
ପଟ୍ଟାମୁଣ୍ଡାଇ, ୧୩ ନଭେମ୍ବର (ହି.ସ.)- ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବକ୍ତାରପୁର ନୋଡାଲ ଉ. ପ୍ରା. ସ୍କୁଲର ଶିକ୍ଷକ ବଦଳି ପ୍ରତିବାଦରେ ଆଜି ସ୍କୁଲ ସମ୍ମୁଖରେ ଛାତ୍ର ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟମାନେ ଧାରଣା ଦେଇଥିଲେ I ଏଥି ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I
ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବକ୍ତାରପୁର ନୋଡାଲ ୟୁ ପି ସ୍କୁଲ ଏକ ଖ୍ୟାତନାମା ସ୍କୁଲ ଭାବେ ସ୍ଥାନୀୟ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି I ଏହି ସ୍କୁଲରେ ଶିଶୁବାଟିକା ଠାରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ରହିଛି I ୮ଟି ଶ୍ରେଣୀରେ ପ୍ରାୟ ୨୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତିI ପିଲାମାନଙ୍କୁ ପଢାଇବା ପାଇଁ ଛାତ୍ରଛାତ୍ରୀ ଆନୁପାତିକ ହାରରେ ୭ ଜଣ ଶିକ୍ଷକ /ଶିକ୍ଷୟିତ୍ରୀ ଓ ଜଣେ ସାମୟିକ କଳା ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଉତ୍ତମ ଶିକ୍ଷାଦାନ ସହିତ ବିଭିନ୍ନ କ୍ଷେତ୍ରରେ ଗୌରବ ଆଣିଥିବା ଏହି ସ୍କୁଲର ଜନୈକା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି I ଯାହାଫଳରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି I ଏପରିକି ପିଲାମାନଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହିତ ଭବିଷ୍ୟତ ଅନିଶ୍ଚିତ ହୋଇପଡିବ ବୋଲି ଅଭିଭାବକ ଅଭିଭାବିକା ଓ ସ୍କୁଲ କମିଟି ସଦସ୍ୟ ମାନେ ଅଭିଯୋଗ କରିଛନ୍ତି I ଶିକ୍ଷୟତ୍ରୀଙ୍କ ବଦଳି ପ୍ରତିବାଦରେ ଆଜି ସ୍କୁଲ ପରିଚାଳନା କମିଟି ସଭାପତି ଜଗବନ୍ଧୁ ନାୟକ, କାଉନସିଲର ଝରଣା ବେହେରା, ଉପେନ୍ଦ୍ର ମିଶ୍ର, ବୁଢା ଜେନା, ଶଶିକାନ୍ତ ପଣ୍ଡା, ଅଲେଖ ଜେନା, ସୁଶାନ୍ତ ଜେନା, ସନ୍ତୋଷ ଜେନା, ରଞ୍ଜନ ଜେନା, ସୁବାଷ ଜେନା, ମୁକୁନା ଜେନା, ରାଜକିଶୋର ଜେନା, ଶ୍ରୀମତୀ ଜେନା, କଣ୍ଢେଇ ଜେନା, ପୁଷ୍ପା ଜେନାବୁଲି ଜେନା ପ୍ରମୁଖ ଛାତ୍ର ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେI ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଯେପର୍ଯ୍ୟନ୍ତ ବଦଳି ଆଦେଶ ବାତିଲ ନକରିଛନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଛାତ୍ର ଅଭିଭାବକମାନେ ପ୍ରକାଶ କରିଛନ୍ତି I ବକ୍ତାରପୁର ନୋଡାଲ ୟୁ ପି ସ୍କୁଲରେ ଶିକ୍ଷୟତ୍ରୀ ବଦଳି ପ୍ରତିବାଦରେ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଥିବା ସମ୍ପର୍କରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଖବର ପାଇବା ପରେ ବକ୍ତାରପୁର କ୍ଲଷ୍ଟର ସିଆରସିସି ସଂଘମିତ୍ରା ନାୟକଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ I ସିଆରସିସି ଶ୍ରୀମତୀ ନାୟକ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଇଛନ୍ତି I ସେ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା I
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ