
ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଗତ ୧୦ ତାରିଖ ଦିନ ଭଦ୍ରକର ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ଚରମ୍ପା ବଜାରର ଏକ ଜଳଖିଆ ଦୋକାନରୁ ଖାଉଥିବା ଦମ୍ପତିଙ୍କର ଚୋରି ହୋଇଥିବା ସୁନାଗହଣାକୁ ଆଜି ପୋଲିସ୍ ଜବତ କରିଛି। ଏ ସଂପର୍କରେ ଆଜି ଭଦ୍ରକ ସହରାଂଚଳ ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିତ ମାଝୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ତିର୍ତୋଳ ନିବାସୀ ପଦ୍ମଲୋଚନ ସ୍ୱାଇଁ ଏକ ମେଡିସିନ୍ କଂପାନୀରେ କାର୍ଯ୍ୟ କରନ୍ତି। ସେ କଟକରେ ଏକ ଘରୋଇ ଉତ୍ସବରେ ଯୋଗଦେଇ ପତ୍ନୀ ଚିନ୍ମୟୀ ଓ ଛୁଆଙ୍କ ସହ ଏକ ସ୍କୁଟିରେ ବାଲେଶ୍ୱର ଫେରୁଥିବାବେଳେ ସକାଳ ପ୍ରାୟ ୧୦.୩୦ ରେ ଚରମ୍ପାର ସାହୁ ଟିଫିନ୍ ସେଂଟରରେ ଅଟକି ଜଳଖିଆ ଖାଇଥିଲେ। ଏହି ସମୟରେ ଚିନ୍ମୟୀ ନିଜର ଶିଶୁକୁ କ୍ଷୀର ଖୁଆଉଥିବା ସମୟରେ ପ୍ରାୟ ୧୦୦ ଗ୍ରାମ ଓଜନର ୧୦ ଲକ୍ଷ ଟଙ୍କାର ସୁନାଗହଣା ଥିବା ଭ୍ୟାନିଟି ବ୍ୟାଗ୍କୁ ଦୋକାନ ବେଂଚ ଉପରେ ରଖିଦେଇଥିଲେ। ତେବେ ତାଙ୍କର ଗହଣା ଥିବା ଭ୍ୟାନିଟି ବ୍ୟାଗ୍କୁ କେହି ଲୁଟେରା ଲୁଟି ନେଇଥିବାର ଜଣାପଡିଥିଲା। ସେ ଏ ସଂପର୍କରେ ସହରାଂଚଳ ଥାନାରେ ଅଭିଯୋଗ କରିବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଆଇ ଅଧିକାରୀ ମହାପାତ୍ର, କନେଷ୍ଟବଳ ମନୋଜ ପ୍ରଧାନ ଓ ଚନ୍ଦନ ନାୟକ ସ୍ଥାନୀୟ ଦୋକାନ ଓ ରେଲୱେ ଷ୍ଟେସନର ସିସିଟିଭି ଆଧାରରେ ଯାଜପୁର ନିବାସୀ ଜଣେ ନାବାଳକ ଠାରୁ ଉକ୍ତ ସୁନା ଅଳଙ୍କାର ଜବତ କରିଛନ୍ତି। ତେବେ ନାବାଳକ ଜଣକୁ ପୁଲିସ୍ ଅଟକ ରଖିଥିବାବେଳେ ମୁଖ୍ୟ ଅଭିଯୁକ୍ତ ତାର ଅଜା ଫେରାର ଥିବାର ଜଣାପଡିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ