାତୀୟବାଦୀ ସଂଗୀତର ସାରସ୍ୱତ ଝଙ୍କାର ତୋଳି ସ୍ୱାଧୀନତା ସଂଗ୍ରାମକୁ ତେଜିୟାନ କରିଥିବା ବେଳେ ବିପ୍ରକବି ବଂଶୀ ବଲ୍ଲଭ ଗୋସ୍ୱାମୀ,ଲୋକକବି ଜଗନ୍ନାଥ ପାଣି, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, କେଶବକବି କୃଷ୍ଣପ୍ରସାଦ ବେହେରା, ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର, ନାଟ୍ୟକାର ଉମାକାନ୍ତ ବେହେରା ପ୍ରମୁଖ ବହୁ ସାରସ୍ୱତ ସାଧକ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଚତୁର୍ଥ ସଂନ୍ଧ୍ୟାକୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ରେ ଉତ୍ସର୍ଗିତ ହେବା ସହ 'ଭଦ୍ରକର ସଂସ୍କୃତି, ଐତିହ୍ୟ ଓ ପରମ୍ପରା'ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଜାତୀୟତାବାଦୀ ଆନ୍ଦୋଳନ ପୃଷ୍ଠାରେ ଭଦ୍ରକ ମହୋତ୍ସବର ଉପଦେଷ୍ଟା, ଶିକ୍ଷାବିତ ଗୟାଧର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ପୌରଧ୍ୟକ୍ଷା ଗୁଲମକ୍କୀ ଦଲୱାଜୀ ହବିବ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସାହିତ୍ୟିକ କାର୍ତିକ ଚନ୍ଦ୍ର ସ୍ୱାଇଁ, ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ପୁରୁଷୋତମ ଧଳ, ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ବାବୁଲାଲ ଦାସ ବରେଣ୍ୟ ଅତିଥି ଏବଂ ବରିଷ୍ଠ କବି ଉମେଶ ଚନ୍ଦ୍ର ମହାପାତ୍ର ବରେଣ୍ୟ ବକ୍ତା ଭାବେ ଯୋଗଦେଇଥିଲେ। କବୟିତ୍ରୀ ଋତିକା ନାୟକ ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ସମ୍ପାଦକ ରବି ନାରାୟଣ ଖିଲାର ଅତିଥି ପରିଚୟ ଓ ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ ପ୍ରଦାନ ଏବଂ ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ। ବର୍ଷା ରାଣୀ ପୁହାଣ ଓ ଅଙ୍କିତା ପୁହାଣ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ଡା.ଅନିଲ କୁମାର ଦାଶ, ପ୍ରଧାନ ଶିକ୍ଷୟିତ୍ରୀ ଡ.ଜାନକୀ ପାଢ଼ୀ, ମମତା ବଳ ଓସୀମନ୍ତିନୀ ବାରିକ ଓ ଦମୟନ୍ତୀ ରାଉତ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହୋତ୍ସବ କାର୍ଯ୍ୟକ୍ରମକୁ ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ସୁଶ୍ରୀ ଅଞ୍ଜନା ମିଶ୍ର, କଳ୍ପନା ଜେନା , ପ୍ରଭାକର ପରିଡ଼ା,ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ