
ସମ୍ବଲପୁର, ୧୩ ନଭେମ୍ବର(ହି.ସ.) – ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ କୁଷ୍ଠ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମ ୨୦୨୫-୨୬ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଆଜି ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଉକ୍ତ ବୈଠକ ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ହୋଇଥିଲା। ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଆସନ୍ତା ୧୭ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଯାଉଛି, ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାର ୯ ଗୋଟି ବ୍ଲକରେ ଚିହ୍ନଟ ଅଭିଯାନ ଆୟୋଜିତ କରାଯିବ। ଏହି ଅଭିଯାନର ମୂଳଲକ୍ଷ୍ୟ ହେଉଛି ପ୍ରାରମ୍ଭିକ ଚିହ୍ନଟକୁ ପ୍ରୋତ୍ସାହିତ କରି, ରୋଗର ଅଗ୍ରଗତିକୁ ରୋକିବା ଏବଂ ଅକ୍ଷମତାର ବିପଦକୁ ହ୍ରାସ କରିବା। କୁଷ୍ଠ ରୋଗ, ଏହାର ଲକ୍ଷଣ ଏବଂ ଆଗୁଆ ରୋଗ ନିର୍ଣ୍ଣୟ ଓ ଚିକିତ୍ସାର ଗୁରୁତ୍ୱ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଏହି ଅଭିଯାନରେ ପ୍ରତ୍ୟେକ ଘର ଘର ବୁଲି ରୋଗୀ ଚିହ୍ନଟ ତଥା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ, ବିଦ୍ୟାଳୟ ଏବଂ ସମୁଦାୟ ମାନଙ୍କରେ ସ୍ୱାସ୍ଥ୍ୟ ଶିକ୍ଷାଗତ କାର୍ଯ୍ୟକ୍ରମ, ମାଗଣା ସ୍କ୍ରିନିଂ ଏବଂ ଡାଇଗ୍ନୋଷ୍ଟିକ୍ ସେବା ପ୍ରଦାନ କରୁଥିବା ଭ୍ରାମ୍ୟମାଣ ଚିକିତ୍ସା ଅନ୍ତର୍ଭୁକ୍ତ କରାଯିବ। ଏହି ଅଭିଯାନରେ ରୋଗ ଚିହ୍ନଟ ଦଳ, ସ୍ୱାସ୍ଥ୍ୟ କର୍ମୀ, ପିଏଚ୍ଇଓ, ବିପିଏମ୍, ବିଡିଏମ, ସେକ୍ଟର ମେଡିକାଲ ଅଫିସର ନିଯୋଜିତନ ହେବେ। ସମସ୍ତଙ୍କ ସହଯୋଗରେ କିପରି ଭାବେ ଏହି ଅଭିଯାନ କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରିତା କରାଯିବ, ଏହି ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ